ରାତିରେ ଭୁବନେଶ୍ୱରରେ ପହଁଚିବ ଖଲ୍ଲିକୋଟ ରାଣୀ ଭି. ସୁଜ୍ଞାନ କୁମାରୀ ଦେଓଙ୍କ ମରଶରୀର । ଆସନ୍ତାକାଲି ପୈତୃକ ଗାଁରେ ହେବ ଶେଷକୃତ୍ୟ

Advertisment
ରାତିରେ ଭୁବନେଶ୍ୱରରେ ପହଁଚିବ ଖଲ୍ଲିକୋଟ ରାଣୀ ଭି. ସୁଜ୍ଞାନ କୁମାରୀ ଦେଓଙ୍କ ମରଶରୀର । ଆସନ୍ତାକାଲି ପୈତୃକ ଗାଁରେ ହେବ ଶେଷକୃତ୍ୟ

କନକ ବ୍ୟୁରୋ : ପରଲୋକରେ ଖଲ୍ଲିକୋଟ ରାଣୀ ଭି. ସୁଜ୍ଞାନ କୁମାରୀ ଦେଓ । ଚେନ୍ନାଇର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ଘଟିଛି । ଆସନ୍ତାକାଲି ଖଲ୍ଲିକୋଟରେ ତାଙ୍କର ଅନ୍ତିମ ସଂସ୍କାର କରାଯିବ । ୬ ଦଶନ୍ଧୀର ରାଜନୈତିକ ଜୀବନରେ ସେ ୧୦ ଥର ବିଧାୟିକା ଭାବେ ନିର୍ବାଚିତ ହୋଇ ଓଡ଼ିଶା ରାଜନୀତିରେ ସ୍ୱତନ୍ତ୍ର ଛାପ ଛାଡି ଯାଇଛନ୍ତି । ପଦପଦବୀରେ ନରହି ଜନସେବାକୁ ସେ ନିଜ ଜୀବନର ବ୍ରତ କରିଥିଲେ । ତାଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରିଛନ୍ତି ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ ।

ବାରମ୍ବାର ମନ୍ତ୍ରୀପଦ ପ୍ରତ୍ୟାଖ୍ୟାନ କରି ରାଜନୈତିକ ଜୀବନରେ ଏଭଳି ଦାମ୍ଭିକତା କେବଳ ଜଣେ ରାଜନେତା ଦେଖାଇଛନ୍ତି, ସେ ହେଉଛନ୍ତି ଖଲିକୋଟର ରାଣୀ, ଦିବଙ୍ଗତ ନେତ୍ରୀ ଭି ସୁଜ୍ଞାନ କୁମାରୀ ଦେଓ । ପ୍ରଚଣ୍ଡ ସ୍ୱାଭିମାନୀ, ଏହି ବର୍ଷିୟାନ ନେତ୍ରୀ ଆଜି ଆମ ଗହଣରେ ନାହାନ୍ତି ସତ, ଓଡ଼ିଶା ରାଜନୀତିରେ ଗତ ୬୦ ବର୍ଷ ଧରି ଅତୁଟ ରହିଆସିଛି ତାଙ୍କର ପ୍ରଭାବ । ୮୭ ବର୍ଷ ବୟସରେ ଚେନ୍ନାଇର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଗତ ରାତିରେ ତାଙ୍କର ଦେହାନ୍ତ ହୋଇଛି । କିଛି ଦିନ ହେବ ଅସୁସ୍ଥ ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ଗତକାଲି ଚେନ୍ନାଇ ଯାଇ ହସପିଟାଲରେ ସୁଜ୍ଞାନ କୁମାରୀ ଦେଓଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପରେ ବିଳମ୍ବିତ ରାତିରେ ତାଙ୍କର ପରଲୋକ ଘଟିଥିଲା । ତାଙ୍କର ଦେହାନ୍ତ ଓଡ଼ିଶା ରାଜନୀତିରେ ଶୂନ୍ୟସ୍ଥାନ ସୃଷ୍ଟି କରିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋସିଆଲ୍ ମିଡିଆରେ ପୋଷ୍ଟ କରି କହିଛନ୍ତି ‘ଏହା ଏକ ଅପୂରଣୀୟ କ୍ଷତି । ବିଜେଡିର ବରିଷ୍ଠ ନେତା ଭାବେ ଦଳକୁ ସଂଗଠିତ କରିବାରେ ତାଙ୍କର ବଡ ଯୋଗଦାନ ରହିଛି । ୧୦ ଥର ବିଧାନସଭାକୁ ନିର୍ବାଚିତ ହୋଇ, ରାଜ୍ୟ ରାଜନୀତିରେ ଏକ ସ୍ୱତନ୍ତ୍ର ଛାପ ଛାଡି ଯାଇଛନ୍ତି ।’ ଦଳମତ ନିର୍ବିଶେଷରେ ଶୋକପ୍ରକାଶ କରିଛନ୍ତି ରାଜ୍ୟ ରାଜନୀତିର ତୁଙ୍ଗ ନେତା ।

ନିଜେ କେବେ ମନ୍ତ୍ରୀ ହୋଇନଥିଲେ, କିନ୍ତୁ ଅନେକଙ୍କୁ ମନ୍ତ୍ରୀ କରିବାରେ ଥିଲା ସୁଜ୍ଞାନ ଦେଓଙ୍କ ପ୍ରମୁଖ ଭୂମିକା । ଗଂଜାମ ରାଜନୀତିରେ ୬ ଦଶନ୍ଧୀ ଧରି ତାଙ୍କର ପ୍ରଭାବ ରହିଥିଲା । ଖଲ୍ଲିକୋଟ ରାଜନୀତିରେ ତାଙ୍କର ଅଖଣ୍ଡ ପ୍ରଭାବ ରହିଥିଲା । ଓଡ଼ିଶା ରାଜନୀତିରେ ସେ ଥିଲେ ସବୁଠୁ ସମ୍ମାନସ୍ପଦ ନେତ୍ରୀ । ମୁଖ୍ୟମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ସମସ୍ତେ ତାଙ୍କୁ ସମ୍ମାନ ଜଣାଉଥିଲେ । ଆନ୍ଧ୍ରପ୍ରଦେଶର ରାଜପରିବାରରେ ଜନ୍ମ । ରାଜା ଆର୍ଭିଏମ୍ ନୀଳାଦ୍ରି ରାଓଙ୍କ ଝିଅ ସୁଜ୍ଞାନ କୁମାରୀ ୧୯୫୪ ମସିହାରେ ଖଲ୍ଲିକୋଟ ଯୁବରାଜ ପୂର୍ଣ୍ଣଚନ୍ଦ୍ର ମର୍ଦ୍ଦରାଜ ଦେଓଙ୍କୁ ବିବାହ କରିଥିଲେ । ସେ ଥିଲେ ଉଚ୍ଚଶିକ୍ଷିତ, ଚେନ୍ନାଇରେ ସମାଜ ସେବାରେ ମାଷ୍ଟର ଡିଗ୍ରୀ ହାସଲ କରିଥିଲେ । ଓଡ଼ିଶାର ବୋହୂ ହେବା ପରେ ଓଡ଼ିଆ ସଂସ୍କୃତି, ପରମ୍ପରା ସହ ଏହି ମାଟିକୁ ଆଦରି ନେଇଥିଲେ । ଶ୍ୱଶୂରଙ୍କ ମୃତ୍ୟୁ ପରେ ରାଜନୀତିକୁ ଆସିଥିଲେ । ପଦପଦବୀର ମୋହ ନରଖି ସାରା ଜୀବନ ଜନସେବାରେ ଉତ୍ସର୍ଗ କରିଥିଲେ । ଖଲ୍ଲିକୋଟରୁ ୮ ଥର ଓ କବିସୂର୍ଯ୍ୟନଗରରୁ ୨ ଥର ବିଧାୟିକା ହୋଇଥିଲେ ଭି. ସୁଜ୍ଞାନ କୁମାରୀ ଦେଓ ।

ଭି. ସୁଜ୍ଞାନ କୁମାରୀ ଦେଓଙ୍କ ବିୟୋଗରେ ରାଜ୍ୟପାଳ ରଘୁବର ଦାସ, ଛତିଶଗଡ଼ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ବିରୋଧି ଦଳ ନେତା ଜୟନାରାୟଣ ମିଶ୍ରଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୋକ ପ୍ରକାଶ କରି ସୋସିଆଲ୍ ମିଡିଆରେ ଲେଖିଛନ୍ତି, ‘ଦୀର୍ଘ ସମୟ ଧରି ବିଧାୟିକା ଭାବେ ଓଡ଼ିଶାର ଜନମାନସରେ ସେ ସୁପରିଚିତ ଥିଲେ । ତାଙ୍କ ବିୟୋଗରେ ରାଜ୍ୟ ଜଣେ ସ୍ପଷ୍ଟବାଦୀ ନେତ୍ରୀଙ୍କୁ ହରାଇଛି । ତାଙ୍କର ଜନହିତକର କାର୍ଯ୍ୟ ଚିରସ୍ମରଣୀୟ ହୋଇ ରହିବ ।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe