କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପିଏମ କିଷାନ ସମ୍ମାନ ନିଧି ଯୋଜନାର ୧୭ ତମ କିସ୍ତି ଟଙ୍କା ହସ୍ତାନ୍ତର କରିଛନ୍ତି । ସାରା ଦେଶରେ ୯ କୋଟି ୨୬ ଲକ୍ଷ ଚାଷୀଙ୍କୁ ୨ ହଜାର ଲେଖାଏଁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି । ଓଡ଼ିଶାର ମୋଟ ୩୧ ଲକ୍ଷ ୬୨ ହଜାର ଚାଷୀ ୬୩୨ କୋଟି ୪୮ ଲକ୍ଷ ଟଙ୍କା ପାଇଛନ୍ତି । ସେହିଭଳି ଯେଉଁ ଯୋଗ୍ୟ ହିତାଧିକାରୀ ପିଏମ କିଷାନରେ ସାମିଲ ହୋଇନାହାନ୍ତି ସେମାନଙ୍କୁ ସାମିଲ କରାଯିବ ବୋଲି ବରଗଡ ସଭାରୁ କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।
ଗୋଟିଏ ପଟେ ପିଏମ କିଷାନରେ ଚାଷୀଙ୍କୁ ଆର୍ଥିକ ସହାୟତା ମିଳିଥିବା ବେଳେ ପୂର୍ବରୁ ରାଜ୍ୟରେ ଚାଲିଥିବା କାଳିଆ ଯୋଜନାରେ ଆଉ ଟଙ୍କା ମିଳିବ କି ନାହିଁ ତାହାକୁ ନେଇ ଦ୍ୱନ୍ଦ୍ୱ ଲାଗି ରହିଛି । ପୂର୍ବରୁ ଥିବା ବିଜେଡି ସରକାର ରାଜ୍ୟରେ କାଳିଆ ଯୋଜନା ଆରମ୍ଭ କରିଥିଲେ । ଚାଷୀଙ୍କୁ ସହାୟତା ପାଇଁ ଆରମ୍ଭ ହୋଇଥିଲା ‘କାଳିଆ’ ଯୋଜନା । ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜାନୁଆରୀ ୨୦୧୯ ମସିହାରେ ଏହାକୁ ଆରମ୍ଭ କରିଥିଲେ । ବର୍ଷକୁ ତିନି ଥର ୨ ହଜାର ଟଙ୍କା ଲେଖାଏଁ ମୋଟ ୬ ହଜାର ଟଙ୍କା ଚାଷୀଙ୍କ ଖାତାକୁ ଆସୁଥିଲା । ଏବେ ରାଜ୍ୟରେ ସରକାର ବଦଳିବା ପରେ କାଳିଆ ଟଙ୍କା ମିଳିବ କି ନାହିଁ ସେନେଇ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି ।