କନକ ବ୍ୟୁରୋ: ଭାରତୀୟ ଷ୍ଟାର ସଟଲର ପିଭି ସିନ୍ଧୁଙ୍କ ପାଇଁ ଏଥର ଅଲିମ୍ପିକ୍ସ କିଛି ଖାସ୍ ଯାଇନି । ଏଥର ମହିଳା ସିଙ୍ଗିଲ୍ସର ପ୍ରି-କ୍ୱାର୍ଟର ଫାଇନାଲ ଅର୍ଥାତ ରାଉଣ୍ଡ ୧୬ରୁ ସେ ରେସରୁ ବାଦ୍ ପଡିଛନ୍ତି । ତେବେ ଚୀନ୍ ଖେଳାଳିଙ୍କଠାରୁ ହାରିବା ପରେ ପିଭି ସିନ୍ଧୁ ନିଜ ସନ୍ନ୍ୟାସକୁ ନେଇ ବଡ ଅପଡେଟ୍ ଦେଇଛନ୍ତି । ଖାସ୍ କରି ୨୦୨୮ ଅଲିମ୍ପିକ୍ସକୁ ନେଇ ଏମିତି କହିଛନ୍ତି ସିନ୍ଧୁ...

ଏଥର ରାଉଣ୍ଡ ୧୬ରେ ପିଭି ସିନ୍ଧୁ ଚୀନ୍ ପ୍ରତିଯୋଗୀଙ୍କଠାରୁ ୨୧-୧୯ ଏବଂ ୨୧-୧୪ରେ ହାରିଯାଇଥିଲେ । ଏହାପରେ ସିନ୍ଧୁଙ୍କର ଲଗାତାର ତୃତୀୟ ଥର ପାଇଁ ଅଲିମ୍ପିକ୍ସ ମେଡାଲ ଜିତିବାର ସ୍ୱପ୍ନ ଭାଙ୍ଗିଯାଇଥିଲା । ତେବେ ଏହି ପରାଜୟ ସହ ସିନ୍ଧୁଙ୍କର ଅଭିଯାନ ମଧ୍ୟ ଶେଷ ହେଇଥିଲା ।

ମ୍ୟାଚ୍ ହାରିବା ପରେ ସିନ୍ଧୁ ନିଜର ସନ୍ନ୍ୟାସକୁ ନେଇ କହିଥିଲେ ଯେ, ଏବେ ଆଗାମୀ ଅଲିମ୍ପିକ୍ସକୁ ୪ ବର୍ଷ ଅଛି । ମୁଁ ଫେରିବା ପରେ ସାମାନ୍ୟ ବିଶ୍ରାମ ନେବି । ବ୍ରେକ୍ ନେବା ପରେ ଦେଖିବି । ତେବେ ଚାରି ବର୍ଷ ବହୁତ ଲମ୍ବା ସମୟ । ହେଲେ ଏଥର ମୁଁ ଯେମିତି ଭାବିଥିଲି, ସେହି ଅନୁସାରେ ପ୍ରଦର୍ଶନ କରିପାରିନି ବୋଲି ସିନ୍ଧୁ କହିଛନ୍ତି ।

ଏଥିସହ ସିନ୍ଧୁ ଆହୁରି ମଧ୍ୟ କହିଛନ୍ତି ଯେ, ମୋତେ ମୋଁ ଭୁଲ ଉପରେ ନିୟନ୍ତ୍ରଣ ରଖିବାକୁ ପଡିବ । ଖାସ୍ କରି ଦ୍ୱିତୀୟ ମ୍ୟାଚରେ ମୁଁ ଜିତିପାରିଲିନି । ପ୍ରଥମ ମ୍ୟାଚରେ ଗୋଟିଏ ମୂହୁର୍ତ୍ତରେ ସ୍କୋର ୧୯-୧୯ ଥିଲା । ମୁଁ ପ୍ରତିଟି ପଏଣ୍ଟ ପାଇଁ ଲଢେଇ କରୁଥିଲି । ହେଲେ ଏହାକୁ କିନ୍ତୁ ବିଜୟରେ ପରିବର୍ତ୍ତନ କରିପାରିଲିନି ବୋଲି ସିନ୍ଧୁ କହିଛନ୍ତି ।

ସୂଚନାଯୋଗ୍ୟ ଯେ, ପିଭି ସିନ୍ଧୁ ଗତ ଦୁଇଟି ଅଲିମ୍ପିକ୍ସରେ ଭାରତ ପାଇଁ ପଦକ ଜିତିଥିଲେ । ୨୦୧୬ ରିଓ ଅଲିମ୍ପିକ୍ସରେ ରୌପ୍ୟ ପଦକ ଓ ୨୦୨୦ ଟୋକିଓ ଅଲିମ୍ପିକ୍ସରେ ବ୍ରୋଞ୍ଜ ମେଡାଲ ଜିତିଥିଲେ ସିନ୍ଧୁ । ହେଲେ ଏଥର କିନ୍ତୁ ପ୍ୟାରିସ୍ ଅଲିମ୍ପିକ୍ସରେ ଗୋଟିଏ ବି ପଦକ ଜିତିପାରିନାହାଁନ୍ତି ସିନ୍ଧୁ ।