ଝିଅ ବାପ ଛେଉଣ୍ଡ ହୋଇଗଲା, ସ୍ତ୍ରୀ ମଥାରୁ ସିନ୍ଦୂର ଲିଭିଗଲା ।  କାହିଁକି ଆତ୍ମହତ୍ୟା ରାସ୍ତାକୁ ବାଛିନେଲେ ଦୁଷ୍ମନ୍ତ? 

187

କନକ ବ୍ୟୁରୋ : ବିଧାନସଭା ଆଗରେ ହାତ କାଟି ମୃତ୍ୟୁବରଣ କରିଥିବା ଦୁଷ୍ମନ୍ତ ଦାସଙ୍କ ଦୁଃଖ କାହାଣୀ ପୂରା ରାଜ୍ୟରେ ଆଲୋଡନ ସୃଷ୍ଟି କରିଛି । କଟକ ବଡ଼ ମେଡିକାଲରେ ଚିକିତ୍ସାରେ ଅବହେଳା ହୋଇଥିବା ନେଇ ସେ ବାରମ୍ବାର ଅଭିଯୋଗ କରି ଆସୁଥିଲେ । ସେପଟେ ସ୍ୱାସ୍ଥ୍ୟ ବିଭାଗ, ପ୍ରାଥମିକ ରିପୋର୍ଟ ନେଇ ଡାକ୍ତରଙ୍କୁ କ୍ଲିନଚିଟ୍ ଦେଇଛି । ସ୍ୱାସ୍ଥ୍ୟ ବିଭାଗର ଯୁକ୍ତି ହେଉଛି, ଦୁର୍ଘଟଣା ପରେ ୧୨ ଘଂଟା ବିଳମ୍ବରେ ସେ କଟକ ବଡ଼ ଡାକ୍ତରଖାନା ଆସିଥିଲେ । ଯେଉଁ ସମୟରେ ଯାହା ଚିକିତ୍ସା ହେବା କଥା ହୋଇଛି । ତେବେ ମୃତ୍ୟୁ ପୂର୍ବରୁ ଦୁଷ୍ମନ୍ତ ଯେଉଁ ଅଭିଯୋଗ ଉଠାଇଥିଲେ, ତାହା ସଂପୂର୍ଣ୍ଣ ଅଲଗା ଥିଲା । ଏପରିକି ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେବା ପୂର୍ବରୁ ମୁଖ୍ୟମନ୍ତ୍ରୀ ଓ ସ୍ୱାସ୍ଥ୍ୟ ସଚିବଙ୍କୁ ଚିଠି ଲେଖି ନିଜ ଦୁଃଖ କାହାଣୀ ଜଣାଇଥିଲେ ଦୁଷ୍ମନ୍ତ ।

ଦୁଷ୍ମନ୍ତ ଦାସ, ଜଗତସିଂହପୁର କୁଜଙ୍ଗ ଥାନା ଅନ୍ତର୍ଗତ ପଙ୍କପାଳରେ ତାଙ୍କ ଘର । ଜେସିବି ଡ୍ରାଇଭର ଭାବେ  କାମ କରୁଥିଲେ । ଗତ ଦେଢ଼ ବର୍ଷ ହେଲା ଜୀବନ ତାଙ୍କ ପାଇଁ ବୋଝ ପାଲଟି ଯାଇଥିଲା । ୨୦୨୦ ମାର୍ଚ୍ଚ ମାସରେ ହୋଇଥିବା ସଡ଼କ ଦୁର୍ଘଟଣା ପରେ ବଦଳି ଯାଇଥିଲା ତାଙ୍କ ଜୀବନ । ସଡ଼କ ଦୁର୍ଘଟଣାରୁ କଟକ ବଡ଼ ମେଡିକାଲ, ମେଡିକାଲରୁ ବିଧାନସଭା ଦେଇ ସ୍ୱର୍ଗଦ୍ୱାରରେ ସରିଯାଇଛି ସବୁକିଛି । ହେଲେ, ବଂଚିବା ପାଇଁ ଶେଷ ପର୍ଯ୍ୟନ୍ତ ସଂଘର୍ଷ ଚଳାଇଥିଲେ । ଦୁର୍ଘଟଣାରେ ବାମ ଗୋଡରେ ହୋଇଥିବା କ୍ଷତକୁ ଭଲ କରିବା ପାଇଁ ଜୋରଦାର ଉଦ୍ୟମ କରିଥିଲେ ।

ଦୁଷ୍ମନ୍ତଙ୍କ ଦୁଇଟି ଚିଠି । କଟକ ବଡ଼ ମେଡିକାଲରେ ଚିକିତ୍ସାର ଅବହେଳା ଅଭିଯୋଗ କରି ମୁଖ୍ୟମନ୍ତ୍ରୀ ଓ ସ୍ୱାସ୍ଥ୍ୟ ସଚିବଙ୍କୁ ଚିଠି ଲେଖିଛନ୍ତି । କେମିତି ତାଙ୍କୁ ଚିକିତ୍ସାରେ ଅବହେଳା କରାଯାଇଛି ଓ ସେଥିପାଇଁ ସେ କିପରି ଦୁଃଖ କଷ୍ଟରେ ରହିଛନ୍ତି, ଚିଠିରେ ଉଲ୍ଲେଖ କରିଛନ୍ତି । ଏହି ଚିଠିରେ ସେ ଲେଖିଛନ୍ତି, ଏସସିବିରେ ତାଙ୍କର ଗତବର୍ଷ ମାର୍ଚ ୨୩ରେ ପ୍ରଥମ ଅସ୍ତ୍ରୋପଚାର ଓ ଜୁନ୍ ୧୯ରେ ଦ୍ୱିତୀୟ ଅପରେସନ କରାଯାଇଥିଲା । କରୋନା ମହାମାରୀର ଆଳ ଦେଖାଇ ଗତବର୍ଷ ଜୁଲାଇ ୧୫ରେ ଘରକୁ ପଠାଇ ଦେଇଥିଲେ ଡାକ୍ତର  । ପରେ ଯେତେବେଳେ ଏସସିବିର ଡାକ୍ତରଙ୍କୁ ଭେଟି ନିଜ ସ୍ୱାସ୍ଥ୍ୟାବସ୍ଥା ଜଣାଇବାକୁ ଚାହିଁଲେ, ସେତେବେଳେ ଡାକ୍ତର ସହଯୋଗ କଲେନାହିଁ  । ଦିନକୁ ଦିନ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ନଭେମ୍ବର ୨୪ରେ ଜଗତସିଂହପୁର ମେଡିକାଲରେ ଜିଲ୍ଲା ପ୍ରଶାସନ ନିର୍ଦ୍ଦେଶକ୍ରମେ ଆଡମିଶନ କରାଇଦେଇଥିଲେ  । ପୁଣି ଜଗତସିଂହପୁରରୁ ତାଙ୍କୁ କଟକ ଏସସିବିକୁ ରେଫର କରାଯାଇଥିଲା  । ହେଲେ ତାଙ୍କୁ ଚିକିତ୍ସା କରିବା ତ ଦୂରର କଥା, ଡାକ୍ତର ତାଙ୍କୁୁ ଭେଟି ନଥିବା ଚିଠିରେ ଲେଖିଥିଲେ ଦୁଷ୍ମନ୍ତ ।

ଏପଟେ ଚିକିତ୍ସା ଅବହେଳାରୁ ତାଙ୍କର ମୃତ୍ୟୁ ହୋଇନାହିଁ ବୋଲି ସ୍ୱାସ୍ଥ୍ୟ ବିଭାଗ ପ୍ରାଥମିକ ରିପୋର୍ଟ ଦେଇ ଡାକ୍ତରଙ୍କୁ କ୍ଲିନଚିଟ ଦେଇଛି । ଏସସିବିରେ ହୋଇଥିବା ଚିକିତ୍ସାର ପୂରା ବିବରଣୀ ବି ଦେଇଛି ସ୍ୱାସ୍ଥ୍ୟ ବିଭାଗ । ବିଭାଗର ଯୁକ୍ତି ହେଉଛି, ଦୁର୍ଘଟଣାର ବାର ଘଣ୍ଟା ପରେ ଦୁଷ୍ମନ୍ତ, ଡାକ୍ତରଖାନା ଆସିଥିବାରୁ ତାଙ୍କ ଗୋଡ ରକ୍ଷା କରିବା ସମ୍ଭବ ହୋଇନି । ହସପିଟାଲ ଆସିବା ପରେ ତାଙ୍କୁ  ସମସ୍ତ ପ୍ରକାର ଚିକିତ୍ସା ସୁବିଧା ଯୋଗାଇ ଦିଆଯାଇଛି । ସମ୍ପୂର୍ଣ୍ଣ ମାଗଣାରେ ଏହି ଚିକିତ୍ସା ଯୋଗାଇ ଦିଆଯାଇଥିବା ନେଇ ମଧ୍ୟ ରିପୋର୍ଟରେ ଦର୍ଶାଯାଇଛି ।

ପ୍ରାୟ ବର୍ଷେ କାଳ ଚିକିତ୍ସା ଅବହେଳାର ଅଭିଯୋଗ କରି କରି ନିରାଶ ହେବା ପରେ ବିଧାନସଭା ଆଗରେ ବିଷ ପିଇ ଓ ହାତ କାଟି ଆତ୍ମହତ୍ୟା ଉଦ୍ୟମ କରିଥିଲେ ଦୁଷ୍ମନ୍ତ । ଶେଷରେ ଯେଉଁ ମେଡିକାଲ ବିରୋଧରେ ଭୁଲ ସର୍ଜରୀର ଅଭିଯୋଗ କରିଥିଲେ, ସେହି ଏସସିବି ମେଡିକାଲରେ ଗୁରୁତର ଅବସ୍ଥାରେ ଦୁଷ୍ମନ୍ତ ପ୍ରାଣ ହରାଇଛନ୍ତି । ସ୍ୱାସ୍ଥ୍ୟ ବିଭାଗ, ଏ ନେଇ ଏସସିବି କର୍ତୃପକ୍ଷଙ୍କୁ କ୍ଲିନଚିଟ୍ ଦେଇଛି ସତ, ହେଲେ ଦୁଷ୍ମନ୍ତଙ୍କ ଅଭିଯୋଗ ପୂରା ବ୍ୟବସ୍ଥାରେ ପ୍ରଶ୍ନ ଚିହ୍ନ ଲଗାଇ ଦେଇଛି । ଏପଟେ ଦୁଷ୍ମନ୍ତଙ୍କ ମୃତ୍ୟୁ ପରେ ବୃଦ୍ଧ ବାପା, ମାଆ, ସେମାନଙ୍କ ଜୀବନର ଶେଷ ଆଶାବାଡିକୁ ହରାଇଛନ୍ତି, ପତ୍ନୀଙ୍କ ମୁଣ୍ଡରୁ ସିନ୍ଦୁର ଲିଭିଯାଇଛି, ଆଉ ଅଢ଼େଇ ବର୍ଷର ଝିଅ, କଅଁଳ ବୟସରୁ ବାପା ଛେଉଣ୍ଡ ହୋଇଯାଇଛି ।