କନକ ବ୍ୟୁରୋ: ଋଷ- ୟୁକ୍ରେନ ମଧ୍ୟରେ ଥମୁନି ଯୁଦ୍ଧ । ଯୁଦ୍ଧକୁ ୨ ମାସ ହେଲାଣି । ହେଲେ ଆକ୍ରମଣ ଥମିବାର କୌଣସି ସମ୍ଭାବନା ଦେଖାଯାଉନାହିଁ । ୟୁକ୍ରେନକୁ ଯେକୌଣସି ଉପାୟରେ ନିଜ ଅଧିନକୁ ନେବାକୁ ଋଷ ଆପ୍ରାଣ ଉଦ୍ୟମ ଚଳାଇଛି । ଏହା ମଧ୍ୟରେ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦୋମିର ଜେଲେନସ୍କି ବିଶ୍ୱ ସମୁଦାୟକୁ ଚେତାଇବାକୁ ଯାଇ କହିଛନ୍ତି ଯେ, ଆଗାମୀ ଦିନରେ ଋଷ ପକ୍ଷରୁ ପରମାଣୁ ଆକ୍ରମଣ ହେବାର ଯଥେଷ୍ଟ ସମ୍ଭାବନା ରହିଛି । ଏଥିପାଇଁ ଆଉ ଅପେକ୍ଷା ନକରି ପ୍ରସ୍ତୁତ ରହିବା ଜରୁରୀ ବୋଲି ଜେଲେନସ୍କି କହିଛନ୍ତି ।
Advertisment
ଋଷ ଆଣବିକ ଅସ୍ତ୍ର ବ୍ୟବହାର କରିବା ନେଇ ନିଷ୍ପତ୍ତି ନେଇସାରିଥିବାରୁ ସେନେଇ ଆଉ ଗୋଟିଏ ମୁହୂର୍ତ୍ତ ବି ବିଳମ୍ବ କରିବା ଉଚିତ ନୁହେଁ । ୟୁକ୍ରେନ ତଥା ସମସ୍ତ ପାଶ୍ଚାତ୍ୟ ରାଷ୍ଟ୍ରମାନଙ୍କୁ ଏଥିପାଇଁ ବିକିରଣ ନିରୋଧୀ ଔଷଧ ଏବଂ ବିମାନ ଆକ୍ରମଣ ନିରୋଧୀ ଆଶ୍ରୟସ୍ଥଳ ନିହାତି ଆବଶ୍ୟକ । ଋଷ ସେନା ଯେକୌଣସି ସମୟରେ ପରମାଣୁ ଅସ୍ତ୍ର ବ୍ୟବହାର କରିପାରନ୍ତି ବୋଲି ଜେଲେନସ୍କି ଅବଗତ ହୋଇସାରିଛନ୍ତି ବୋଲି କହିଛନ୍ତି ।
ଆହୁରି ମଧ୍ୟ କହିଛନ୍ତି ଯେ,   ମାରୁୟୁପୋଲରେ ଋଷ ସେନା ଚଳାଇଥିବା ନରସଂହାର ଓ ଧ୍ୱଂସଲୀଳା ସବୁ ପ୍ରକାରର ବୁଝାମଣା ପାଇଁ ପଥରୋଧ କରିପାରେ । ମାରିୟୁପୋଲକୁ ରକ୍ଷା କରିବାକୁ ୟୁକ୍ରେନ ପାଶ୍ଚାତ୍ୟ ରାଷ୍ଟ୍ରମାନଙ୍କଠାରୁ ଅଧିକ ସହାୟତା ଆବଶ୍ୟକ କରୁଛି ବୋଲି ଜେଲେନସ୍କି କହିଛନ୍ତି । ସେଠାକାର ପରିସ୍ଥିତି ଅତ୍ୟନ୍ତ ଅମାନବୀୟ । ସେଠାରେ ଯିଏ ଅଛନ୍ତି ଓ ଯାହା କିଛି ରହିଛି ସେସବୁକୁ ମାଟିରେ ମିଶାଇବାକୁ ଋଷ ସେନା ଚେଷ୍ଟା ଚଳାଇଛି ।
ଅନ୍ୟପଟେ ଋଷ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଏହାକୁ ଭୁଲ ବୋଲି କୁହାଯାଇଛି । ୟୁକ୍ରେନର ଅଧିକାଂଶ ସହରରୁ ଋଷ ନିଜ ସେନାକୁ ଫେରାଇନେଇଛି ବୋଲି ଋଷ ପ୍ରତିରକ୍ଷା ବିଭାଗ ପକ୍ଷରୁ କୁହାଯାଇଛି ।