ବିଶ୍ୱସ୍ତରୀୟ ରେଳ ଷ୍ଟେସନ କେବେ? ସୁର ପଚାରିଲେ ପ୍ରଶ୍ନ, ରେଳ ବିଭାଗ ଆଡକୁ ଦୋଷ ଠେଲିଦେଲେ ମନ୍ତ୍ରୀ?

129

କନକ ବ୍ୟୁରୋ :  ଭୁବନେଶ୍ୱର ରେଳଷ୍ଟେସନ ଭାଙ୍ଗି ରୁଜି ଗଲାଣି, କେବଳ ଖଣ୍ଡିଆ ଟିଣ ଥୁଆ ହୋଇଛି । ବିଶ୍ୱସ୍ତରୀୟ ରେଳ ଷ୍ଟେସନର ସ୍ୱପ୍ନ ଦେଖାଇଲେ । ୩୦ ମାସ ଭିତରେ ସାରିବାକୁ କହିଥିଲେ, ୨୨ ମାସ ଗଲାଣି । ଆଉ କେବେ ହେବ ବିଶ୍ୱସ୍ତରୀୟ ରେଳଷ୍ଟେସନ? ଗୃହରେ ବିଧାୟକ ସୁରେଶ ରାଉତରାୟଙ୍କ ପ୍ରଶ୍ନର ଉତ୍ତର ରଖିଛନ୍ତି ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ।

ବିଭାଗୀୟ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି, ସ୍ମାର୍ଟସିଟି ମିଶନ ଅନ୍ତର୍ଗତ ଭୁବନେଶ୍ୱର ବିଶ୍ୱସ୍ତରୀୟ ରେଳ ଷ୍ଟେସନର ବିକାଶ କରାଯାଉଛି । ପ୍ଲାଟଫର୍ମ ନଂ ୧ ଓ ୬ ପାଖରେ ଖାଲିଥିବା ଜମି ଅଧିଗ୍ରହଣ ଆରମ୍ଭ ହୋଇଛି । ରେଳ ଷ୍ଟେସନକୁ ବିଶ୍ୱସ୍ତରୀୟ କରିବା ପାଇଁ ବାରମ୍ବାର ଦାବି କରିବା ସତ୍ତେ୍ୱ ବି ରେଳ ବିଭାଗ ପକ୍ଷରୁ କୌଣସି ଉତ୍ତର ମିଳିନାହିଁ । ତେଣୁ ରାଜ୍ୟ ସରକାର ନିଜସ୍ଵ ଅର୍ଥରେ ଷ୍ଟେସନର ବିକାଶ ପାଇଁ ନିଷ୍ପତ୍ତି ନେଇଛନ୍ତି । କୋଭିଡ ସ୍ଥିତି, ଜମି ଅଧିଗ୍ରହଣ, ରେଳ ବିଭାଗର କ୍ଲିଅରାନ୍ସ ପାଇଁ କାର୍ୟ୍ୟରେ ବିଳମ୍ବ ହୋଇଛି । ଷ୍ଟେସନ ନିକଟରେ ଏକ ୧୯ ମହଲା ବିଲ୍ଡିଂ ହେବ । ମଲ ଓ ମାର୍କେଟ କମ୍ପ୍ଲେକ୍ସ ଭଳି ଅତ୍ୟାଧୁନିକ ବ୍ୟବସ୍ଥା ରହିବ । ବିଲ୍ଡିଂ ନିର୍ମାଣ ପାଇଁ ବିମାନ ବନ୍ଦର କର୍ତ୍ତୃପକ୍ଷଙ୍କ କ୍ଲିଅରାନ୍ସ ଆବଶ୍ୟକ ଥିବା ବେଳେ ତାହା ମିଳି ସାରିଛି । ପ୍ଲାନ ଓ ଡିଜାଇନ ବି ଶେଷ ହୋଇଛି । ରେଳ ଷ୍ଟେସନର ପ୍ଲାଟଫର୍ମକୁ ରେଳ ବିଭାଗ ବିକାଶ କରିବ ଓ ପାରିପାର୍ଶ୍ବିକ ଭିତ୍ତିଭୂମିର ବିକାଶ କରିବେ ରାଜ୍ୟ ସରକାର । ଏନେଇ ଗୃହରେ କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟଙ୍କ ପ୍ରଶ୍ନର ଉତ୍ତର ରଖିଛନ୍ତି ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ।