ଶଙ୍ଖ ଧରିଲେ ସିକ୍ତା । ବିଜେଡିରେ ଯୋଗ ଦେଲେ ପ୍ୟାରୀମୋହନ ମହାପାତ୍ରଙ୍କ ଝିଅ ସିକ୍ତା ପତି, ନବୀନଙ୍କ ବିକାଶମୂଳକ କାର୍ଯ୍ୟକୁ କଲେ ପ୍ରଂଶସା ।

3,391

କନକ ବ୍ୟୁରୋ : ଶଙ୍ଖ ଫୁଙ୍କିଲେ ସିକ୍ତା । ନବୀନଙ୍କ କ୍ୟାମ୍ପରେ ଏଣ୍ଟ୍ରି ମାରିଲେ ପ୍ୟାରୀମୋହନ ମହାପାତ୍ରଙ୍କ ଝିଅ । ନବୀନ ନିବାସରେ ନିଜ ସମର୍ଥକଙ୍କ ସହ ବିଜେଡିରେ ଯୋଗ ଦେଇଛନ୍ତି ପ୍ୟାରୀମୋହନ ମହାପାତ୍ରଙ୍କ ବଡ ଝିଅ ସିକ୍ତା ପତି । ମହିଳା ଓ ଶିଶୁଙ୍କ ପାଇଁ ସରକାର ଯେଉଁ କାର୍ଯ୍ୟ କରୁଛନ୍ତି ସେଥିରେ ପ୍ରଭାବିତ ହୋଇ ବିଜେଡିରେ ଯୋଗ ଦେଇଥିବା କହିଛନ୍ତି ସିକ୍ତା । ଏପରିକି ନବୀନଙ୍କ ବିକାଶମୂଳକ କାମକୁ ପ୍ରଂଶସା କରିବାକୁ ପଛାଇ ନାହାନ୍ତି ପ୍ୟାରୀଙ୍କ ଝିଅ ।

ଓଡ଼ିଶା ରାଜନୀତିର ଚାଣକ୍ୟ କୁହାଯାଉଥିବା ପ୍ୟାରୀମୋହନ ମହାପାତ୍ରଙ୍କ ଦେହାନ୍ତର ଦୀର୍ଘ ୨ ବର୍ଷ ପରେ ରାଜନୀତିରେ ଏଣ୍ଟ୍ରି ମାରିଛନ୍ତି ତାଙ୍କ ବଡ ଝିଅ ସିକ୍ତା ପତି । ପ୍ୟାରୀମୋହନ ମହାପାତ୍ର ବିଜେଡିରେ ଥିବା ବେଳେ ତାଙ୍କ ପରିବାରରୁ କୌଣସି ସଦସ୍ୟଙ୍କୁ ରାଜନୀତିରେ ଦେଖିବାକୁ ମିଳିନଥିଲା । ଏପରିକି ବିଜେଡିରୁ ବିଦା ହେବା ପରେ ନିଜେ ଦଳ ଗଢିଥିଲେ ମଧ୍ୟ ପରିବାରର କୌଣସି ସଦସ୍ୟଙ୍କୁ ଏଥିରେ ସାମିଲ କରିନଥିଲେ ପ୍ୟାରୀ । ସମାଜସେବା କରୁଥିବା ସିକ୍ତା ଦୀର୍ଘଦିନ ହେବ ଲୋକଙ୍କ ସମସ୍ୟା ସହ ଜଡିତ ରହିଛନ୍ତି । ଖାସକରି ବସ୍ତି ବାସିନ୍ଦା ଓ ରୋଗୀଙ୍କ ସାହାଯ୍ୟ କରିବା ଦିଗରେ କାମ କରୁଛନ୍ତି ସିକ୍ତା ।