କନକ ବ୍ୟୁରୋ : ୟୁକ୍ରେନ ପାଇଁ ବଡ ଯୋଜନା କରିଛନ୍ତି ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ । ଯୁଦ୍ଧରେ ୟୁକ୍ରେନକୁ ପରାସ୍ତ କରିବା ପରେ ଏହାର ରାଷ୍ଟ୍ରପତି ଭୋଲଡିମିର ଜେଲେନସ୍କିଙ୍କୁ ଗାଦିଚ୍ୟୁତ କରିବେ ପୁଟିନ୍ । ତାଙ୍କ ସ୍ଥାନରେ ନିଜର ଏକାନ୍ତ ଅନୁଗତ ଭିକ୍ଟର ୟାନୁକୋଭିଚ୍ଙ୍କୁ ପରବର୍ତୀ ରାଷ୍ଟ୍ରପତି ଭାବେ ନିଯୁକ୍ତ କରିବେ । ଏହାପରେ ତାଙ୍କୁ କାଠ କଣ୍ଢେଇ ସଜାଇ ମନଇଛା ନଚାଇବେ । ପରୋକ୍ଷରେ ଋଷିଆ ହିଁ ୟୁକ୍ରେନକୁ ପରିଚାଳନା କରିବ ।
ମିଳିଥିବା ସୂଚନା ଅନୁସାରେ ୟୁକ୍ରେନର ପୂର୍ବତନ ରାଷ୍ଟ୍ରପତି ୟାନୁକୋଭିଚ୍ ବର୍ତମାନ ବେଲାରୁଷରେ ଅଛନ୍ତି । ୟୁକ୍ରେନରେ ଯୁଦ୍ଧ ଶେଷହେଲେ ଏବଂ ରୁଷିଆ ସେନା ରାଜଧାନୀ କିଭକୁ ଦଖଲ କରି ଜେଲେନସ୍କିଙ୍କୁ ଗାଦିଚ୍ୟୁତ କରିବା ପରେ ସେ ଦେଶକୁ ଫେରିବେ । ୟାନୁକୋଭିଚଙ୍କୁ ରୁଷିଆ ଓ ଏହାର ସର୍ବମାନ୍ୟ ନେତା ପୁଟିନଙ୍କ ବଡ ସମର୍ଥକ ବୋଲି କୁହାଯାଉଛି । ୨୦୧୦ରେ ହୋଇଥିବା ସାଧାରଣ ନିର୍ବାଚନରେ ସେ ୟୁକ୍ରେନ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଥିଲେ । ୨୦୧୩ରେ ୟାନୁକୋଭିଚ ୟୁରୋପୀୟ ସଂଘ ସହିତ ବୁଝାମଣା କରିବାକୁ ରାଜି ହୋଇନଥିଲେ । ଏହାପରେ ତାଙ୍କୁ ୨୦୧୪ରେ ଗାଦିଚ୍ୟୁତ କରାଯାଇଥିଲା ।
ଏସବୁ ଭିତରେ ୟୁକ୍ରେନ୍ ରାଜଧାନୀ କିବରେ ଆଜି ବଡ଼ ଧରଣର ଆକ୍ରମଣ କରିବ ଋଷ । ଯୁଦ୍ଧ ଅଷ୍ଟମ ଦିନରେ ପହଂଚିଥିବା ବେଳେ ରାଜଧାନୀ କିବ ଦଖଲ ପାଇଁ ନିର୍ଣ୍ଣାୟକ ଲଢେଇ ଆରମ୍ଭ କରିଛି ଋଷ । କିବକୁ ଚାରିପଟୁ ଲକ୍ଷାଧିକ ସେନା ଘେରି ବୋମା ବର୍ଷା କରୁଛନ୍ତି ରୁଷ ସେନା । ବିଳମ୍ବିତ ରାତିରେ ବିଭିନ୍ନ ସ୍ଥାନରେ ପ୍ରଚଣ୍ଡ ବିସ୍ଫୋରଣ ହୋଇଛି । କିବର ପ୍ରତିରକ୍ଷା ମନ୍ତ୍ରାଳୟ ନିକଟରେ ବିସ୍ଫୋରଣ କରାଯାଇଛି । ସେପଟେ କିବ୍ ମେଟ୍ରୋଷ୍ଟେସନ ନିକଟରେ ମଧ୍ୟ ବଡ ଧରଣର ବିସ୍ଫୋରଣ ହୋଇଥିବା ସୂଚନା ମିଳିଛି । ଆଜିର ଆକ୍ରମଣ ପୂର୍ବରୁ କିବର ଆଲର୍ଟ ଜାରି କରାଯାଇଛି । ରୁଷର ଫାଇଟର ଜେଟ୍ ଟାର୍ଗେଟ୍ରେ ରହିଛି ୧୫ ସହର । ଏହି ସବୁ ସହରରେ ଆକାଶମାର୍ଗରୁ ଆକ୍ରମଣ ପାଇଁ ଯୋଜନା କରୁଛି ରୁଷ । ତେଣୁ ୧୫ଟି ସହରରେ ହାଇ ଆଲର୍ଟ ଜାରି କରିଛି ୟୁକ୍ରେନ୍ । ନାଗରିକଙ୍କୁ ବଙ୍କର ଭିତରକୁ ଯିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଋଷ ସେନା ଜୋରଦାର ଆକ୍ରମଣ କରୁଥିବା ବେଳେ ୟୁକ୍ରେନ୍ ସେନା ମଧ୍ୟ ତାର କଡ଼ା ଜବାବ ଦେଉଛନ୍ତି ।