କରୋନାର ଭୟଙ୍କର ରୂପ । ସଂଗରୋଧ କେନ୍ଦ୍ରରେ ଚାଲିଗଲା ୭୦୦ରୁ ଅଧିକ ଜୀବନ, ସଂକ୍ରମିତ ହେଲେ ୧୮ ହଜାରରୁ ଅଧିକ ଲୋକ । ଅଷ୍ଟ୍ରେଲିଆରୁ ଆସିଲା ସାଂଘାତିକ ଖବର ।

1,927

କନକ ବ୍ୟୁରୋ : ସାରା ବିଶ୍ୱରେ କରୋନା ମହାମାରୀ ଦିନକୁ ଦିନ କାୟା ମେଲାଉଥିବା ବେଳେ ଅନେକ ଦେଶ ଲକଡାଉନ୍, ସଟଡାଉନ୍ ଏବଂ ସଂଗରୋଧ ବ୍ୟବସ୍ଥାକୁ ଆପଣେଇଛନ୍ତି । କରୋନା ନିୟନ୍ତ୍ରଣ ପାଇଁ ବିଶ୍ୱରେ କେତେକ ଦେଶ ପ୍ରଂଶସିତ ହୋଇଥିବା ବେଳେ କରୋନା ନିୟନ୍ତ୍ରଣରେ ଅସଫଳ ହୋଇଥିବା କେତେକ ଦେଶ ସମାଲୋଚିତ ମଧ୍ୟ ହୋଇଛନ୍ତି । ଆଉ ଏହାରି ଭିତରେ ଅଷ୍ଟ୍ରେଲିଆରୁ ଆସିଛି ଏମିତି ଏକ ଖବର, ଯାହା ଶୁଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ ।

କରୋନା ଭାଇରସର ମୁକାବିଲା ପାଇଁ ଲୋକଙ୍କୁ ସଂଗରୋଧରେ ରହିବା ପାଇଁ ପରାମର୍ଶ ଦିଆଯାଉଛି । କିନ୍ତୁ ଅଷ୍ଟ୍ରେଲିଆରେ କରୋନା ମୁକାବିଲା ପାଇଁ ଲାଗୁ କରାଯାଇଥିବା ଏକ କ୍ୱାରେନଟିନ୍ ପ୍ରୋଗ୍ରାମ୍ ଭୟଙ୍କର ବିପର୍ଯ୍ୟୟରେ ପରିଣତ ହୋଇଛି । ଏପରିକି ଏହି ସଂଗରୋଧ ବ୍ୟବସ୍ଥା ପାଇଁ ୭୬୮ ଲୋକଙ୍କର ମୃତ୍ୟୁ ମଧ୍ୟ ହୋଇଛି । ଆଉ ସବୁଠାରୁ ବଡ କଥା ହେଉଛି ଏହି ସଂଗରୋଧ ବ୍ୟବସ୍ଥାରେ ତ୍ରୁଟି ଯୋଗୁଁ ୧୮ହଜାର ଲୋକ ସଂକ୍ରମିତ ମଧ୍ୟ ହୋଇଛନ୍ତି ।

ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁଯାୟୀ, ଅଭିଯୋଗ ହେଉଛି ଯେ, ଅଷ୍ଟ୍ରେଲିଆର ମେଲବର୍ଣ୍ଣ ସ୍ଥିତ ହୋଟେଲ ଗୁଡିକରେ ଆରମ୍ଭ ହୋଇଥିବା କ୍ୱାରେନଟିନ୍ କାର୍ଯ୍ୟକ୍ରମ ଏହାର ମୂଳ ଉଦ୍ଦେଶ୍ୟ ପୂରଣ କରିପାରିନାହିଁ । ଅଧିକ ଲୋକ ସଂକ୍ରମିତ ହେଉଥିବାରୁ ବିଭିନ୍ନ ହୋଟେଲ ଗୁଡିକରେ ଲୋକଙ୍କୁ ସଂଗରୋଧରେ ରଖାଯାଇଥିଲା । କିନ୍ତୁ ସଂକ୍ରମଣ କମିବା ପରିବର୍ତେ ବୃଦ୍ଧି ପାଇଥିବା ଦେଖିବାକୁ ମିଳିଛି ।

ତେବେ ସଂକ୍ରମଣ ବ୍ୟପିବାର ମୁଖ୍ୟ କାରଣ ଗୁଡିକ ହେଉଛି, ପ୍ରୋଟେକ୍ଟିଭ ଗିୟରର ସଠିକ୍ ଭାବରେ ଉପଯୋଗ କରାଯାଇନାହିଁ । ଦ୍ୱିତୀୟ ମୁଖ୍ୟ କାରଣ ହେଉଛି, କାମ କରୁଥିବ କର୍ମଚାରୀମାନଙ୍କୁ ସଠିକ୍ ଭାବେ ତାଲିମ୍ ଦିଆଯାଇନଥିଲା । ତୃତୀୟ ବଡ଼ କାରଣ ହେଉଛି, ସାମାଜିକ ଦୂରତା ନିୟମକୁ କେହି ପାଳନ କରିନଥିଲେ ।

ଦିନକୁ ଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢୁଥିବା ବେଳେ ଏହାର ମୁକାବିଲା ପାଇଁ ବିଭିନ୍ନ ଦେଶ ବିଭିନ୍ନ ପଦକ୍ଷେପ ନେଉଛନ୍ତି । ଲକଡାଉନ୍, ସଟଡାଉନ୍, ସଂଗରୋଧ ବ୍ୟବସ୍ଥା ଭଳି ଉପାୟକୁ ସମସ୍ତେ ଆପଣଉଛନ୍ତି । କିନ୍ତୁ ସଂଗରୋଧ ବ୍ୟବସ୍ଥାରେ ତ୍ରୁଟି ଯୋଗୁଁ ଅଷ୍ଟ୍ରେଲିଆରେ ୧୮ ହଜାରରୁ ଅଧିକ ଲୋକ ସଂକ୍ରମିତ ହେବା ଖବର ଏବେ ସମସ୍ତଙ୍କୁ ଚିନ୍ତାରେ ପକାଇଛି ।

ତେବେ କରୋନା ସହ ମୁକାବିଲା କରିବାକୁ ହେଲେ ଆମକୁ ସଚେତନ ରହିବାକୁ ପଡିବ । ଆବଶ୍ୟକ ନଥିଲେ ଘରୁ ବାହାରକୁ ବାହାରିବା ନାହିଁ । ସର୍ବଦା ମୁହଁରେ ମାସ୍କ ପିନ୍ଧିବା । ଆଉ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ପରସ୍ପର ଠାରୁ ସାମାଜିକ ଦୂରତା ବଜାୟ ରଖିବା । ବାହାରୁ ଘରକୁ ଫେରିଲେ ଆଗ ହାତକୁ ଭଲଭାବେ ଧୋଇବା, ହ୍ୟାଣ୍ଡ ସାନିଟାଇଜରର ବ୍ୟବହାର କରିବା । ସମସ୍ତେ ସଚେତନ ହେଲେ କରୋନା ମହାମାରୀ ସହ ମୁକାବିଲା କରାଯାଇପାରିବ । କିଛି ଏହିଭଳି ବିଶେଷ ଖବର ପାଇଁ ଦେଖୁଥାନ୍ତୁ କନକ ନ୍ୟୁଜ୍ ।