ହାତୀ ପୋଷ୍ଟମର୍ଟମ ରିପୋର୍ଟ ନେଇ ପ୍ରଶ୍ନ ଅନେକ, ହେଲେ ଉତ୍ତର କମ୍: ବିଶେଷଜ୍ଞ କହିଲେ, ଡାକ୍ତର କିଭଳି ଜାଣିଲେ ମାନସିକ ଆଘାତରେ ଯାଇଛି ଜୀବନ

103

କନକ ବ୍ୟୁରୋ: ମୁଣ୍ଡଳୀରେ ହୋଇଥିବା ହାତୀ ମୃତ୍ୟୁକୁ ନେଇ ବିବାଦ ତେଜିବାରେ ଲାଗିଛି । ହାତୀର ମୃତ୍ୟୁ କେଉଁ ପରିସ୍ଥିତିରେ ହେଲା ତାକୁ ନେଇ ପ୍ରଶ୍ନ ପରେ ପ୍ରଶ୍ନ ଉଠିଚାଲିଛି । ପୋଷ୍ଟମର୍ଟମ ରିପୋର୍ଟକୁ ନେଇ ବଢୁଛି ଅସନ୍ତୋଷ । ହାତୀ ମୃତ୍ୟୁ ନେଇ ବିଭାଗୀୟ ମନ୍ତ୍ରୀ ବି ଚୁପ । ପ୍ରଶ୍ନ ପଚାରିଲେ କ୍ୟାମେରା ଏଡାଇ ଚାଲିଯାଉଛନ୍ତି ମନ୍ତ୍ରୀ ।

ନନ୍ଦନକାନନରେ ଚାଲିଛି ବନ୍ୟପ୍ରାଣୀ ସପ୍ତାହ । ବନ୍ୟପ୍ରାଣୀଙ୍କ ସୁରକ୍ଷା ପାଇଁ ଲମ୍ବା ଲମ୍ବା ଭାଷଣ ଦେଉଛନ୍ତି ନେତା । ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବି ବନ୍ୟପ୍ରାଣୀଙ୍କ ସୁରକ୍ଷା ପାଇଁ ଅନେକ କଥା କହିଲେ । କିନ୍ତୁ ମୁଣ୍ଡଳୀରେ ହାତୀ ମୃତ୍ୟୁ ଏବଂ ବିବାଦୀୟ ପୋଷ୍ଟମର୍ଟମ ରିପୋର୍ଟ ସଂପର୍କରେ ପଚାରିବାରୁ, ଏହାକୁ ଆଡେଇ ଦେଇଛନ୍ତି ମନ୍ତ୍ରୀ ବିକ୍ରମ ଆରୁଖ ।

ପୋଷ୍ଟମର୍ଟମ ରିପୋର୍ଟ କହୁଛି ମାନସିକ ଆଘାତ ଯୋଗୁଁ ହାତୀର ମୃତ୍ୟୁ ହୋଇଛି । ହେଲେ ହାତୀ ପାଣିରେ ବୁଡି ମରିଥିବା ଅନେକ ବିଶେଷଜ୍ଞ ମତ ଦେଉଛନ୍ତି । ସତ ଘଟଣା ସାମ୍ନାକୁ ଆସିଗଲେ ଜଙ୍ଗଲ ବିଭାଗର ଅବହେଳା ସାମ୍ନାକୁ ଆସିବା ଭୟରେ ପୋଷ୍ଟମର୍ଟମ ରିପୋର୍ଟରେ ହେରଫେର କରାଯାଇଥବା ଅଭିଯୋଗ ହେଉଛି । ଏପଟେ ପିସିସିଏଫଙ୍କ କହିବା କଥା, ହାତୀର ମୃତ୍ୟୁ ନେଇ ତଦନ୍ତ ଶେଷ ହୋଇନି । ଏବେ ବି ଅନେକ ରିପୋର୍ଟ ଆସିବାକୁ ବାକି ରହିଛି । ଭୁବନେଶ୍ୱର ଓ ଅନୁଗୁଳ ଆରସିସିଏଫ ଦୁର୍ଘଟଣା ସ୍ଥଳକୁ ଯାଇ ତଦନ୍ତ କରୁଛନ୍ତି । ଜଳ ସଂପଦ ବିଭାଗ ସହ ବି ଆଲୋଚନା ଚାଲିଥିବା କହିଛନ୍ତି ପିସିସିଏଫ ।

ତେବେ ପ୍ରଶ୍ନ ଉଠୁଛି
ହାତୀ ମୃତ୍ୟୁ ନେଇ କାହିଁକି ମୁହଁ ଖୋଲୁନାହାନ୍ତି ମନ୍ତ୍ରୀ?
ବିଭାଗର ଅବହେଳା ଯୋଗୁଁ ହାତୀର ମୃତ୍ୟୁ ହୋଇନାହିଁ ତ?
ବ୍ୟବଚ୍ଛେଦ ରିପୋର୍ଟ ପ୍ରସ୍ତୁତରେ ହୋଇଛି କି ହେରଫେର?
ମୃତ୍ୟୁର କାରଣ ମାନସିକ ଆଘାତ ନା’ ଅନ୍ୟକିଛି?
ହାତୀର ମାନସିକ ସ୍ଥିତି ଜାଣିବା ପାଇଁ ହୋଇଥିଲା କି ସାଇକୋ-ଥେରାପି?
ହୃଦଘାତ ହୋଇଥିଲେ, ପୂର୍ବରୁ କିଛି ମେଡିକାଲ ରିପୋର୍ଟ ରହିଛି କି?
ଏସବୁ ପ୍ରଶ୍ନ ସମସ୍ତଙ୍କୁ ଆନ୍ଦୋଳିତ କରୁଛି । ଏହାର ଉତର ବନ ବିଭାଗ କିମ୍ବା ମନ୍ତ୍ରୀ ରଖିବେ କି?