ଇରାକରେ ମଲା ଇରାନ୍ କୁଦସ୍ ଫୋର୍ସର ଟପ୍ କମାଣ୍ଡର । କାସିମ୍ ସୁଲେମାନୀଙ୍କୁ ଡ୍ରୋନ୍ ଆକ୍ରମଣରେ ହତ୍ୟା କଲା ଆମେରିକା ସେନା, ପ୍ରତିଶୋଧ ପାଇଁ ଚେତାବନୀ ଦେଲା ଇରାନ୍ ।

382

କନକ ବ୍ୟୁରୋ: ଆମେରିକାର ଏୟାର ଷ୍ଟ୍ରାଇକରେ କାସିମ ସୁଲେମାନି ମୃତ । ଇରାନ ଅଲ କୁଦସ ଫୋର୍ସର ଟପ୍ କମାଣ୍ଡର ଜେନେରାଲ କାସିମ ସୁଲେମାନିକୁ ହତ୍ୟା କରି ଆମେରିକା ପ୍ରମାଣ କରିଛି ଯେ, ବିଶ୍ୱର ଯେକୌଣସି ଦେଶରେ ତାର ନାଗରିକମାନଙ୍କୁ ସୁରକ୍ଷା ଦେବା ପାଇଁ ସମର୍ଥ ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଦେଶ । ଶୁକ୍ରବାର ସକାଳୁ ଇରାକର ବାଗଦାଦି ବିମାନବନ୍ଦର ଉପରେ ଆକ୍ରମଣ କରିଥିଲା ଆମେରିକା ବାୟୁସେନା । ଏଥିରେ ଆମେରିକାର ପରମ ଶତ୍ରୁ ସୁଲେମାନି ସମେତ ଇରାକର ମିଲିସିଆ କମାଣ୍ଡର ଅବ ମହଦି ଅଲ ମୁହଁଦିସର ବି ମୃତ୍ୟୁ ହୋଇଛି । ଆମେରିକା ବାୟୁସେନା ଆକ୍ରମଣରେ ଅନ୍ୟ ୬ଜଣଙ୍କ ମୃତ୍ୟୁ ହୋଇଥିବା ମଧ୍ୟ କହିଛି ଇରାକ ।

ଇରାକର ପପୁଲାର ମୋବିଲାଇଜେସନ ଫୋର୍ସେସ- ପିଏମଏଫ ଅନ୍ତର୍ଜାତୀୟ ଗଣମାଧ୍ୟମ ଅଲଜଜିରାକୁ ଜଣାଇଛି ଯେ, ଇରାକର ଅନ୍ତର୍ଜାତୀୟ ବିମାନ ବନ୍ଦରରେ ରକେଟ ମାଡ ହୋଇଛି । ହାଇପ୍ରୋଫାଇଲ ଅତିଥୀଙ୍କୁ ନେଇ ଯାଉଥିବା ଦୁଇଟି ବିମାନକୁ ଏହି ଏୟାର ଷ୍ଟ୍ରାଇକରେ ଟାର୍ଗେଟ କରାଯାଇଛି ।

ସୁଲେମାନିର ହତ୍ୟା ନେଇ ସ୍ପଷ୍ଟ କରିଛି ପେଂଟାଗନ । ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନିର୍ଦ୍ଦେଶରେ ଏହି ଏୟାର ଷ୍ଟ୍ରାଇକ କରାଯାଇଥିବା କହିଛି ଆମେରିକା । ବିଦେଶରେ ରହୁଥିବା ଆମେରିକୀୟଙ୍କ ଆତ୍ମରକ୍ଷା ପାଇଁ ଏହି ଆକ୍ରମଣ କରାଯାଇଛି । ଭବିଷ୍ୟତରେ ଇରାନ ଯେଭଳି କୌଣସି ଆକ୍ରମଣ ନକରିବ ସେଥିପାଇଁ ଏଭଳି ଏୟାର ଷ୍ଟ୍ରାଇକ କରାଯାଇଥିବା ସ୍ପଷ୍ଟ କରିଛି ପେଂଟାଗନ । ବାଗବାଦି ପରେ ସୁଲେମାନିକୁ ହତ୍ୟା କରି ଆମେରିକା ଚେତାଇ ଦେଇଛି ଯେ, ବିଶ୍ୱର ଯେକୌଣସି ସ୍ଥାନରେ ଲୁଚିଥିଲେ ବି ଆମେରିକାର ଶତ୍ରୁ ରକ୍ଷା ପାଇବେ ନାହିଁ । ଇରାନର ଟପ କମାଣ୍ଡରକୁ ହତ୍ୟା ନେଇ ସିଧାସିଧା କଛି କହିନଥିଲେ ମଧ୍ୟ, ଏୟାର ଷ୍ଟ୍ରାଇକ ଖବର ଆସିବା ପରେ କେବଳ ଆମେରିକା ଜାତୀୟ ପତାକାର ଏକ ଫଟୋକୁ ଟ୍ୱିଟ କରିଛନ୍ତି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ।

ସୁଲେମାନିର ମୃତ୍ୟୁ ପରେ ଇରାକର ସରକାରୀ ଟିଭି ଚ୍ୟାନେଲରେ ଇରାନ ରିଭୋଲ୍ୟୁସନାରି ଗାର୍ଡର ବୟାନ ପ୍ରସାରଣ କରାଯାଇଥିଲା । ଏଥିରେ ସୁଲେମାନିକୁ ସହିଦ ଘୋଷଣା କରାଯାଇଥିବାବେଳେ ତା ମୃତ୍ୟୁ ପାଇଁ ତିନି ଦିିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା କରାଯାଇଛି । ଆମେରିକା ଓ ଇରାନ ମଧ୍ୟରେ ଉତେଜନା କାରଣରୁ ଅଶାନ୍ତ ରହିଛି ମଧ୍ୟ-ପୂର୍ବ କ୍ଷେତ୍ର ।
– ମଙ୍ଗଳବାର ବାଗଦାଦରେ ଥିବା ଆମେରିକା ଦୂତାବାସ ଉପରେ ପ୍ରଥମେ ହୋଇଥିଲା ଆକ୍ରମଣ
– ଏହାପରେ ସିରିଆକୁ ଲାଗିଥିବା ଇରାକ ସୀମା ନିକଟରେ ପିଏମଏଫ ଫୋର୍ସ ଉପରେ ଆକ୍ରମଣ କରିଥିଲା ଆମେରିକା
– ଏବେ ଇରାନର ଟପ କମାଣ୍ଡରକୁ ଆମେରିକା ହତ୍ୟା କରିବା ପରେ ଆହୁରି ଅଶାନ୍ତ ହୋଇପଡିଛି ମଧ୍ୟ-ପୂର୍ବ କ୍ଷେତ୍ର

ବିଶ୍ୱରେ ସବୁଠାରୁ ବଡ ତୈଳ ରପ୍ତାନୀକାରୀ ଦେଶ ଇରାନ । ତେଣୁ ଆମେରିକା ଓ ଇରାନ ମଧ୍ୟରେ ଅଶାନ୍ତି ବଢିବା ପରେ ଅଶୋଧିତ ତୈଳ ଦର ବଢିବାରେ ଲାଗିଛି । ଶୁକ୍ରବାର ତୈଳଦର ୪ ପ୍ରତିଶତ ବଢି ବ୍ୟାରେଲ ପିଛା ୬୯.୧୬ ଡଲାରରେ ପହଂଚିଛି । ଅଶୋଧିତ ତୈଳଦର ବୃଦ୍ଧି ଖୁଚୁରା ବଜାରକୁ ପ୍ରଭାବିତ କରିବ ।