କନକ ବ୍ୟୁରୋ: ଗତବର୍ଷ ଡିସେମ୍ବର ସୁଦ୍ଧା ଶେଷ ହୋଇଥିବା ତିନି ମାସରେ ଭାରତୀୟ ଅର୍ଥନୀତିର ଅଭିବୃଦ୍ଧିରେ ସାମାନ୍ୟ ଉନ୍ନତି ପରିଲକ୍ଷିତ ହୋଇଛି । ୨୦୧୯ ଜୁଲାଇ-ସେପ୍ଟେମ୍ବର ତ୍ରୟମାସିକ ଅଭିବୃଦ୍ଧି ହାର ୪.୫ ପ୍ରତିଶତ ରହିଥିବା ବେଳେ ଅକ୍ଟୋବର-ଡିସେମ୍ବରରେ ଏହା ୪.୭ ପ୍ରତିଶତକୁ ବଢ଼ିଛି । ଏହାସହିତ ଦୀର୍ଘ ୧୮ ମାସ ଧରି ଜିଡିପିରେ ଜାରି ହୋଇଥିବା ହ୍ରାସରେ ବ୍ରେକ ଲାଗିଛି । ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ ଏନଏସଓ ଆକଳନ କରିଛ ଯେ, ୨୦୧୯-୨୦ରେ ଅଭିବୃଦ୍ଧି ହାର ୫ ପ୍ରତିଶତ ରହିବ । ତେବେ ପୂର୍ବ ଦୁଇଟି ତ୍ରୟମାସିକ ଅଭିବୃଦ୍ଧି ହାରରେ ଏହା ସଂଶୋଧନ କରିଛି । ୨୦୧୯ର ଜୁଲାଇ-ସେପ୍ଟେରରେ ଅଭିବୃଦ୍ଧି ୪.୫ ପ୍ରତିଶତ ନୁହେଁ ବରଂ ୫.୧ ପ୍ରତିଶତ ରହିଥିଲା ବୋଲି ସଂସ୍ଥା କହିଛି । ସେହିପରି ଏପ୍ରିଲ-ଜୁନ୍ ତ୍ରୟମାସରେ ଅଭିବୃଦ୍ଧି ହାର ୫.୬ ପ୍ରତିଶତ ରହିଥିଲା ବୋଲି ଏନଏସଓ କହିଛି ।
ଉଲ୍ଲେଖ୍ୟଯୋଗ୍ୟ, ଦେଶରେ ମାନ୍ଦା ହୋଇ ପଡ଼ି ରହିଥିବା ଅର୍ଥନୀତିକୁ ବଢ଼ାଇବା ପାଇଁ ସରକାର ଗତବର୍ଷ ଅନେକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଥିଲେ। ଏହା ସହ ଏହି ନିଷ୍ପତ୍ତିର ପ୍ରଭାବ ଧିରେ ଧିରେ ଦେଖିବାକୁ ମିଳିବ ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଥିଲା। ଯଦି ଗତ ୬ଟି ତ୍ରୈମାସିକ ଆକଳନ ଉପରେ ନଜର ପକାଇବା ତେବେ ୨୦୧୮-୧୯ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକରେ ଜିଡିପି ଅଭିବୃଦ୍ଧି ହାର ୭.୧ ପ୍ରତିଶତ ରହିଥିବା ବେଳେ ଦ୍ବିତୀୟ ତ୍ରୈମାସିକରେ ଏହା ୬.୨ପ୍ରତିଶତରେ ପହଞ୍ଚିଥିଲା। ସେହିଭଳି ଭାବରେ ତୃତୀୟ ତ୍ରୈମାସିକରେ ଜିଡିପି ଅଭିବୃଦ୍ଧି ହାର ୫.୬ପ୍ରତିଶତ ଏବଂ ଚତୁର୍ଥରେ ଏହା ୫.୮୩ ପ୍ରତିଶତରେ ପହଞ୍ଚିଥିଲା।
୨୦୧୯-୨୦ ଆର୍ଥିକ ବର୍ଷ ଉପରେ ନଜର ପକାଇଲେ ପ୍ରଥମ ତ୍ରୈମାସିକରେ ଜିଡିପି ଅଭିବୃଦ୍ଧି ହାର ୫.୬ ପ୍ରତିଶତ ରହିଥିବା ବେଳେ ଦ୍ବିତୀୟ ତ୍ରୈମାସିକରେ ଏହା ୫.୧ପ୍ରତିଶତରେ ପହଞ୍ଚିଥିଲା। ବର୍ତ୍ତମାନ ତୃତୀୟ ତ୍ରୈମାସିକରେ ଜିଡିପି ଅଭିବୃଦ୍ଧି ହାରରେ ପୁଣି ତଳକୁ ଖସି ୪.୭ ପ୍ରତିଶତରେ ପହଞ୍ଚିଛି।