ଆସନ୍ତାକାଲି ଠାରୁ ଡିଜିଟାଲ ମାଧ୍ୟମରେ ଆରମ୍ଭ ହେବ କ୍ୱାଡ୍ ବୈଠକ । ଆମେରିକା, ଭାରତ, ଜାପାନ-ଅଷ୍ଟ୍ରେଲିଆ କଣ ନେବେ ନିଷ୍ପତ୍ତି ?

99

କନକ ବ୍ୟୁରୋ: ଆମେରିକା ଭାରତ, ଜାପାନ ଓ ଅଷ୍ଟ୍ରେଲିଆ ମଧ୍ୟରେ ଆସନ୍ତାକାଲି ବସିବ କ୍ୱାଡ୍ ବୈଠକ । ତେବେ ଏହି ବୈଠକ ଆଗରୁ ଚିନ୍ତାରେ ପଡିଗଲାଣି ବେଜିଂ । କ୍ୱାଡ୍ ବୈଠକ ଆଗରୁ ଚୀନ୍ ଆରମ୍ଭ କଲାଣି ଶାନ୍ତି ପାଠ । ତେବେ ହଠାତ୍ ବିସ୍ତାରବାଦୀ ଚୀନ୍ , କାହିଁକି କରୁଛି ଏପରି ଶାନ୍ତି ପାଠ ଏହାକୁ ନେଇ ଚର୍ଚା ଆରମ୍ଭ ହୋଇଛି ।

ଗତ ବୁଧବାର ବେଜିଂ କହିଛି, ଆଶା କରୁଛୁ, ଚାରି ଦେଶ ଏପରି କିଛି ନିଷ୍ପତି ନେବେ, ଯାହା ଆଂଚଳିକ ଶାନ୍ତି ପ୍ରତିଷ୍ଠା ଦିଗରେ ହିତକର କାମ କରିବ । କ୍ୱାଡ ବୈଠକରେ ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ, ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ୍ ମାରିସନ୍ ଏବଂ ଜାପାନ ପ୍ରଧାନମନ୍ତ୍ରୀ ୟୋଶିହିଦେ ସୁଗା ଡିଜିଟାଲ ମାଧ୍ୟମରେ ଯୋଡି ହେବେ । କ୍ୱାଡ୍ ବୈଠକରେ ଚାରି ଦେଶର ଶୀର୍ଷ ନେତାଙ୍କର ଏହା ପ୍ରଥମ ସମ୍ମିଳନୀ । ଚୀନ୍ ର ବିସ୍ତାରବାଦୀ ନୀତିକୁ ମୁକାବିଲା କରିବାକୁ ଏହାକୁ ଗଠନ କରାଯାଇଛି । ଚୀନ୍ ଗଣମାଧ୍ୟମରେ କ୍ୱାଡକୁ ଚୀନର ବିକାଶର ବାଧକ ଭାବେ ଦର୍ଶା ଯାଇଥାଏ । ବର୍ତମାନ ଲଦାଖରେ ଭାରତ-ଚୀନ୍ ମଧ୍ୟରେ ସୀମା ବିବାଦକୁ ନେଇ ସ୍ଥିତି ଅଶାନ୍ତ ଅଛି । ଦକ୍ଷିଣ ଚୀନ୍ ମହାସାଗରରେ ଚୀନ୍-ଆମେରିକା-ଜାପାନ- ଅଷ୍ଟ୍ରେଲିଆ ମଧ୍ୟରେ ସଂପର୍କ ମଧ୍ୟ ଶାନ୍ତ ନୁହଁ ।

୨୦୦୭ ମସିହାରେ ବସିଥିଲା କ୍ୱାଡ ବୈଠକ । ସେତେବେଳେ ଚୀନର ବିଦେଶ ନୀତିକୁ ନେଇ ନିଆଯାଇଥିବା ଭିଟୋ ନିଷ୍ପତିକୁ ଏଥିରେ ଖାରଜ କରାଯିବା ନେଇ ଚର୍ଚା ହେଉଛି । ବର୍ତମାନ ଭାରତକୁ କୌଣସି ଦେଶ ବିଶ୍ୱସ୍ତରରେ ଆଉ ଅଣଦେଖା କରିପାରିବ ନାହିଁ । ଲଦାଖ ସମସ୍ୟା ସମୟରେ ଭାରତ ଜାତୀୟ ସୁରକ୍ଷାକୁ ନେଇ ଯେପରି ମୁକାବିଲା କଲା ଚୀନ୍ ତାହା ଦେଖିପାରିଛି । ଏବେ ଆମେରିକା ମଧ୍ୟ ତାହାର ସମଭାବାପନ୍ନ ରାଷ୍ଟ୍ର ସହିତ ସଂପର୍କ ମଜବୁତ୍ ରଖିବାକୁ ଚାହୁଁଛି । ଏପରି ସମୟରେ କ୍ୱାଡ୍ ବୈଠକ ଆମେରିକା ଦିଗରୁ ଗୁରୁତ୍ୱପୂର୍ଣ୍ଣ । ଚୀନର ବିସ୍ତାରବାଦୀ ନୀତି ଆଗରେ ଆମେରିକାର ଦକ୍ଷିଣ ଏସୀୟ ନୀତି ଅକାମୀ ହେଲାଭଳି ଲାଗୁଛି । ଏପରି ସମୟରେ କ୍ୱାଡ ବୈଠକରେ ଚାରି ଦେଶ କେଉଁ ନିଷ୍ପତି ନେଉଛନ୍ତି ତାହା ଉପରେ ଚୀନ୍ ସହିତ ସାରା ବିଶ୍ୱର ନଜର ରହିଛି । ବିଶେଷ କରି ୨୦୦୭ରେ ଚୀନ୍ ର ନିଷ୍ପତିକୁ ଏଥିରେ ଖାରଜ କରାଯିବ ବୋଲି କୁହାଯାଉଛି ।