ଆସନ୍ତା ସେପ୍ଟେମ୍ବର ୯-୧୦ ତାରିଖରେ ନୂଆଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ଜି -୨୦ ସମ୍ମିଳନୀରେ ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ପ୍ରତ୍ୟକ୍ଷ ଭାବେ ଯୋଗ‌ ଦେବେନାହିଁ। ପୁଟିନଙ୍କ ସମେତ ସମସ୍ତ ଜି-୨୦ ରାଷ୍ଟ୍ର ନେତା ଏବଂ ଅନ୍ୟ ଅତିଥି ରାଷ୍ଟ୍ରର ପ୍ରତିନିଧିମାନେ ଜି-୨୦ ବୈଠକରେ ଯୋଗ ଦେବା କାର୍ଯ୍ୟକ୍ରମ ଥିଲା। କିନ୍ତୁ ପୁଟିନ ପ୍ରତ୍ୟକ୍ଷ ଭାବେ ଏହି ବୈଠକରେ ଯୋଗ ଦେବେନାହିଁ ବୋଲି ରୁଷ୍‌ ପକ୍ଷରୁ କୁହାଯାଇଛି। କ୍ରେମଲିନ ମୁଖପାତ୍ର ମିଟ୍ରି ପେସକଭ କହିଛନ୍ତି, ୟୁକ୍ରେନରେ ସ୍ବତନ୍ତ୍ର ସାମରିକ ଅପରେସନ୍‌ ଏବେ ପୁଟିନଙ୍କ ମୁଖ୍ୟ ଫୋକସ୍‌ରେ ରହିଛି। ପଶ୍ଚିମ ରାଷ୍ଟ୍ରମାନେ ଲଗାତାର ରୁଷ୍‌ ବିରୋଧୀ ଷଡ଼ଯନ୍ତ୍ର କରୁଛନ୍ତି ଏବଂ ଏବେ ୱାଗନର ସେନା ମୁଖ୍ୟଙ୍କ ମୃତ୍ୟୁ ପାଇଁ ମଧ୍ୟ କ୍ରେମ୍‌ଲିନକୁ ଦାୟୀ କରାଯାଉଛି। ଏଭଳି ସ୍ଥିତିରେ ରାଷ୍ଟ୍ରପତି ପୁଟିନ ପ୍ରତ୍ୟକ୍ଷ ଭାବେ ସମ୍ମିଳନୀରେ ଯୋଗ ଦେଇନପାରନ୍ତି। ପରବର୍ତ୍ତୀ ସମୟରେ ଏସଂକ୍ରାନ୍ତରେ ସ୍ପଷ୍ଟ ବିବରଣୀ ଦିଆଯିବ ବୋଲି କ୍ରେମ୍‌ଲିନ ମୁଖପାତ୍ର କହିଛନ୍ତି।

Advertisment

ଉଲ୍ଲେଖଯୋଗ୍ୟ, ଚଳିତ ସପ୍ତାହରେ ଦକ୍ଷିଣ ଆଫ୍ରିକାରେ ହୋଇଥିବା ବ୍ରିକ୍ସ ସମ୍ମିଳନୀରେ ମଧ୍ୟ ପୁଟିନ ପ୍ରତ୍ୟକ୍ଷ ଯୋଗ ଦେଇନଥିଲେ ଏବଂ ଭିଡିଓ କନ୍‌ଫରେନ୍ସ ମାଧ୍ୟମରେ ସାମିଲ ହୋଇଥିଲେ। ତେବେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌, ଜି-୨୦ ସମ୍ମିଳନୀ ପାଇଁ ଭାରତ ଆସିବେ। ଏହି ସମୟରେ ସେ ୟୁକ୍ରେନ ବିବାଦ ସମେତ ବିଭିନ୍ନ ବୈଶ୍ବିକ ପ୍ରସଙ୍ଗରେ ଅନ୍ୟ ନେତାମାନଙ୍କ ସହ ଆଲୋଚନା କରିବେ। ଅଗଷ୍ଟ ୨୨ ତାରିଖରେ ହ୍ବାଇଟ୍‌ ହାଉସ ପକ୍ଷରୁ ଏନେଇ ଘୋଷଣା କରାଯାଇଛି। ଚୀନ୍‌ ରାଷ୍ଟ୍ରପତି ସି ଜିନପିଙ୍ଗ, କାନାଡ଼ା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୁ ଏବଂ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ ମଧ୍ୟ ସମ୍ମିଳନୀରେ ଯୋଗଦେବେ ବୋଲି ଆଶା କରାଯାଉଛି। ସେହିପରି ୯ ଅତିଥି ରାଷ୍ଟ୍ର ତଥା ବାଂଲାଦେଶ, ଇଜିପ୍ଟ, ମରିସସ୍‌, ନେଦରଲାଣ୍ଡ, ନାଇଜେରିଆ, ଓମାନ, ସିଙ୍ଗାପୁର, ସ୍ପେନ୍ ଏବଂ ୟୁଏଇର ପ୍ରତିନିଧିଙ୍କୁ ସମ୍ମିଳନୀ ପାଇଁ ଭାରତକୁ ନିମନ୍ତ୍ରଣ କରାଯାଇଛି। ଦିଲ୍ଲୀର ପ୍ରଗତି ମଇଦାନରେ ସେପ୍ଟେମ୍ବର ୯-୧୦ ତାରିଖରେ ନବ ନିର୍ମାଣ ଭାରତ ମଣ୍ଡପମରେ ଏହି ସମ୍ମିଳନୀ ହେବ। ‌ସେପ୍ଟେମ୍ବର ୮ ତାରିଖରୁ ବିଶ୍ବ ନେତାମାନେ ଜାତୀୟ ରାଜଧାନୀ‌ରେ ପହଞ୍ଚିବା ଆରମ୍ଭ କରିବେ ।