ଟୋକିଓରେ ଟେକ ରଖିଲେ ଭାରତର ଝିଅ : ମିରାଭାଇ ଚାନୁଙ୍କ ପରେ ମେଡ଼ାଲ ଆଣିଲେ ପି.ଭି ସିନ୍ଧୁ

125

କନକ ବ୍ୟୁରୋ : ଟୋକିଓ ଅଲିମ୍ପିକ୍ସରେ ଇତିହାସ ରଚିଛନ୍ତି ଭାରତୀୟ ବାଡମିଂଟନ ତାରକା ପିଭି ସିନ୍ଧୁ । ଭାରତ ପାଇଁ ବ୍ରୋଂଜ ପଦକ ଜିତିବା ସହ ଭାରତର ପଦକ ସଂଖ୍ୟା ୨ରେ ପହଁଚିଛି । ଚୀନର ହେ ବିଙ୍ଗ ଜିଆଓଙ୍କୁ ୨୧-୧୩, ୨୧-୧୫ ସିଧା ସେଟରେ ହରାଇ ଏହି ସଫଳତା ହାସଲ କରିଛନ୍ତି ସିନ୍ଧୁ । ଏହି ବିଜୟ ସହ ଅଲିମ୍ପିକ୍ସରେ ଭାରତ ପାଇଁ ଇତିହାସ ସୃଷ୍ଟି କରିଛନ୍ତି ଏହି ସଟଲର । ଭାରତର ମହିଳା ଖେଳାଳୀ ଭାବେ ବ୍ୟକ୍ତିଗତ ଇଂଭେଟରେ କ୍ରମାଗତ ୨ଟି ମେଡାଲ ଜିତିବାର ରେକର୍ଡ ନିଜ ନାଁ ରେ କରି ନେଇଛନ୍ତି । ୨୦୧୬ ରିଓ ଅଲିମ୍ପିକ୍ସରେ ରୌପ୍ୟ ପଦକ ଚିତିଥିଲେ ସିନ୍ଧୁ ।

ବ୍ରୋଂଜ ପାଇଁ ହୋଇଥିବା ପ୍ରତିଯୋଗିତାରେ ଆରମ୍ଭରୁ ପ୍ରଭାବ ବିସ୍ତାର କରି ଚାଇନା ପ୍ରତିପକ୍ଷକୁ ସେ ମାତ ଦେଇଥିଲୋ । ସେମିଫାଇନାଲ ମ୍ୟାଚରେ ହାରିବା ପରେ ଚାପକୁ ନଆସି ନିଜର ଶ୍ରେଷ୍ଠ ପ୍ରଦର୍ଶନ ଦେବା ସହ ମେଡାଲ ହାତେଇ ନେଇଥିଲେ । ରିଓ ଅଲିମ୍ପିକ୍ସ ଫାଇନାଲରେ ହାରିବା ପରେ ଲଗାତର ଭାବେ ନିଜର ଶ୍ରେଷ୍ଠ ପ୍ରଦର୍ଶନ ଦେଇ ଆସିଥିଲେ ହ୍ରାଇଦ୍ରାବାଦର ଏହି ବାଡମିଂଟନ ତାରକା । ଯଦିଓ ବିଶ୍ୱ ରାକିଂରେ ସେ କେବେ ମଧ୍ୟ ଏକ ନମ୍ବର ରହିନାହାନ୍ତି, ତେବେ ପ୍ରତିପକ୍ଷ ଉପରେ ସବୁବେଳେ ଭାରି ପଡି ଆସିଛନ୍ତି । ତାଙ୍କ ସଫଳତାର ତାଲିକା ଉପରେ ନଜର ପକାନ୍ତୁ । ୨ଟି ଅଲିମ୍ପିକ୍ସ ମେଡାଲ, ୫ଟି ୱାର୍ଲଡ୍ ଚାମ୍ପିଅନ୍ସିପ୍ ମେଡାଲ, ଯେଉଁଥିରେ ବ୍ରୋଂଜ, ସିଲିଭର ଓ ଗୋଲ୍ଡ ବି ସାମିଲ ଅଛି ।

କମନୱେଲ୍ଥ ଗେମ୍ସରେ ୨ଟି, ଏସିଆନ୍ ଗେମ୍ସରେ ଗୋଟିଏ ମେଡାଲ ତାଙ୍କ ନାଁରେ ରହିଛି । ବିଶ୍ୱସ୍ତରୀୟ ଟୁର୍ଣ୍ଣାମେଂଟରେ ମଧ୍ୟ ନିଜର ଦବଦବା ସବୁବେଳେ ଦେଖାଇ ଆସିଛନ୍ତି ସିନ୍ଧୁ । ଟୋକିଓ ଅଲମ୍ପିକ୍ସରେ ବ୍ରୋଞ୍ଜ ମେଡାଲ ଜିତିବା ପରେ ସିନ୍ଧୁଙ୍କୁ ଶୁଭେଚ୍ଛାର ସୁଅ ଛୁଟୁଛି । ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ସମେତ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସଟଲର ପିଭି ସିନ୍ଧୁଙ୍କୁ ଶୁଭେଚ୍ଛା ଜଣାଇବା ସହ ଦେଶର ଗର୍ବ ଓ ଗୌରବ ବୋଲି କହିଛନ୍ତି ।

ପିଭି ସିନ୍ଧୁଙ୍କ ଏହି ଐତିହାସିକ ସଫଳତା ପରେ ଟୋକିଓ ଅଲିମ୍ପିକ୍ସକୁ ଯିବା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ସିନ୍ଧୁଙ୍କୁ କ’ଣ କହିଥିଲେ, ପୁଣିଥରେ ତାହା ଚର୍ଚ୍ଚାକୁ ଆସିଛି । ପ୍ରଧାନମନ୍ତ୍ରୀ କହିଥିଲେ, ପଦକ ଜିତିଲେ ସିନ୍ଧୁଙ୍କ ସହ ସେ ଆଇସକ୍ରିମ୍ ଖାଇବେ ।