୫ ଲକ୍ଷ ଦେଲେ ୫୦ କୋଟି ପାଇବେ । କିଛି ଏଭଳି ଢଙ୍ଗରେ ଲୋକଙ୍କ ଠାରୁ ପ୍ରାୟ ୫ ହଜାର କୋଟି ଟଙ୍କା ଲୁଟି ନେଇଛି କ୍ୟୁନେଟ୍ କମ୍ପାନି । ଓଡ଼ିଶାରୁ ହୋଇଛି ପ୍ରାୟ ୧୦ କୋଟିର କଳା କାରବାର । ଜଣେ ଆଉ ଜଣକୁ ଠକିବା ପାଇଁ ଦିଆଯାଉଥିଲା ଟ୍ରେନିଂ ।

1,201

କନକ ବ୍ୟୁରୋ : କିଛି ବର୍ଷରେ କୋଟିପତି ହେବାର ମୋହ ଦେଖାଇ ଜଣକୁ ଠକ । ସେ ଆଉଜଣକୁ ଠକୁ । ଏମିତି କାରବାର ଚଳାଇଥିଲା ମଲଟି ଲେଭଲ୍ ମାର୍କେଟିଂ କମ୍ପାନୀ “କ୍ୟୁନେଟ୍’’ । ୨୧ ବର୍ଷ ତଳେ ହଂକଂରେ ପ୍ରତିଷ୍ଠା ହୋଇଥିବା ଏହି କମ୍ପାନୀ ଭାରତରେ ୮ ବର୍ଷ ତଳେ“ବିହାନ ଡାଇରେକ୍ଟ ସେଲିଂ କମ୍ପାନୀ’’ ନାଁରେ ଏକ ଫ୍ରାଞ୍ଚାଇଜ୍ ଖୋଲି ଦେଶର ଲକ୍ଷାଧିକ ଲୋକଙ୍କୁ ଠକିଥିବା ବେଳେ ପ୍ରାୟ ୫ ହଜାର କୋଟି ଟଙ୍କା ଲୁଟି ନେଇଛି । ଏହି କମ୍ପାନୀ ଓଡ଼ିଶାରେ ବି ପ୍ରାୟ ହଜାର ଲୋକଙ୍କଠାରୁ ୧୦ କୋଟି ଟଙ୍କା ଠକି ନେଇଥିବା ଅଭିଯୋଗ ଆସିଛି । ତେବେ ଓଡ଼ିଶା ପୋଲିସର ଅର୍ଥନୈତିକ ଅପରାଧ ଶାଖା କେବଳ ତଳତଳିଆ ୩ଜଣ ଏଜେଣ୍ଟଙ୍କୁ ଗିରଫ କରିପାରିଛି ।

“କ୍ୱିନେଟ୍’’ର ଭାରତରେ ଫ୍ରାଞ୍ଚାଇଜ ନେଇଥିବା “ବିହାନ ଡାଇରେକ୍ଟ ସେଲିଂ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍ କମ୍ପାନୀ’’ର ରଙ୍ଗାରଙ୍ଗ ଉତ୍ସବ । ଏଭଳି ଉତ୍ସବ କେବେ ମାଲେସିଆରେ ହୁଏ ତ ପୁଣି କେବେ ଆରବରେ । ରଂଗାରଂଗ ପ୍ରୋଗ୍ରାମ୍ ଓ ଅନିଲ କାପୁର, ଶାହରୁଖ ଖାଁ ଓ ଜ୍ୟାକି ଶ୍ରଫଙ୍କ ଭଳି ସେଲିବ୍ରିଟି କମ୍ପାନୀର କାର୍ଯ୍ୟକ୍ରମରେ ଯୋଗ ଦେବା ପରେ ଲୋକଙ୍କୁ କିଛି ଅତ୍ୟନ୍ତ ଦାମୀ ପ୍ରଡକ୍ଟ ବା ସାମଗ୍ରୀ ବିକ୍ରି କରିବା ପାଇଁ ସ୍ୱପ୍ନ ଦେଖାଇ ଦିଆଯାଏ । ୫ ଲକ୍ଷ ଦିଅ ଆଉ ଲୋକଙ୍କୁ ଯୋଡ଼ି ଚାଲ-ଏଭଳି ସ୍ଲୋଗାନରେ ୫ ବର୍ଷରେ ୫୦ କୋଟିର ମାଲିକ ହୋଇପାରିବ ବୋଲି ସ୍ୱପ୍ନ ଦେଖାଇ ଦିଆଯାଏ । ଭାରତରେ ଉପଭୋକ୍ତା ବ୍ୟାପାର ମନ୍ତ୍ରଣାଳୟରେ ସ୍ଥାନିତ ୩୭୮ଟି ଡାଇରେକ୍ଟ ସେଲିଂ କମ୍ପାନୀରେ ଅନ୍ତର୍ଭୁକ୍ତ ନଥାଇ ବି ଭାରତରେ ୮ ବର୍ଷ ହେଲା ବେପାର କରେ ଏହି କମ୍ପାନୀ । ଆଉ ଏହି କମ୍ପାନୀରେ ୫/୧୦/୨୦ ଲକ୍ଷ ଟଙ୍କା ନିବେଶ କରି ହାଇଦ୍ରାବାଦ, ବେଙ୍ଗାଲୁର ଓ ଚେନ୍ନାଇରେ କିଛି ସଫଟୱେର ଇଂଜିନିୟର ମଧ୍ୟ ଆତ୍ମହତ୍ୟା କରିବାର ଖବର ଆସେ ।

ଭାରତରେ ୮ ବର୍ଷ ହେଲା ଡାଇରେକ୍ଟ ସେଲିଂ ବିଜନେସ୍ ଚଳାଇଥିବା“ବିହାନ ଡାଇରେକ୍ଟ ସେଲିଂ କମ୍ପାନୀ’’କୁ ଭାରତର ବଡ଼ ବଡ଼ ମିଡିଆ ହାଉସ୍, ସେଲିବ୍ରିଟିଙ୍କର ମଧ୍ୟ ସମର୍ଥନ ରହିଥିବା ଅଭିଯୋଗ ରହିଛି । ଭାରତରେ କମ୍ପାନୀର ପ୍ରମୁଖ ଅଂଶୀଦାର ପଦ୍ମଶ୍ରୀ ତଥା ୱାର୍ଲଡ ବିଲିଆଡ୍ସ ଚାମ୍ପିଅନ୍ ମାଇକେଲ୍ ଫେରେରା ମଧ୍ୟ ଏଥିରେ ସାମିଲ ଥିବା ଦେଖାଯାଏ । ଫେରେରାଙ୍କୁ ୨୦୧୬ରେ ମୁମ୍ବାଇ ପୋଲିସ୍ ଗିରଫ କରିଥିବା ବେଳେ ଏବେ ବାଙ୍ଗାଲୋରର ରେଜିଷ୍ଟ୍ରାର ଅଫ୍ କମ୍ପାନିଜ୍ ବା ଆରଓସି ଫେରୋରଙ୍କ ସମେତ ୧୨ଜଣଙ୍କ ନାଁରେ ଲୁକଆଉଟ୍ ସର୍କୁଲାର ଜାରି କରିଛନ୍ତି ।

“ବିହାନ ଡାଇରେକ୍ଟ ସେଲିଂ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍ କମ୍ପାନୀ’’ ମଧ୍ୟ ଓଡ଼ିଶାରେ ପ୍ରାୟ ୧ ହଜାର ଲୋକଙ୍କୁ ଠକିଥିବା ବେଳେ ପ୍ରାୟ ୧୦ କୋଟି ଟଙ୍କା ଠକିନେଇ ଏବେ ବି କାରବାର ଚାଲୁରଖିଥିବା ଦେଖାଯାଇଛି । ଏଭଳି ଏକ କମ୍ପାନୀକୁ ତୁରନ୍ତ ବନ୍ଦ କରିବା ପାଇଁ ଜାତୀୟ କମ୍ପାନୀ ଲ ଟ୍ରାଇବୁନାଲ୍ ବା ଏନସିଏଲଟିରେ ଆବେଦନ କରିଛି ଆରଓସି । ଅନ୍ୟପଟରେ ଡାଇରେକ୍ଟ ସେଲିଂ ସ୍କିମ୍ ନାଁରେ ଅତ୍ୟଧିକ ଲାଭର ମୋହ ଦେଖାଉଥିବା- ପିରାମିଡ୍ ସ୍କିମ୍ ବା ଚେନ୍ ସ୍କିମ୍ ଚଲାଇ ଲୋକଙ୍କୁ ଠକୁଥିବା କଥା ଖାଉଟି ବ୍ୟାପାର ମନ୍ତ୍ରାଳୟ କହିଛି । ଆଉ ଏହି ଘଟଣାରେ ଓଡ଼ିଶା ପୋଲିସ୍ ମାତ୍ର ୩ଜଣଙ୍କୁ ତଳି ତଳିଆ ଏଜେଣ୍ଟଙ୍କୁ ଗିରଫ କରିଛି । ଏହାସହ କମ୍ପାନିକୁ ବନ୍ଦ କରିବା ପାଇଁ ପ୍ରକ୍ରିୟା ଆରମ୍ଭ କରାଯାଇଛି ।