ମହାଦେବ ମନ୍ଦିରରେ କେକ୍ କାଟିବା ପଡିଲା ମହଙ୍ଗା ! ମହିଳାଙ୍କ ବିରୋଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ । 

56

ଉଜ୍ଜେନର ପ୍ରସିଦ୍ଧ ମହାକାଳ ମନ୍ଦିର ଭାରତର ପ୍ରମୁଖ ମହାଦେବ ମନ୍ଦିରରୁ ଗୋଟିଏ । ଭକ୍ତଙ୍କ ଆସ୍ତା ଏବଂ ଶ୍ରଦ୍ଧାର ପ୍ରତିମା ହେଉଛନ୍ତି ଉଜ୍ଜେନର ମହାଦେବ । ଆଉ ଏହି ମହାକାଳ ମନ୍ଦିରକୁ ନିଜ ବିବାହ ବାଷିର୍କୀ ଅବସରରେ ନିଜ ବାନ୍ଧବୀଙ୍କ ସହିତ ଯାଇ କେକ୍ କାଟିଥିବା ଜଣେ ମହିଳା ଏବେ ଫସି ଯାଇଛନ୍ତି। ମନ୍ଦିରର ଶାନ୍ତି ଓ ପବିତ୍ରତା ନଷ୍ଟ କରାଯାଇଥିବା ଅଭିଯୋଗ ଆସିଛି ଦୁଇ ମହିଳାଙ୍କ ବିରୋଧରେ। ଉଭୟ ଆସନ୍ତା ୨୫ ତାରିଖରେ ମନ୍ଦିର ପରିଚାଳନା ଦାୟିତ୍ୱରେ ଥିବା ଅତିରିକ୍ତ ଜିଲ୍ଲାପାଳଙ୍କ କୋର୍ଟରେ ହାଜର ହେବା ସହିତ ଏଥିପାଇଁ ୧ ଲକ୍ଷ ଟଙ୍କାର ବଣ୍ଡ ଜିଲ୍ଲା ପ୍ରଶାସନ ନିକଟରେ ଦାଖଲ କରିବାକୁ ମହିଳାଦ୍ୱୟଙ୍କୁ ନିର୍ଦ୍ଦେଶ ଦିଆଯାଇଛି।ସୂଚନାଯୋଗ୍ୟ ଯେ ଉଜ୍ଜେନର ମହାକାଳ ମନ୍ଦିରର ପରିଚାଳନା ଦାୟିତ୍ୱ ଜିଲ୍ଲା ପ୍ରଶାସନର। ତେବେ ଗତ ୭ ତାରିଖ ଦିନ ଉଜ୍ଜେନ ସହରର ନନ୍ଦିନୀ ଜୋଷୀ ଓ ସାଧନା ଉପାଧ୍ୟାୟ ମହାକାଳ ମନ୍ଦିରକୁ ଯାଇଥିଲେ। ସେଦିନ ସାଧନାଙ୍କ ବିବାହ ବାର୍ଷିକୀ ଥିଲା। ତେଣୁ ସେମାନେ ସାଙ୍ଗରେ ନେଇଥିବା ଏକ କେକକୁ ମନ୍ଦିରର ଗର୍ଭଗୃହ ନିକଟରେ ଥିବା ନନ୍ଦିଗୃହରେ କାଟିଥିଲେ। ଏହି ଖବର ଗଣମାଧ୍ୟମ ଜରିଆରେ ପ୍ରଚାର ହେବା ପରେ ମହିଳାଦ୍ୱୟଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ନେବା ପାଇଁ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେଇ ମହିଳା ଦ୍ୱୟଙ୍କୁ ନୋଟିସ ଜାରି କରିଛି। କେବଳ ସେତିକି ନୁହେଁ, ମହିଳାଦ୍ୱୟ ଯେତେବେଳେ କେକ୍ କାଟିବାକୁ ଉଦ୍ୟମ କରୁଥିଲେ ସେଠାରେ ମୂତୟନ ଥିବା ହୋମଗାର୍ଡ଼ ମୀନା ପ୍ରଜାପତି ସେମାନଙ୍କୁ ବାଧା ନ ଦେଇ ସହଯୋଗ କରିଥିବାରୁ ତାଙ୍କ ବିରୋଧରେ ବିଭାଗୀୟ ଶୃଙ୍ଖଳାଗତ କାର୍ୟ୍ୟାନୁଷ୍ଠାନ ପାଇଁ ମଧ୍ୟ ଜିଲ୍ଲା ହୋମଗାର୍ଡ କମାଣ୍ଡାଣ୍ଟଙ୍କୁ ଜିଲ୍ଲା ପ୍ରଶାସନ ଚିଠି ଲେଖିଛି।

କେବଳ ସେତିକି ନୁହେଁ ୧ ମାସ ପାଇଁ ମହିଳାଙ୍କୁ ମନ୍ଦିର ପ୍ରବେଶ ଉପରେ ମଧ୍ୟ ଅଙ୍କୁଶ ଲଗାଇଛି ଜିଲ୍ଲା ପ୍ରଶାସନ। ତେବେ ଏ ନେଇ ନନ୍ଦିନୀ ଜୋଷୀ କହିଛନ୍ତି ଯେ କେଉଁ ବହି ଓ କେଉଁ ଆଇନରେ ଲେଖା ହୋଇଛି ଯେ ମନ୍ଦିର ପରିସରରେ କେକ୍ କାଟିବା ଉପରେ ରୋକ ଲଗାଇଛି ତାହା ସେ ଜାଣିବା ଆବଶ୍ୟକ। ମନ୍ଦିରରେ କେକ୍ ନ କାଟିବା ପାଇଁ କେଉଁଠାରେ ଲେଖାଯାଇ ନାହିଁ। ସେହିପରି ୧ ଲକ୍ଷ ଟଙ୍କାର ବଣ୍ଡ ଜିଲ୍ଲା ପ୍ରଶାସନ ପାଖରେ ଦାଖଲ କରିବା କଥା ବିଲକୁଲ ଗ୍ରହଣୀୟ ନୁହେଁ ବୋଲି ନନ୍ଦିନୀ ଜୋଷୀ କହିଛନ୍ତି।ତେବେ ସେମାନେ ଜିଲ୍ଲା ପ୍ରଶାସନର ନୋଟିସର ଉତ୍ତର ଦେବେ ବୋଲି ନନ୍ଦିନୀ କହିଛନ୍ତି।