ଅଲିମ୍ପିକ୍ସରେ ଭାରତ ପାଇଁ ଖୁସି ଖବର । ଜାପାନର ଷ୍ଟାର ଖେଳାଳିଙ୍କୁ ହରାଇ ସେମିଫାଇନାଲରେ ପିଭି ସିନ୍ଧୁ ।

181

କନକ ବ୍ୟୁରୋ: ଅଲିମ୍ପିକ୍ସରେ ଭାରତ ପାଇଁ ଖୁସି ଖବର । ଜାପାନର ଷ୍ଟାର ଖେଳାଳି ୟାମାଗୁଚିଙ୍କୁ ହରାଇ ସେମିଫାଇନାଲରେ ପ୍ରବେଶ କଲେ ଭାରତର ବ୍ୟାଡମିଣ୍ଟନ ଷ୍ଟାର ପିଭି ସିନ୍ଧୁ । ଆଜି ମହିଳା ସିଙ୍ଗଲ୍ସରେ ସେ ଦମଦାର ପ୍ରଦର୍ଶନ କରିବା ସହିତ ସେମିଫାଇନାଲରେ ସ୍ଥାନ ପକ୍କା କରିଛନ୍ତି । ଏଥିସହିତ ଲଗାତାର ଦ୍ୱିତୀୟ ଥର ପାଇଁ ସେ ଅଲିମ୍ପିକ୍ସ ଟପ୍-୪ରେ ସ୍ଥାନ ପାଇଛନ୍ତି । କାହିଁକି ନା, ଏହା ପୂର୍ବରୁ ସେ ୨୦୧୬ ରିଓ ଅଲିମ୍ପିକ୍ସରେ ମଧ୍ୟ ରୌପ୍ୟ ପଦକ ଜିତିଥିଲେ । ଆଜିର କ୍ୱାର୍ଟର ଫାଇନାଲ ମ୍ୟାଚରେ ୟାମାଗୁଚି ଓ ସିନ୍ଧୁଙ୍କ ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିଥିଲା । ହେଲେ ସିଧାସଳଖ ୨ଟି ସେଟରେ ବିଜୟ ସହ ସେମିଫାଇନାଲରେ ପ୍ରବେଶ କରିଛନ୍ତି ସିନ୍ଧୁ ।

ଆଜିର ମ୍ୟାଚରେ ସିନ୍ଧୁ ନିଜର ଜାପାନୀ ପ୍ରତିପକ୍ଷଙ୍କ ଉପରେ ପ୍ରାଧାନ୍ୟ ବିସ୍ତାର କରିଖେଳିଥିଲେ । ପ୍ରଥମ ଗେମକୁ ସେ ସହଜରେ ୨୧-୧୩ରେ ଜିତି ନେଇଥିଲେ । ୨ୟ ଗେମରେ ୟାମାଗୁଚି ଲଢୁଆ ଖେଳ ପ୍ରଦର୍ଶନ କରି ପ୍ରତ୍ୟାବର୍ତ୍ତନ କରିଥିଲେ । ଗୋଟିଏ ସମୟରେ ସେ ସିନ୍ଧୁଙ୍କୁ ଟପିଯାଇଥିଲେ । ତେବେ ପୁଣି ଥରେ ସିନ୍ଧୁ ଲଢୁଆ ଖେଳ ପ୍ରଦର୍ଶନ କରି ପ୍ରତ୍ୟାବର୍ତ୍ତନ କରିବା ସହ ୨ୟ ଗେମକୁ ୨୨-୨୦ରେ ଜିତି ନେଇଥିଲେ ଓ ମ୍ୟାଚରେ ବିଜୟୀ ହୋଇଥିଲେ । ମାତ୍ର ୫୬ ମିନିଟ ଖେଳି ସେ ୟାମାଗୁଚିଙ୍କୁ ପରାସ୍ତ କରି ଦେଇଥିଲେ ।