କନକ ବ୍ୟୁରୋ : ଗୁରୁବାର ଯେବେ ଅର୍ନ୍ତଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା ଯେ ୮ ଜଣ ଭାରତୀୟ ପୂର୍ବତନ ସେନାଧିକାରୀଙ୍କୁ ମୃତ୍ୟୁ ଦଣ୍ଡାଦେଶ ଶୁଣାଇଛନ୍ତି କାତାରର ମିଲିଟାରୀ କୋର୍ଟ ସେତେବେଳଠୁ ଉଠୁଛି ପଡୁଛି ଦେଶ । ଏହି ଅଧିକାରୀ କିଏ? ଏମାନଙ୍କ ଦୋଷ କ’ଣ? ଏଭଳି ସଜା କାହିଁକି ଦିଆଗଲା? ଅଭିଯୋଗ ପଛର କାରଣ କ’ଣ? ଏହା କେତେ ସତ କେତେ ମିଛ? ଏମିତି ଅନେକ ପ୍ରଶ୍ନ ଉଠିଛି । ଏହାରି ଭିତରେ ଭାରତ ସରକାର ଘଟଣାକୁ ନେଇ ସୂଚନା ଦେବା ସହ ଉଦବେଗ ପ୍ରକାଶ କରିଛନ୍ତି । ୮ ଭାରତୀୟଙ୍କ ଫାଶୀ ଦଣ୍ଡାଦେଶ ଉପରେ ରୋକ୍ ଲଗାଇବା ପାଇଁ ଭାରତ ସମସ୍ତ ଆଇନଗତ ବିକଳ୍ପ ଉପରେ ବିଚାର କରୁଥିବା କହିଛି ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ।

Advertisment

ଗୋଟେ ପଟେ କାତାରରେ ମୃତ୍ୟୁକୁ ଅପେକ୍ଷା କରିଛନ୍ତି ୮ଜଣ ଭାରତୀୟ ନୌସେନା ପୂର୍ବତନ ଅଧିକାରୀ । ଅନ୍ୟପଟେ ଦେଶରେ ଘଟଣାକୁ ନେଇ ଆରମ୍ଭ ହୋଇଛି ବୟାନବାଜୀ । କେନ୍ଦ୍ର ସରକାରଙ୍କ ଉପରେ ଅଭିଯୋଗ ଆଣିଛି କଂଗ୍ରେସ । ଦଳର ନେତା ମନିଷ ତିୱାରୀ କହିଛନ୍ତି ଘଟଣା ବାବଦରେ ୨ବର୍ଷ ପୂର୍ବରୁ ଭାରତ ସରକାରଙ୍କ ଅବଗତ କରିଥିଲେ ତଥାପି ସନ୍ତୋଷଜନକ ଉତର ମିଳିନଥିଲା । ସେପଟେ ଶଶି ଥରୁର କହିଛନ୍ତି କାଳବିଳମ୍ବ ନକରି ଭାରତ ସରକାର ଭାରତୀୟଙ୍କ ଜୀବନ ରକ୍ଷା କରିବା ପାଇଁ ଯଥା ସମ୍ଭବ ଚେଷ୍ଟା କରନ୍ତୁ ।

ଆତଙ୍କବାଦକୁ ପ୍ରୋତ୍ସାହିତ କରୁଥିବା କାତାର, ଭାରତ ଉପରେ ଚାପ ପକାଇବା ପାଇଁ ଏକ ଷଡଯନ୍ତ୍ର କରୁଥାଇପାରେ ବୋଲି ବିଶେଷଜ୍ଞଙ୍କ ମତ ପ୍ରକାଶ ପାଇଛି । କାତାର ଏଭଳି ପଦକ୍ଷେପ ପଛରେ ପ୍ରକୃତ କାରଣ କ’ଣ, ଏହି ଦିଗରେ ଭାରତ ସରକାର ବେଶ ଯତ୍ନର ସହ ନିଷ୍ପତି ଓ ପଦକ୍ଷେପ ନେବା ଜରୁରୀ ବୋଲି ମତ ପ୍ରକାଶ ପାଉଛି ।

ସୂଚନା ଅନୁସାରେ ୨୦୨୨ ଅକ୍ଟୋବର ୩୦ ଓ ୨୦୨୩ ଜୁନ ୫ ତାରିଖରେ ମୀତ ଭାର୍ଗବ ସୋସିଆଲ ମିଡିଆରେ ଏକ ପୋଷ୍ଟ କରି ନିଜ ଭାଇ ତଥା ପୂର୍ବତନ ସେନାଧିକାରୀ ପୁର୍ଣ୍ଣେନ୍ଦୁ ତିୱାରୀଙ୍କୁ ମୁକୁଳାଇବା ପାଇଁ ଭାରତ ସରକାରଙ୍କୁ ଗୁହାରି କରିଥିଲେ । ଯାହା ଉପରେ ସରକାରଙ୍କଠୁ ଜବାବ ମାଗିଥିଲା କଂଗ୍ରେସ । ତେବେ ୮ଜଣ ଅଧିକାରୀଙ୍କୁ ମୃତ୍ୟୁଦଣ୍ଡ ଶୁଣାଯିବା ପରେ କେନ୍ଦ୍ର ସରକାରଙ୍କ ଉପରେ ପ୍ରଶ୍ନବାଣ କରିଛନ୍ତି ବିରୋଧୀ ।