ଆମେ ବି ମୁସଲିମ ଦେଶ, ଆମ ଠାରୁ ଦେଶ ଚଳାଇବା ଶିଖ । ତାଲିବାନକୁ କାହିଁକି ଏମିତି କହିଲା କତର?

393

କନକ ବ୍ୟୁରୋ : ତାଲିବାନକୁ ଲଗାତାର ସମର୍ଥନ କରି ଆସୁଥିବା ଦେଶ କତର ଏବେ ଏହି ସଙ୍ଗଠନ ଉପରେ ବର୍ଷିଛି । କତରର ଏକ ବରିଷ୍ଠ ଅଧିକାରୀ ମହିଳାଙ୍କ ଶିକ୍ଷାକୁ ନେଇ ତାଲିବାନର ଆଭିମୁଖ୍ୟ ନାପସନ୍ଦ କରିଛନ୍ତି । ଏପରିକି ଏଭଳି ନିଷ୍ପତ୍ତି ଆଫଗାନିସ୍ତାନର ବିକାଶକୁ ଆହୁରି ପଛକୁ ଠେଲି ଦେଇଛି । ମୁସଲିମ ବ୍ୟବସ୍ଥାରେ କିଭଳି ଦେଶ ଚଳାଯିବ ତାହା ତାଲିବାନ ଆମ ଠାରୁ ଶିଖିବା ଆବଶ୍ୟକ ବୋଲି କହିଛି କତର ।

କତରର ବୈଦିଶିକ ମନ୍ତ୍ରୀ ଏକ ସାକ୍ଷାତକାରରେ ଆଫଗାନିସ୍ତାନରେ ମହିଳାଙ୍କ ଅଧିକାର ଓ ଶିକ୍ଷାକୁ ନେଇ ତାଲିବାନର ଯେଉଁ ଆଭିମୁଖ୍ୟ ରହିଛି ତାହାକୁ ନିରାଶଜନକ କହିଛନ୍ତି । ତାଲିବାନ ଯେଉଁଭଳି ନିଷ୍ପତ୍ତି ନେଉଛନ୍ତି ତହୋ ଆଫଗାନିସ୍ତାନର ବିକାଶକୁ ଦଶନ୍ଧି ଦଶନ୍ଧି ପଛକୁ ନେଇଯିବ । ଆଫଗାନିସ୍ତାନକୁ ତାଲିବାନ କବଜା କରିବା ପରେ ଦେଶରେ ସଙ୍ଗୀନ ପରିସ୍ଥିତି ସୃଷ୍ଟି ହୋଇଛି । ଗୋଟିଏ ପଟେ ପଞ୍ଜଶୀରରେ ବିଦ୍ରୋହୀ ଗୋଷ୍ଠୀ ତାଲିବାନର ନିଦ ହଜାଇଥିବା ବେଳେ ଅନ୍ୟପଟେ ବିଶ୍ୱର ଅଧିକାଂଶ ଦେଶ ତାଲିବାନ ସରକାରକୁ ମାନ୍ୟତା ଦେଇନାହାନ୍ତି । ଆଫଗାନିସ୍ତାନର ଏଭଳି ସଙ୍କଟ ଭିତରେ କତର ଅନେକ ସହଯୋଗ କରିଛି । କାବୁଲ ବିମାନବନ୍ଦରର ପରିଚାଳନା ଠାରୁ ଆରମ୍ଭ କରି ହଜାର ହଜାର ବିଦେଶୀ ଓ ଆଫଗାନବାସୀଙ୍କୁ ଦେଶରୁ ବାହାରକୁ ଯିବାରେ ସାହାଯ୍ୟ କରିଛି । ଏପରିକି ଆଫଗାନିସ୍ତାନକୁ ତାଲିବାନ କବଜା କରିବା ପରେ ବିଶ୍ୱର ପ୍ରଥମ ଦେଶ ଭାବେ କତର ନିଜର ଏକ ଉଚ୍ଚସ୍ତରୀୟ ପ୍ରତିନିଧିମଣ୍ଡଳ ଆଫଗାନିସ୍ତାନକୁ ପଠାଇଥିଲା । ତେଣୁ ଆଫଗାନିସ୍ତାନର ତାଲିବାନ ସରକାରକୁ କତର ଯଥେଷ୍ଟ ସହାୟତା କରୁଥିଲା ।

କତରର ବୈଦଶିକ ମନ୍ତ୍ରୀ କହିଛନ୍ତି, ତାଲିବାନ ସହ ଆଲୋଚନା କରିବା ଜରୁରୀ ହୋଇପଡିଛି । ଏପରିକି ତାଲିବାନ ଯେଉଁଭଳି ବିବାଦୀୟ ନିଷ୍ପତ୍ତି ନେଉଛି ତାହା ଠାରୁ ଦୂରେଇ ରହିବା ଉଚିତ୍  । ମୁସଲିମ ଦେଶ ହୋଇ ମଧ୍ୟ କିଭଳି ଆଇନ କାନୁନ ଦ୍ୱାରା ସରକାର ଚଳାଯାଏ ଓ ମହିଳାଙ୍କ ମାମଲାରେ ଡିଲ୍ କରାଯାଏ ତାହା କତର ଠାରୁ ଶିଖୁ ତାଲିବାନ । କତର ମଧ୍ୟ ଏକ ମୁସଲିମ ଦେଶ, କିନ୍ତୁ ଯେତେବେଳେ କାର୍ଯ୍ୟକ୍ଷେତ୍ର ଓ ଶିକ୍ଷାକ୍ଷେତ୍ରର କଥା ଉଠେ ସେତେବେଳେ ପୁରୁଷଙ୍କ ଅପେକ୍ଷା ଏଠାରେ ଅଧିକ ସଂଖ୍ୟକ ମହିଳାଙ୍କୁ ଆଗକୁ ବଢିବାକୁ ସୁଯୋଗ ମିଳିଥାଏ ।

ଗତ କିଛି ବର୍ଷ ମଧ୍ୟରେ ଆଫଗାନିସ୍ତାନରେ ଯେଉଁ ପ୍ରଗତି ଓ ବିକାଶ ହୋଇଛି ତାହାକୁ ବଜାୟ ରଖାଯାଉ । ବିଶ୍ୱ ସମୁଦାୟ ମଧ୍ୟ ଆଫଗାନିସ୍ତାନର ଏଭଳି ସଙ୍କଟଜନକ ସ୍ଥିତିରେ ସହାୟତାର ହାତ ବଢାଉ ।