କନକ ବ୍ୟୁରୋ: ଦେଶରେ କରୋନା ସଙ୍କଟ ବଢିଚାଲିଥିବା ବେଳେ ସତ୍ୟ ନଗରକୁ ନେଇ ସାରା ରାଜ୍ୟରେ ଦ୍ୱନ୍ଦ ଦେଖାଦେଇଛି । ହଠାତ୍ କାହିଁକି ସତ୍ୟନଗରକୁ ସିଲ୍ କରାଗଲା ତାହା ସ୍ପଷ୍ଟ ହେଉ ନଥିବାବେଳେ ପରେ ଜଣା ପଡିଲା ଯେ, ସତ୍ୟନଗରରେ ୪ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ହଠାତ୍ ସତ୍ୟନଗରରେ କରୋନା ଆକ୍ରାନ୍ତ ଖବର ଅନେକଙ୍କୁ ଦ୍ୱନ୍ଦରେ ପକାଇ ଦେଇଥିଲା ।
ବୁଧବାର ସକାଳେ ହଠାତ୍ ଯେତେବେଳେ ଭୁବନେଶ୍ୱରର ସତ୍ୟନଗର ଅଂଚଳ ସିଲ୍ ହେବା ଆରମ୍ଭ ହେଲା ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ । ପ୍୍ରଶ୍ନ ଉଠିଲା, ଏହି ଅଂଚଳରେ ବି କେହି କରୋନା ଆକ୍ରାନ୍ତ ଚିହ୍ନଟ ହେଲେ କି । ଏଭଳି ପ୍ରଶ୍ନ ଉଠିବା ବି ସ୍ୱାଭାବିକ । କାରଣ, ଯେଉଁଠି କରୋନା ଆକ୍ରାନ୍ତ ଚିହ୍ନଟ ହୁଅନ୍ତି ,ସେହି ଅଂଚଳକୁ ସିଲ୍ କରୁଛନ୍ତି ସରକାର । ଆଉ ପୁରା ଅଂଚଳକୁ ସାନିଟାଇଜ ବି କରାଗଲା । କିନ୍ତୁ, ସତ୍ୟନଗର ଅଂଚଳରେ କେହି ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ବୋଲି ସରକାର ପୂର୍ବରୁ କହିନଥିଲେ ।
ସ୍ୱାସ୍ଥ୍ୟ ବିଭାଗ ଭୁବନେଶ୍ୱରର ଏହି କରୋନା ମ୍ୟାପ୍ ଜାରି କରିବା ପରେ ଏଭଳି ଚିତ୍ର ସାମ୍ନାକୁ ଆସିଲା । କିନ୍ତୁ କାହିଁକି ପୂର୍ବରୁ ଏହାକୁ ଲୁଚାଯାଇଥିଲା, ତାହା ବୁଝାପଡିଲା ନାହିଁ । କାରଣ ମ୍ୟାପରେ ଯେଉଁ ସୂଚନା ଦିଆଯାଇଛି ତାହାକୁ ଦ୍ବନ୍ଦ୍ବକୁ ଅଧିକ ବଢାଇ ଦେଇଛି। ମ୍ୟାପରେ ଭୁବନେଶ୍ବରରେ ୩୪ଟି ପଜିଟିଭ୍ ବୋଲି ଲେଖାଯାଇଥିଲେ ବି ନାଲି ବିନ୍ଦୁ ଦିଆଯାଇଛି ୩୨ଟି। ବମିଖାଲ ଅଞ୍ଚଳରୁ ୧୨ ଜଣ, ସତ୍ୟନଗର ୪, ସହିଦନଗର ୧, ବଡ଼ଗଡ଼ ଗାଁ ୧, ୟୁନିଟ-୪ରେ ୧, ୟୁନିଟ୍-୫ରେ ୧, ସୂର୍ଯ୍ୟନଗର ୮, କପିଳପ୍ରସାଦ ୧, ଜିମ୍ଖାନା ପାମ ହାଇଟ୍ସ ୧ ଓ ବିଜେବିନଗର ୧ ପଜିଟିଭ୍ ବୋଲି ନାଲି ବିନ୍ଦୁରେ ଚିହ୍ନଟ କରାଯାଇଛି। ବାସ୍ତବରେ ସଂଖ୍ୟା ୩୨ ନା ୩୪, ତାହାକୁ ନେଇ ଦ୍ବନ୍ଦ୍ବ ସୃଷ୍ଟି ହୋଇଥିଲା। ସନ୍ଧ୍ୟାରେ ବିଏମସି କମିସନର୍ ଡାକିଥିବା ସାମ୍ବାଦିକ ସମ୍ମିଳନୀରେ ବମିଖାଲରେ ୧୪ଟି ପଜିଟିଭ୍ ବୋଲି କହିଥିଲେ। ତେଣୁ ସ୍ବାସ୍ଥ୍ୟ ବିଭାଗ ମ୍ୟାପ୍ରେ ବମିଖାଲରେ ୧୨ଟି ବିନ୍ଦୁ ଦିଆଯିବା ଭୁଲ୍ ଓ ବାସ୍ତବରେ ସେହି ସଂଖ୍ୟା ୧୪ ବୋଲି ସ୍ପଷ୍ଟ ହୋଇଥିଲା। କିନ୍ତୁ ଆହୁରି ଏକାଧିକ ଦ୍ବନ୍ଦ୍ବକୁ ସ୍ବାସ୍ଥ୍ୟ ବିଭାଗ କିମ୍ବା ବିଏମସି କେହି ଦୂର କରି ନ ଥିଲେ।
ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ପୂର୍ବରୁ ହୋଇଥିବା ଟ୍ବିଟ୍ରେ ସତ୍ୟନଗର, ୟୁନିଟ୍-୫ ଓ ବିଜେବି ନଗର କଥା କିଛି କୁହାଯାଇ ନ ଥିଲା। ତେଣୁ ଏହି ଅଞ୍ଚଳର ବ୍ୟକ୍ତିମାନେ କେବେ ଚିହ୍ନଟ ହେଲେ ଓ ସେମାନଙ୍କ ଯାତ୍ରା ଇତିହାସ କ’ଣ ସେ ସଂପର୍କରେ ରାଜ୍ୟ ସରକାରଙ୍କ ପକ୍ଷରୁ କିଛି କୁହାଯାଉ ନାହିଁ। ସତ୍ୟନଗର ଅଞ୍ଚଳରେ ୪ଜଣ କରୋନା ସଂକ୍ରମିତ କେବେ ଚିହ୍ନଟ ହେଲେ ସେ ସଂପର୍କରେ ସ୍ଥାନୀୟ ଲୋକଙ୍କୁ ସଂପୂର୍ଣ୍ଣ ଅନ୍ଧାରରେ ରଖାଗଲା। ଗୋଟିଏ ଅଞ୍ଚଳରୁ ଏକାଧିକ କରୋନା ସଂକ୍ରମିତ ଚିହ୍ନଟ ହେଲେ ବିଏମ୍ସି ଏହି ଅଞ୍ଚଳକୁ ସଙ୍ଗେ ସଙ୍ଗେ କଣ୍ଟେନମେଣ୍ଟ ଜୋନ୍ ବା ସଂକ୍ରମଣ ଅବରୋଧ ଅଞ୍ଚଳ ଭାବେ ଘୋଷଣା କରୁଥିବା ବେଳେ ସତ୍ୟନଗରରେ କାହିଁକି ବିଳମ୍ବରେ ସିଲ୍ କରାଗଲା ତାହାକୁ ନେଇ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସତ୍ୟନଗରକୁ କାହିଁକି ସିଲ୍ କରାଯାଉଛି ବୋଲି ବିଭିନ୍ନ ମହଲରେ ସମାଲୋଚନା ହେଲା ପରେ ସ୍ବାସ୍ଥ୍ୟ ବିଭାଗ ମଧ୍ୟାହ୍ନରେ ଟ୍ବିଟ୍ କଲା ଯେ ସତ୍ୟନଗରରେ ୪ଟି ପଜିଟିଭ୍ ବାହାରିଛି ଓ ସେଥିରୁ ୩ଟି ବମିଖାଲ୍ ଲିଙ୍କ୍। ଏ କଥା ତିନି ଦିନ ଧରି ଲୁଚାଇବାର କ’ଣ ଆବଶ୍ୟକତା ଥିଲା? ଯଦି ଅଧିକାଂଶ ଅଞ୍ଚଳ ବିଷୟରେ ସ୍ବାସ୍ଥ୍ୟ ବିଭାଗ ଟ୍ବିଟ୍ କରୁଛି, ସତ୍ୟନଗର କ୍ଷେତ୍ରରେ ଅସୁବିଧା କେଉଁଠି ରହିଲା ? ଯଦି ସତ୍ୟନଗରରୁ ୩ଟି ପଜିଟିଭ୍ ବ୍ୟକ୍ତିଙ୍କର ବମିଖାଲ ସହ ସମ୍ପର୍କ ଅଛି, ତେବେ ଆଉ ଜଣେ ବ୍ୟକ୍ତି କିଏ ? ତାଙ୍କର ଯାତ୍ରା ଇତିହାସକୁ ସରକାର କାହିଁକି ସ୍ପଷ୍ଟ କରୁ ନାହାନ୍ତି?
ସେହିପରି ସତ୍ୟନଗର ଅଂଚଳର ତୋଷାଳି ପ୍ଲାଜା ନିକଟରେ ଥିବା ଓମଫେଡ୍ ଦୋକାନକୁ ସଂପୃକ୍ତ ଆକ୍ରାନ୍ତ ବାରମ୍ବାର ଯାଇଥିବାରୁ ସଂକ୍ରମଣ ଆଶଙ୍କା କରାଯାଇଛି । ତେଣୁ ଗତ ୧୪ ଦିନ ଭିତରେ ସେହି ଦୋକାନକୁ ଯାଇଥିବା ସମସ୍ତ ଲୋକଙ୍କୁ ହୋମ୍ କ୍ୱାରେନଟାଇନରେ ରହିବାକୁ ବିଏମସି ଅନୁରୋଧ କରିଛି । ଏବଂ କୋଭିଡ୍-୧୯ ଲକ୍ଷଣ ଦେଖାଗଲେ ୧୦୪ ନମ୍ବରକୁ କଲ୍ କରି ଜଣାଇବାକୁ ଅନୁରୋଧ କରାଯାଇଛି ।
ଓଡିଶାରେ କରୋନାର ହଟସ୍ପଟ୍ ପାଲଟିିଥିବା ରାଜଧାନୀ ଭୁବନେଶ୍ୱରରେ କେତେଜଣ ଆକ୍ରାନ୍ତ ରହିଛନ୍ତି ଏବଂ କେଉଁଠି ଚିହ୍ନଟ ହୋଇଛନ୍ତି ସେନେଇ ସୂଚନା ଦେଇଛି ସ୍ୱାସ୍ଥ୍ୟ ବିଭାଗ । ଭୁବନେଶ୍ୱର ମ୍ୟୁନିସିପାଲିଟିର ମାନଚିତ୍ରରେ ସଂପୃକ୍ତ ସ୍ଥାନ ଓ ଆକ୍ରାନ୍ତଙ୍କ ସଂଖ୍ୟା ଦର୍ଶାଇ ସ୍ୱାସ୍ଥ୍ୟ ବିଭାଗ କହିଛି, ସତ୍ୟନଗର ଅଂଚଳରେ ୪ ଜଣ କରୋନା ଆକ୍ରାନ୍ତ ରହିଛନ୍ତି । ସେହିପରି ସହିଦ ନଗରରେ ଚିହ୍ନଟ ହୋଇଛନ୍ତି ଜଣେ କରୋନା ଆକ୍ରାନ୍ତ । ରାଜଧାନୀର ବମିଖାଲ ଅଂଚଳରେ ସର୍ବାଧିକ ୧୪ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ତା ପଛକୁ ରହିଛି ସୂର୍ଯ୍ୟନଗର ଅଂଚଳ । ସେଠାରେ ୮ଜଣ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି । ସେହିପରି ଝାରପଡା ଅଂଚଳରେ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଗତ ୬ ତାରିଖରେ ତାଙ୍କର ମୃତ୍ୟୁ ହୋଇଛି । ସେହିପରି ରାଜଧାନୀର ବିଜେବି ନଗର, ବଡଗଡ, ୟୁନିଟ୍-୪, ୟୁନିଟ୍-୫, କପିଳ ପ୍ରସାଦ ଏବଂ ଜିମଖାନା ପାମ ହାଇଟ୍ସରେ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/04/vlcsnap-2020-04-09-08h34m59s650.png)
/kanak/media/post_attachments/wp-content/uploads/2020/04/SATYANAGAR-SEAL.jpg)
/kanak/media/post_attachments/wp-content/uploads/2020/04/EVEg2xdUUAEZHgL.jpg)
/kanak/media/post_attachments/wp-content/uploads/2020/04/vlcsnap-2020-04-09-08h34m53s385.png)
/kanak/media/post_attachments/wp-content/uploads/2020/04/EVE8pkxUMAgiCU0.jpg)
/kanak/media/post_attachments/wp-content/uploads/2020/04/vlcsnap-2020-04-09-08h36m56s711.png)