କନକ ବ୍ୟୁରୋ : ଋଷ-ୟୁକ୍ରେନ ଯୁଦ୍ଧ ଭିତରେ ସାମ୍ନାକୁ ଆସିଛି ବଡ ଖବର । ଏହି ମାମଲାରେ ଅଧିକ ମୁଣ୍ଡ ଖେଳାଉଥିବାରୁ ଆମେରିକାକୁ ସିଧାସଳଖ ଚେତାବନୀ ଦେଇଛନ୍ତି ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ । ଋଷ ରାଷ୍ଟ୍ରପତି କହିଛନ୍ତି, ରେଡ ଲାଇନ ପାର କରିଛି ଆମେରିକା । ୟୁକ୍ରେନ ମାମଲାରେ ହସ୍ତକ୍ଷେପ କଲେ ଛାଡିବୁ ନାହିଁ ।

Advertisment

ଏହାପୂର୍ବରୁ ବିଶ୍ୱର ଅନ୍ୟ ରାଷ୍ଟ୍ର ଉଦ୍ଦେଶ୍ୟରେ ଚେତାବନୀ ପୂର୍ଣ୍ଣ ବାର୍ତ୍ତା ଜାରି କରିଥିଲେ ଋଷ ରାଷ୍ଟ୍ରପତି । ଭ୍ଲାଦିମିର ପୁଟିନ୍ କହିଥିଲେ ୟୁକ୍ରେନ ମାମଲାରେ କେହି ମୁଣ୍ଡ ଖେଳାନ୍ତୁ ନାହିଁ । ଯଦି କେହି ମୁଣ୍ଡ ଖେଳାଇବ ତେବେ ପରିଣାମ ଭୟାବହ ହେବ । ଏମିତି ଭୋଗିବ ଯେ ଇତିହାସରେ କେବେ ଭୋଗିନଥିବ । ଏଭଳି କହି କଡା ଚେତାବନୀ ଦେଇଛନ୍ତି ପୁଟିନ୍ ।

ତେବେ ଏହି ଯୁଦ୍ଧକୁ ନେଇ ୟୁକ୍ରେନର ବୈଦଶିକ ମନ୍ତ୍ରୀ ଆମେରିକା ରାଷ୍ଟ୍ରପତିଙ୍କୁ ଭେଟିବା ସହ ପୂରା ସ୍ଥିତି ବାବଦରେ ଅବଗତ କରିଛନ୍ତି । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ କହିଛନ୍ତି ଯେ, ଏହି ଯୁଦ୍ଧରେ ଯେଉଁ ଭୟଙ୍କର ପରିସ୍ଥିତି ସୃଷ୍ଟି ହେବ ସେଥିପାଇଁ ଋଷ ସମ୍ପୂର୍ଣ୍ଣ ଭାବେ ଦାୟୀ ରହିବ । ଆମେରିକା ଓ ଏହାର ସହଯୋଗୀ ଏକାଠି ହୋଇ ଏହାର ଜବାବ ଦେବେ । ଆଉ ପୂରା ବିଶ୍ୱ ଏଥିପାଇଁ ଋଷକୁ ଦାୟୀ କରିବ ।

ଏସବୁ ଭିତରେ ୟୁକ୍ରେନ ମଧ୍ୟ ଯୁଦ୍ଧ ପାଇଁ ରଣହୁଙ୍କାର ଦେଇଛି । ୟୁକ୍ରେନ ଆକାଶରେ ଫାଇଟର ଜେଟ ଉଡୁଥିବା ବେଳେ ଦେଶରେ ମାର୍ଶଲ ଆଇନ ଲାଗୁ କରାଯାଇଛି । ଯାହାଦ୍ୱାରା ଏବେ ସେନା ସିଧାସଳଖ ନିଷ୍ପତ୍ତି ନେବା ସହ କୌଣସି ବି ପରିସ୍ଥିତିର ସାମ୍ନା ପାଇଁ ପ୍ରସ୍ତୁତ ହେଉଛି ।