ଫିନଲାଣ୍ଡକୁ ପୁଟିନଙ୍କ ଚେତାବନୀ ! ନାଟୋରେ ମିସିଲେ ଦିଆଯିବ କଡା ଜବାବ

255

କନକ ବ୍ୟୁରୋ : ଋଷ-ୟୁକ୍ରେନ ଯୁଦ୍ଧ ଥମିବାର ନାଁ ନେଉନଥିବା ବେଳେ ପୁଣି ପୁଟିନଙ୍କ ଚିନ୍ତା ବଢିଯାଇଛି । ଋଷର ଉତ୍ତର – ପଶ୍ଚିମ ସୀମାକୁ ଲାଗି ରହିଥିବା ଫିନଲାଣ୍ଡ ଯଥାଶୀଘ୍ର ନାଟୋରେ ସାମିଲ ହେବାକୁ ଯାଉଛି । କେବଳ ଫିନଲାଣ୍ଡ ନୁହେଁ ସ୍ୱିଡେନ୍ ମଧ୍ୟ ଏହି ମେଣ୍ଟରେ ଯୋଗ ଦେଉଥିବା ଜଣାପଡିଛି । ଯାହା ପୁଟିନଙ୍କ କ୍ଷୋଭକୁ ଦୁଇଗୁଣିତ କରିଦେଇଛି । ଏହାକୁ ନେଇ କଡା ଜବାବ ଦିଆଯିବ ବୋଲି ଗୁରୁବାର ପୁଟିନ୍ ଘୋଷଣା କରିଛନ୍ତି । ଋଷର ରାଷ୍ଟ୍ରୀୟ ସୁରକ୍ଷା ଉପରେ ସିଧାସଳଖ ବିପଦ ଥିବାରୁ ଉଚିତ ସମୟରେ ଉଚିତ୍ ଜବାବ ଦିଆଯିବ ବୋଲି ପୁଟି ଚେତାଇଦେଇଛନ୍ତି । ଏପରିକି ଫିନଲାଣ୍ଡ ବିରୋଧରେ ସାମରିକ ଏବଂ ବୈଷୟିକ ସ୍ତରରେ କାର୍ଯ୍ୟାନୁଷ୍ଠାନ ଗ୍ରବଣ କରିବାକୁ ପୁଟିନ୍ ପରୋକ୍ଷରେ ଧମକ ଦେଇଛନ୍ତି ।

ଫିନଲାଣ୍ଡ ଖୁବଶୀଘ୍ର ନାଟୋରେ ସାମିଲ ହେବା ନେଇ ଘୋଷଣା କରିବା ଏବଂ ପୁଟିନଙ୍କ ଚେତାବନି ଆଗକୁ ବିଶ୍ୱଯୁଦ୍ଧ ପାଇଁ ବାଟ କଡାଇବ ବୋଲି ଆଶଙ୍କା ପ୍ରକାଶ ପାଇଛି । କାରଣ ଫିନଲାଣ୍ଡ ଓ ସ୍ୱିଡେନ୍ ନାଟୋରେ ସାମିଲ ହେଲେ ପୂରା ପୂର୍ବ ୟୁରୋପ ସହ ଋଷିଆର ତିକ୍ତତା ବଢିବ । ଯହା ପରବର୍ତ୍ତି ସମୟରେ ମହାଯୁଦ୍ଧରେ ପରିଣତ ହେବାର ଆଶଙ୍କା ରହିଛି । ଋଷିଆର ପଶ୍ଚିମ ସୀମାକୁ ଲାଗିରହିଥିବା ଏବଂ ଏହାର ନିକଟବର୍ତ୍ତି ପଡୋଶୀ ପ୍ରାୟ ସମସ୍ତ ରାଷ୍ଟ୍ର ନାଟୋ ମେଣ୍ଟରେ ସାମିଲ ହୋଇସାରିଛନ୍ତି । ଏହାର ପଶ୍ଚିମ ସୀମାରେ ଥିବା ଏକମାତ୍ର ରାଷ୍ଟ୍ର ବେଲାଋଷକୁ ବାଦ ଦଲେ ପୂର୍ବରୁ ଇଣ୍ଡୋନେସିଆ, ଲାଟିଭିଆ, ଲିଥୁଆନିଆ ଏବଂ ପୋଲାଣ୍ଡ ଆଦି ରାଷ୍ଟ୍ର ନାଟୋ ମେଣ୍ଟରେ ସାମିଲ ହୋଇସାରିଛନ୍ତି । ଆଉ ୟୁକ୍ରେନ୍ ଏହି କ୍ରମରେ ସାମିଲ ହେବାକୁ ଉଦ୍ୟମ କରିବା ପରେ ଯୁଦ୍ଧର ସୂତ୍ରପାତ ହୋଇଥିଲା । ଏହାସହିତ ପୁଟିନ ଦରକାର ପଡିଲେ ଆଣବିକ ଅସ୍ତ୍ର ପ୍ରୟୋଗ କରିବାକୁ ଚେତାବନି ମଧ୍ୟ ଦେଇସାରିଛନ୍ତି ।
ତେବେ ଗୁରୁବାର ଫିନଲାଣ୍ଡ ନାଟୋରେ ସାମିଲ ହେବା ନେଇ ଘୋଷଣା କରିବା ପରେ ପୁଟିନ ପୁଣି ମୁହଁ ଖୋଲିବା ସହିତ ଏହା ଆମ ରାଷ୍ଟ୍ରୀୟ ସୁରକ୍ଷା ପ୍ରତି ବିପଦ ଆସିଛି ବୋଲି କହିଛନ୍ତି । ତେଣୁ କେଉଁ ମୁହୁର୍ତ୍ତରେ ସେ କଠିନ ପଦକ୍ଷେପ ଉଠାଇପାରନ୍ତି ବୋଲି କୁହାଯାଉଛି ।
ଅନ୍ୟପଟେ ୟୁକ୍ରେନର ବିଭିନ୍ନ ଅଞ୍ଚଳରେ ଆକ୍ରମଣକୁ ଆହୁରି ଜୋରଦାର କରିଦେଇଛନ୍ତି ଋଷ ସେନା । ଲୁହାନସ୍କରେ ଗତ ୨୪ ଗଣ୍ଟା ମଧ୍ୟରେ ୨୬ ବୋମାମାଡ କରାଯାଇଥିବା ବେଳେ ଚେର୍ନୋହିବସ୍ଥିତ ୟୁକ୍ରେନର ଦୁଇଟି ପ୍ରମୁଖ ଅସ୍ତ୍ର ଡିପୋ ଉପରେ ମଧ୍ୟ ଆକ୍ରମଣ କରାଯାଇଥିବା ଜଣାପଡିଛି ।