ବ୍ରିଟେନରୁ ଓଡିଶା ଆସିଲେ ରହିବେ ସଙ୍ଗରୋଧରେ । ୧୪ ଦିନିଆ ସଙ୍ଗରୋଧରେ ରହିବା ବାଧ୍ୟତାମୂଳକ

172

କନକ ବ୍ୟୁରୋ : ବ୍ରିଟେନରୁ ଓଡିଶା ଆସିଲେ ଏଣିକି ରହିବେ ସଙ୍ଗରୋଧରେ । ୧୪ ଦିନିଆ ସଙ୍ଗରୋଧରେ ରହିବା ବାଧ୍ୟତାମୂଳକ । ନୂଆଷ୍ଟ୍ରେନର କରୋନା ଭାଇରସ ପାଇଁ ରାଜ୍ୟ ସରକାର ସତର୍କତା ଅବଲମ୍ବନ କରିଛନ୍ତି । ବ୍ରିଟେନରେ ଏହି ନୂଆ କରୋନା ଭାଇରସ ଚିହ୍ନଟ ହୋଇଛି । ପୂର୍ବ କରୋନା ଭାଇରସ ତୁଳନାରେ ଏହା ଅଧିକ ବ୍ୟାପୁଛି ।

ଅନ୍ୟ ପକ୍ଷରେ ଆଜି ଭାରତରେ ବ୍ରିଟେନର କରୋନା ପଜିଟିଭ୍ ଚିହ୍ନଟ ହୋଇଛି । ଦିଲ୍ଲୀ ବିମାନ ବନ୍ଦରରେ ଯାଂଚ ବେଳେ ଡାକ୍ତରୀ ପରୀକ୍ଷାରୁ ଚିହ୍ନଟ ହୋଇଛନ୍ତି ୫ ଜଣ ପଜିଟିଭ୍ । ଏହି ଆକ୍ରାନ୍ତଙ୍କ ମଧ୍ୟରେ ରହିଛନ୍ତି ଯାତ୍ରୀ ଓ କ୍ରୁ ମେମ୍ବର । ୨୬୬ ଜଣ ଯାତ୍ରୀ ବ୍ରିଟେନରୁ ଆସିଥିଲେ ।

ଏବେ ବ୍ରିଟେନରୁ ଆସୁଥିବା ଯାତ୍ରୀଙ୍କୁ ନେଇ ଚିନ୍ତା ବଢାଇ ଦେଇଛି । ସେପଟେ ୟୁକେରୁ ଆସୁଥିବା ଯାତ୍ରୀଙ୍କ ପାଇଁ ଏସଓପି ଜାରି କରିଛି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ । ଗତ ନଭେମ୍ୱର ୨୫ରୁ ୮ ଡିସେମ୍ୱର ମଧ୍ୟରେ ଆସିଥିବା ସମସ୍ତ ଯାତ୍ରୀଙ୍କୁ ଯୋଗାଯୋଗ କରାଯିବ । ସମସ୍ତେ ବ୍ୟକ୍ତିଗତ ଭାବେ ତତ୍ୱାବଧାନରେ ରହିବାକୁ କହିଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ । ବ୍ରିଟେନରେ କରୋନା ସଂକ୍ରମଣର ନୂଆ ରୂପ ଚିହ୍ନଟ ପରେ ଏବେ ଭାରତ ପାଇଁ ବି ଚିନ୍ତା ବଢିଛି ।

ଗତକାଲି ଭାରତ ସମେତ ଅନେକ ଦେଶ ବ୍ରିଟେନରୁ ବିମାନ ଚଳାଚଳ ବାତିଲ୍ କରିଛନ୍ତି । ଏହାରି ଭିତରେ ଏମ୍ସ ନିର୍ଦ୍ଦେଶକ ରଣଦୀପ ଗୁଲେରିୟା କହିଛନ୍ତି ବ୍ରିଟେନରେ ଦେଖା ଯାଉଥିବା କରୋନା ୭୦ ପ୍ରତିଶତ ବେଗରେ ବଢ଼ୁଛି, ହେଲେ ସେଠାରେ ସଂକ୍ରମିତ ହୋଇଥିବା ବ୍ୟକ୍ତି କେହି ଗୁରୁତର ହୋଇ ନାହାନ୍ତି । ହେଲେ ସଂକ୍ରମଣ ନେଇ ସତକର୍ତା ଅବଲମ୍ବନ କରିବା ଉଚିତ ।