କନକ ବ୍ୟୁରୋ : ଏଚଆରପିସି ବା ମାନବାଧିକାର ସେଲର ତଦନ୍ତକୁ ନେଇ ସାଧାରଣରେ ପ୍ରଶ୍ନ ସୃଷ୍ଟି ହେଉଛି । ଗାଙ୍ଗପୁର ଆଇଆଇସି ମୃତ୍ୟୁ ମାମଲା ଓ ବଡଗଡ ହାଜତ ମୃତ୍ୟୁ ମାମଲାର ତଦନ୍ତ କରୁଛି ଏଚଆରପିସି । ଏହି ଦୁଇଟି ମାମଲାରେ ଏଚଆରପିସି ତଦନ୍ତରୁ କଣ ପାଇଲା, ତାହା କାହାକୁ ଜଣା ନାହିଁ । ତେଣୁ ଏଚଆରପିସିର ତଦନ୍ତକୁ ନେଇ ସାଧାରଣରେ ସନ୍ଦେହ ସୃଷ୍ଟି ହେଲାଣି ।

Advertisment

ଗାଙ୍ଗପୁର ଆଇଆଇସି ମୃତ୍ୟୁ ଘଟଣା ଓ ଭୁବନେଶ୍ୱର ବଡଗଡ ହାଜତ ମୃତ୍ୟୁ । ଦୁଇଟି ଯାକ ମାମଲାରେ ବିବାଦ ବଢିବା ପରେ ଏହାର ତଦନ୍ତ ଦାୟିତ୍ୱ ଦିଆଯାଇଥିଲା ମାନବିକ ଅଧିକାର ସୁରକ୍ଷା ସେଲ ବା ଏଚଆରପିସିକୁ । କିନ୍ତୁ ଏହି ତଦନ୍ତ ଏବେ କୁଆଡେ ଗଲା ଆଉ ନିର୍ଯାସ କଣ ବାହାରିଲା ତାହା କାହାକୁ ଜଣାନାହିଁ । ଦୁର୍ବଳ ଶ୍ରେଣୀଙ୍କ ବିରୋଧରେ ହେଉଥିବା ଅପରାଧର ତଦନ୍ତ ପାଇଁ ରାଜ୍ୟ ପୁଲିସର ସ୍ୱତନ୍ତ୍ର ଓି୍ୱଙ୍ଗ ହେଉଛି ଏଚଆରପିସି । ଏହା ଏକ ନୋଡାଲ ଏଜେନ୍ସି ଭାବେ କାମ କରିଥାଏ । ୧୯୮୧ରୁ ଏଚଆରପିସିର ଗଠନ ହୋଇଥିଲେ ବି ଅଧିକାଂଶ ମାମଲାର ତଦନ୍ତ ଦିଗ ନେଇ ପ୍ରଶ୍ନ ଉଠିଛି ।

କେମିତି ହେଲା ଗାଙ୍ଗପୁର ଆଇଆଇସିଙ୍କ ମୃତ୍ୟୁ? କେଉଁଠି ଅଟକିଛି ଏଚଆରପିସିର ତଦନ୍ତ? ପାଖପାଖି ମାସେ ବିତିଯାଇଥିଲେ ବି ହଟିପାରିନି ଗାଙ୍ଗପୁର ଆଇଆଇସି ଦେବ କୁମାର ଗମାଙ୍ଗଙ୍କ ମୃତ୍ୟୁର ରହସ୍ୟ । ଗତମାସ ୨୬ ତାରିଖରେ ଘରେ ସରକାରୀ ଘରେ ଥିବାବେଳେ ବନ୍ଧୁକରୁ ଗୁଳି ଫୁଟି ଦେବ କୁମାର ପ୍ରାଣ ହରାଇଥିଲେ । ଦେବ କୁମାରଙ୍କ ମାଆ ବାଥରୁମରେ ଥିବାବେଳେ ଗୁଳିପୁଠିବା ଶଦ୍ଦ ଶୁଣିଥିଲୋ ଘଟଣାବେଳେ ଭଞ୍ଜନଗର ଆଇଆଇସି ଓ ସ୍ଥାନୀୟ ଏସଡିପିଓ ଉପସ୍ଥିତି ଥିବା ନେଇ ସନ୍ଦେହ ବଢିଥିଲା । ଆଇଆଇସି ମୃତ୍ୟୁର ତଦନ୍ତ ଏଚଆରପିସି କରିଥିଲା । ଏଚଆରପିସି ଡିଏସପି ସାମୁଏଲ ପ୍ରଧାନ ତଦନ୍ତ କରିଥିଲେ । କିନ୍ତୁ ତଦନ୍ତ କଣ ହେଲା ତାହା କାହାକୁ ଜଣାନାହିଁ ।

ବଡଗଡ ଥାନା ହାଜତ ମୃତ୍ୟୁର ସତ କଣ? କୁଆଡେ ଗଲା ୪୮ ଘଂଟାରେ ଏଚଆରିପିସିର ରିପୋର୍ଟ? ଭୁବନେଶ୍ୱର ବଡଗଡ ଥାନା ହେପାଜତରେ ଥିବାବେଳେ ପ୍ରଦୀପ ସାହୁଙ୍କ ମୃତ୍ୟୁ କେମିତି ହେଲା ସେ ନେଇ ସସପେନ୍ସ ଜାରି ରହିଛି । ପ୍ରଶ୍ନ ଉଠୁଛି . ସୁସ୍ଥ ବ୍ୟକ୍ତି ଥାନାକୁ ଯିବା ପରେ କେମିତି ବନିଗଲେ ଶବ । ଆଉ ଏଚଆରପିସିର ତଦନ୍ତ ସରିବ କେବେ । ବଡଗଡ ହାଜତ ମୃତ୍ୟୁର ଅଭିଯୋଗ ଆସିବା ପରେ ଏହି ସମ୍ବେଦନଶୀଳ ଘଟଣାରେ ଏନଏଚଆରସିର ଗାଇଡଲାଇନ ଅନୁସାରେ ଘଟଣାର ତଦନ୍ତ ଆରମ୍ଭ ହୋଇଥିଲା । ତଦନ୍ତ ଆରମ୍ଭରୁ ଏଚଆରପିସିର ଅଫିସରଙ୍କୁ ଏହି ଦାୟିତ୍ୱ ଦିଆଯାଇଥିଲା । ବଡଗଡ ଥାନାର ତଦନ୍ତକାରୀ ଅଧିକାରୀଙ୍କୁ ବି ବଦଳାଇ ଦିଆଯାଇଥିଲା । ୪୮ ଘଂଟା ମଧ୍ୟରେ ଏନଏଚଆରସିକୁ ରିପୋର୍ଟ ପଠାଇବାକୁ ନିର୍ଦ୍ଦେଶ ଦିଆଯାଇଥିଲା । କିନ୍ତୁ ତଦନ୍ତର ଗତି ନେଇ ଏଚଆରପିସିର ଉତ୍ତର ହେଲା, ତଦନ୍ତ ଚାଲିଛି । ଏଠାରେ ପ୍ରଶ୍ନ ଉଠୁଛି

-ତଦନ୍ତ ରିପୋର୍ଟ କେବେ ଦେବ ଏଚଆରପିସି?
-ଜାଣିଶୁଣି ଏଚଆରପିସିର ତଦନ୍ତକୁ ବିଳମ୍ବ କରାଯାଉଛି କି?
- ମାମଲାକୁ ଦୁର୍ବଳ କରିବାକୁ ଉଦ୍ୟମ ହେଉଛି କି?