କନକ ବ୍ୟୁରୋ : ୟୁକ୍ରେନର ୪ଟି ପ୍ରଦେଶକୁ ନିଜ ଦେଶ ସହ ମିଶାଇ ଦେଇଛନ୍ତି ପୁଟିନ । ୟୁକ୍ରେନ ସେନାର ପ୍ରବଳ ବିରୋଧ, ଆମେରିକା, ୟୁରୋପୀୟ ଦେଶମାନଙ୍କର କଟକଣା ଧମକ ସତ୍ତେ୍ୱ୍ୱ ଡୋନେସ୍କ, ଲୋହାନ୍ସ, ଖେରସନ ଓ ଜାପୋରଜିଆକୁ ରୁଷର ଅଂଶ ଭାବେ ଘୋଷଣା କରିଛନ୍ତି ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ । ଏହାସହ ପାଶ୍ଚାତ୍ୟ ଦେଶକୁ ଧମକ ଦେଇଛନ୍ତି ପୁଟିନ୍ ।

Advertisment

ଦଖଲ କରିଥିବା ୪ଟିି ପ୍ରଦେଶରେ ପ୍ରାୟ ୮୮ଲକ୍ଷ ଲୋକ ଅଛନ୍ତି । ଯେଉଁମାନଙ୍କୁ ଏବେ ରୁଷର ନାଗରିକ ବୋଲି ଦାବି କରିଛନ୍ତି ପୁଟିନ୍ । ଆଉ କହିଛନ୍ତି, ଯେ କୌଣସି ମତେ ରୁଷ ତାର ସାର୍ବଭୌମତ୍ୱ ରକ୍ଷା କରିବା ପ୍ରତିଶ୍ରୁତି ବଦ୍ଧ । ରୁଷ ଲୋକଙ୍କର ଏହା ହେଉଛି ମୁକ୍ତି ମିଶନ । ଯଦି ୪ଟି ପ୍ରଦେଶର ନାଗରୀକଙ୍କ ଉପରେ ଆକ୍ରମଣ ହୁଏ ତେବେ ଏହାକୁ ରୁଷ ଉପରେ ଆକ୍ରମଣ ବୋଲି ଧରାଯିବ । ଗତ ସପ୍ତାହରେ ଏହି ୪ଟି ଅଂଚଳକୁ ରୁଷରେ ମିଶାଇବା ପାଇଁ ଗଣଭୋଟ କରିଥିଲା ରୁଷ୍ । ଆଉ ୪ଟି ଯାକ ପ୍ରଦେଶରେ ପ୍ରାୟ ୮୦ ପ୍ରତିଶତରୁ ଅଧିକ ଲୋକ ରୁଷ ସହ ମିଶିବା ସପକ୍ଷରେ ଭୋଟ ଦେଇଥିଲେ ।

ଏହାରି ଭିତରେ ପୁଟିନ ପାଶ୍ଚାତ୍ୟ ରାଷ୍ଟ୍ର ଉପରେ ବର୍ଷିଛନ୍ତି । ଭାରତର ଉଦାହରଣ ଦେଇ ସେ କହିଛନ୍ତି, ଯେପରି ପାଶ୍ଚାତ୍ୟ ଦେଶଗୁଡ଼ିକ ଭାରତକୁ ଲୁଟିଛନ୍ତି, ଠିକ୍ ସେହିପରି ରୁଷକୁ ଲୁଟିବା ପାଇଁ ଏକ ଉପନିବେଶ ନିର୍ମାଣ କରିବାକୁ ଚାହୁଁଛନ୍ତି । ସେ ତାଙ୍କ ଅଭିଭାଷଣରେ ଆହୁରି କହିଛନ୍ତି ଯେ ମଧ୍ୟଯୁଗରେ ପାଶ୍ଚାତ୍ୟ ଦେଶମାନେ ନିଜର ଉପନିବେଶ ଶାସନ ଆରମ୍ଭ କରିଥିଲେ । ସେମାନେ ଆମେରିକୀୟଙ୍କୁ ହତ୍ୟା କରିଥିଲେ । ଭାରତ ଓ ଆଫ୍ରିକାକୁ ଲୁଟି ଥିଲେ ଏବଂ ଚୀନ୍ ସହ ଯୁଦ୍ଧ କରିଥିଲେ । ଲୋକେ ପଶୁଙ୍କ ଭଳି ପାଶ୍ଚାତ୍ୟ ଦେଶ ଗୁଡ଼ିକର ଶିକାର ହୋଇଥିଲେ । ଏସବୁ ପାଇଁ ସେମାନେ ରୁଷକୁ ଏକ ଉପନିବେଶ କରିବାକୁ ଚାହୁଁଥିବା ପୁଟିନ କହିଛନ୍ତି । ଫେବୃଆରୀ ୧୪ରୁ ୟୁକ୍ରେନ ଉପରେ ଆକ୍ରମଣ ଜାରି ରଖିଛି ରୁଷ । ଏହି ଯୁଦ୍ଧରେ ହଜାର ସଂଖ୍ୟକ ଲୋକ, ସେନାଙ୍କ ମୃତ୍ୟୁ ହୋଇସାରିଲାଣି ।