କନକ ବ୍ୟୁରୋ : ଓମିକ୍ରନ ସଂକ୍ରମଣ ବଢ଼ୁଥିବା ବେଳେ ଏହାର ନିୟନ୍ତ୍ରଣ ପାଇଁ ବଡଦିନ ଓ ନୂଆବର୍ଷ ଉତ୍ସବ ପାଳନ ଉପରେ କଟକଣା ଲଗାଇଛନ୍ତି ସରକାର । ହେଲେ, ଗତକାଲି ଯେଉଁ କଟକଣା ଲଗାଯାଇଥିଲା, ଆଜି ତାକୁ ବଦଳାଇ ଦେଇଛନ୍ତି ଏସଆରସି । ଡିସେମ୍ବର ୨୫ରୁ ଜାନୁଆରୀ ୨ ପର୍ଯ୍ୟନ୍ତ କଟକଣା, ବଦଳରେ ଡିସେମ୍ବର ୨୫ ତାରିଖ ଓ ଡିସେମ୍ବର ୩୧ରୁ ଜାନୁଆରୀ ୨ ପର୍ଯ୍ୟନ୍ତ କଟକଣା ଲଗାଇବାକୁ ନୂଆ ଗାଇଡଲାଇନ ଜାରି କରିଛନ୍ତି । ବିଜେପି କହିଛି, ବିଜେଡିର ସମାବେଶ ୨୬ତାରିଖରେ ଥିବାରୁ, ଗାଇଡଲାଇନରେ ପରିବର୍ତ୍ତନ କରାଯାଇଛି ।

Advertisment

ଏସଆରସିଙ୍କ ପକ୍ଷରୁ ଜାରି କରାଯାଇଥିବା ୨ଟି ନିର୍ଦ୍ଦେଶାବଳୀ । ପ୍ରଥମ ନିର୍ଦ୍ଦେଶାବଳୀରେ କୁହାଯାଇଥିଲା ଡିସେମ୍ବର ୨୫ରୁ ଜାନୁଆରୀ ୨ ତାରିଖ ପର୍ଯ୍ୟନ୍ତ କଟକଣା ରହିବ । ଭିଡ଼ ନିୟନ୍ତ୍ରଣ ପାଇଁ ଭୋଜିଭାତ, ବଣଭୋଜି, ରାଲି ସାମାଜିକ ଓ ସାସ୍କୃତିକ ସମାବେଶ ଉପରେ କଟକଣା ଲଗାଯାଇଥିଲା । ହେଲେ ଏହାର କିଛି ଘଂଟା ପରେ ଏସଆରସି ନିର୍ଦ୍ଦେଶାବଳୀକୁ ପରିବର୍ତ୍ତନ କରି ଜାରି କରିଥିଲେ । ଏଥିରେ କୁହାଯାଇଛି ଡିସେମ୍ବର ୨୫ ତାରିଖ ଏବଂ ଡିସେମ୍ବର ୩୧ ତାରିଖରୁ ଜାନୁଆରୀ ୨ ତାରିଖ ଯାଏଁ ଏହି କଟକଣା ରହିବ । ଅର୍ଥାତ ନୂଆ ନିର୍ଦ୍ଦେଶାବଳୀରେ ୨୬, ୨୭, ୨୮, ୨୯ ଓ ୩୦ ତାରିଖକୁ କଟକଣାରୁ ବାଦ ଦିଆଯାଇଛି ।

୨୬ରେ ବିଜେଡିର ପ୍ରତିଷ୍ଠା ଦିବସ । ରାଜ୍ୟବ୍ୟାପି ଆୟୋଜିତ ହେବ ସମାବେଶ । ଉଠିଲା ପ୍ରଶ୍ନ, ସମାବେଶ ପାଇଁ ବଦଳିଲା କି ନିୟମ ? ଗାଇଡଲାଇନ ପରିବର୍ତନ ପରେ ସାଂଘାତିକ ଅଭିଯୋଗ ଆଣିଛି ବିଜେପି । ବିଜେପି କହିଛି, ବିଜେଡିର ଦଳୀୟ କାର୍ଯ୍ୟକ୍ରମ ପାଇଁ ଘୋଷଣାର କିଛି ସମୟ ମଧ୍ୟରେ ବଦଳିଯାଇଛି କୋଭିଡ କଟକଣା ତାରିଖ । ଡିସେମ୍ବର ୨୬ରେ ବିଜୁ ଜନତା ଦଳର ୨୫ତମ ପ୍ରତିଷ୍ଠା ଦିବସ । ଆଗକୁ ପଂଚାୟତ ଓ ପୌର ନିର୍ବାଚନ ଥିବାରୁ ରାଜ୍ୟର ସମସ୍ତ ୩୧୪ ବ୍ଲକ, ୧୧୧ ପୌରାଞ୍ଚଳ, ୪ଟି ମହାନଗର ନିଗମରେ ପ୍ରତିଷ୍ଠା ଦିବସକୁ ଧୂମଧାମରେ ପାଳନ କରିବାକୁ ବଡ଼ ଧରଣର ଆୟୋଜନ କରିଛି ବିଜେଡି ।

ସେପଟେ ସମାନ ଅଭିଯୋଗ କରିଛି କଂଗ୍ରେସ । ରବିବାର କଂଗ୍ରେସର ସେବାଦଳର କାର୍ଯ୍ୟକ୍ରମ ଥିଲେ ବି ଗାଇଡଲାଇନ ଯୋଗୁଁ କେମିତି ଅସୁବିଧାରେ ପଡିଛନ୍ତି ତାହା କହିଛନ୍ତି । ଆଉ ଜବାବ ରଖିଛି ବିଜେଡି । ଏସଆରସି ମାତ୍ର କିଛି ଘଣ୍ଟା ଭିତରେ ଗାଇଡଲାଇନ ପରିବର୍ତନ କରିବା ପରେ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । କାରଣ ୨୫ରେ ବଡଦିନ ଯୋଗୁଁ ଭିଡ ହେବାର ଆଶଙ୍କା କରି ଯେଉଁ ଗାଇଡଲାଇନ ଜାରି ହୋଇଥିଲା, ୨୬ରେ ରାଜନୈତିକ ଦଳର ବଡ ସମାବେଶ ହେବାକୁ ଥିବାବେଳେ କଟକଣା ହଟାଇ ଦେବାପରେ କରୋନା କେମିତି ନ ବ୍ୟାପିବ ସେ ନେଇ ଦ୍ୱନ୍ଦ୍ୱରେ ପଡିଛନ୍ତି ଜନତା ।