ଦିନିକିଆ ବିଶ୍ୱକପରେ ବଢିବ ରୋମାଞ୍ଚ । ଟାଇଟଲ ପାଇଁ ୧୦ ବଦଳରେ ମୈଦାନକୁ ଓହ୍ଲାଇବେ ୧୪ ଦଳ ।

465

କନକ ବ୍ୟୁରୋ : ଟି-୨୦ ବିଶ୍ୱକପ ଶେଷ ହୋଇଛି । କିନ୍ତୁ ଏହା ଭିତରେ ଦିନିକିଆ ବିଶ୍ୱକପକୁ ନେଇ ଆଇସିସି ବଡ ଘୋଷଣା କରିଛି । ତେବେ ୨୦୨୭ରେ ହେବାକୁ ଥିବା ଦିନିକିଆ ବିଶ୍ୱକପରେ ୧୦ଟି ଟିମ୍ ବଦଳରେ ୧୪ଟିମ ଟାଇଟଲ ପାଇଁ ମୈଦାନକୁ ଓହ୍ଲାଇବେ । ତେବେ ୨୦୨୩ରେ ଭାରତରେ ହେବାକୁ ଥିବା ଦିନିକିଆ ବିଶ୍ୱକପରେ ୧୦ଟି ଦଳ ହିଁ ଭାଗ ନେବେ । କିନ୍ତୁ ୨୦୨୭ରେ ହେବାକୁ ଥିବା ବିଶ୍ୱକପରେ ୧୦ଟି ଟିମ୍ ରାକିଙ୍ଗ ଆଧାରରେ ସିଧାସଳଖ ବିଶ୍ୱକପ ମ୍ୟାଚ୍ ପାଇଁ ଟିକେଟ ହାତେଇବେ । ଅନ୍ୟ ୪ଟି ଦଳ କ୍ୱାଲିଫାୟର ମ୍ୟାଚ୍ ଆଧାରରେ ଟୁର୍ଣ୍ଣାମେଣ୍ଟରେ ଟିକେଟ ହାତେଇବେ । କ୍ରିକେଟ ଖେଳୁଥିବା ଛୋଟ ଦେଶ ଗୁଡିକୁ ଏହି ଟୁର୍ଣ୍ଣାମେଣ୍ଟରେ ଯୋଡିବାକୁ ଆଇସିସି ଏଭଳି ପଦକ୍ଷେପ ନେଇଛି ।

୨୦୨୭ରେ ହେବାକୁ ଥିବା ଦିନିକିଆ ବିଶ୍ୱକପରେ କିଛି ପରିବର୍ତ୍ତନ ପାଇଁ ଦିଆଯାଇଥିବା ପ୍ରସ୍ତାବକୁ ଗ୍ରୀନ୍ ସିଗନାଲ ଦେଇଛି ଆଇସିସି । ଏହାଛଡା ୨୦୨୩ ବିଶ୍ୱକପ୍ ପାଇଁ ଆଇସିସି ୧୩ ଟିମ୍ ମଧ୍ୟରେ ସୁପର ଲିଗ୍ ଆରମ୍ଭ କରିବାକୁ ଯାଉଛି । ଏଥିରେ ୧୨ଟି ପୂର୍ଣ୍ଣ ସଦସ୍ୟ ଥିବା ଟିମ୍ ସହ ନେଦରଲାଣ୍ଡକୁ ସୁଯୋଗ ଦିଆଯାଇଛି । ଯେଉଁଥିରେ ପ୍ରତ୍ୟେକ ଦଳ ୮ଟି ଲେଖାଏଁ ସିରିଜ ଖେଳିବେ । ହୋମଗ୍ରାଉଣ୍ଡରେ ୪ଟି ଓ ବିଦେଶ ମାଟିରେ ୪ଟି ଲେଖାଏଁ ସିରିଜ ଖେଳିବେ । କିନ୍ତୁ ୨୦୨୭ ବିଶ୍ୱକପରେ ଟିମ ସଂଖ୍ୟା ବୃଦ୍ଧି ସହ ଏହି ନିୟମକୁ ଉଠାଇ ଦେଇଛି ଆଇସିସି । ୨୦୨୭ ବିଶ୍ୱକପର ଆୟୋଜନ ଜିମ୍ବାୱେ, ନାମିବିଆ ଓ ଦକ୍ଷିଣ ଆଫ୍ରିକା ମିଳିତ ଭାବେ କରିବେ । ମଙ୍ଗଳବାର ଆଇସିସି ୨୦୨୪ରୁ ୨୦୩୧ ମଧ୍ୟରେ ହେବାକୁ ଥିବା ଆଇସିସି ଟୁର୍ଣ୍ଣାମେଣ୍ଟର କାର୍ଯ୍ୟସୂଚୀ ଜାରି କରିଥିଲା । ଯେଉଁଥିରେ ଭାରତକୁ ୩ଟି ବଡ ଟୁର୍ଣ୍ଣାମେଣ୍ଟ ଆୟୋଜନ ପାଇଁ ଗ୍ରୀନ୍ ସିଗନାଲ ମିଳିଛି । ୨୦୨୬ ଟି-୨୦ ବିଶ୍ୱକପ ସହ ୨୦୨୯ ଚାମ୍ପିୟନ୍ସ ଟ୍ରଫି ଓ ୨୦୩୧ ବିଶ୍ୱକପ ଆୟୋଜନର ଭାର ଭାରତ ଉପରେ ନ୍ୟସ୍ତ କରିଛି ଆଇସିସି ।