କନକ ବ୍ୟୁରୋ: ଆଲେକ୍ସି ନେଭେଲନି... ରୁଷିଆରେ ବିରୋଧୀ ଦଳର ନେତା ଆଲେକ୍ସି ନେଭେଲ୍ନି, ଏକ କ୍ୟାଫେରେ ଚା ପିଇବା ପରେ ହଠାତ ବିମାନରେ ଅସୁସ୍ଥ ହୋଇପଡିଲେ । ଶରୀରରେ ବିଷକ୍ରିୟା ଯୋଗୁଁ ତାଙ୍କୁ ଚିକିତ୍ସା ପାଇଁ ବର୍ଲିନ ସ୍ଥାନାନ୍ତର କରାଯାଇଥିଲା । ତାଙ୍କର ମୃତ୍ୟୁ ହେଲାନାହିଁ, କିନ୍ତୁ ସବୁଦିନ ପାଇଁ ସେ କୋମାକୁ ଚାଲିଗଲେ । ଅଭିଯୋଗ ହେଉଛି ବିମାନବନ୍ଦରରେ ତାଙ୍କ ଚା’ରେ ବିଷ ମିଶାଇ ଦିଆଯାଇଥିଲା । ରୁଷରେ ଦୁର୍ନୀତି ବିରୋଧୀ ନେତା ଭାବେ ଜଣାଶୁଣା ନଭେଲ୍ନିଙ୍କୁ ରାଜନୈତିକ ଉଦ୍ଦେଶ୍ୟ ରଖି ରାସ୍ତାରୁ ହଟାଇ ଦେବାପାଇଁ ଷଡଯନ୍ତ୍ର ହୋଇଥିବା ଅଭିଯୋଗ ରହିଛି ।

Advertisment

ରୁଷିଆରେ ବିରୋଧୀ ଦଳର ନେତା ଆଲେକ୍ସି ନେଭେଲନି ଦୁର୍ନୀତି ବିରୋଧରେ ସ୍ୱର ଉଠାଇ ପୁଟିନଙ୍କ ଆଖିର କଣ୍ଟା ପାଲଟି ଯାଇଥିଲେ । ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଦଳ ୟୁନାଇଟେଡ୍ ରୁଷ ପାର୍ଟିକୁ ବଦମାସ ଓ ଚୋରଙ୍କ ପାର୍ଟି କହି ୨୦୧୧ରେ ଗିରଫ ହୋଇଥିଲେ । ବାରମ୍ବାର ପୁଟିନଙ୍କ ବିରୋଧରେ ସ୍ୱର ଉଠାଇ ଗିରଫ ହୋଇଥିଲେ । ୨୦୧୩ ଜୁଲାଇରେ ମଧ୍ୟ ପୁଣି ତାଙ୍କୁ ଗିରଫ କରି ୧୫ ଦିନ ପାଇଁ ଜେଲ ପଠାଇ ଦିଆଯାଇଥିଲା । ୨୦୧୮ରେ ମଧ୍ୟ ପୁଟିନଙ୍କ ବିରୋଧରେ ରାଷ୍ଟ୍ରପତି ନିର୍ବାଚନରେ ଛିଡା ହେବାକୁ ଚେଷ୍ଟା କରିଥିଲେ, କିନ୍ତୁ ଧୋକାବାଜି ଅଭିଯୋଗରେ ତାଙ୍କୁ ନିର୍ବାଚନ ଲଢିବାର ସୁଯୋଗ ଦିଆଯାଇ ନଥିଲା ।

ଆନାଟୋଲି ଗେରାଶ୍ଚେଙ୍କୋ- ଆନାଟୋଲି ରୁଷର ବିମାନ ବିଶେଷଜ୍ଞ ଭାବେ ଯେଉଁ ସଂସ୍ଥାରେ କାମ କରୁଥିଲେ, ସେହି ସଂସ୍ଥା ମୁଖ୍ୟାଳୟର ସିଡିରୁ ଖସି ତାଙ୍କର ମୃତ୍ୟୁ ହୋଇଥିଲା । ସେ ରୁଷୀୟ ବିମାନ ଶିଳ୍ପର ଗୁଇନ୍ଦାଗିରି କରୁଥିବା ବେଳେ ଅନେକ ଦିନରୁ ସନ୍ଦେହରେ ଥିଲେ ।

ନିକୋଲାଇ ଗ୍ଲୁଶକୋଭ- ୨୦୧୮ ମସିହା ମାର୍ଚ୍ଚ ୧୨ ତାରିଖରେ ଲଣ୍ଡନର ନ୍ୟୁ ମେଲଡେନରୁ ନିକୋଲାଇ ଗ୍ଲୁଶକୋଭଙ୍କର ମୃତଦେହ ମିଳିଥିଲା । ସେ ରୁଷୀୟ ନ୍ୟାଶନାଲ ଏୟାର କ୍ୟାରିୟର ଏରୋପ୍ଲଟର ସହନିର୍ଦ୍ଦେଶକ ଥିଲେ ଓ କ୍ରେମଲିକର ଜଣେ ବଡ଼ ସମାଲୋଚକ ଥିଲେ ।

ବୋରିସ ବେରେଜୋଭସ୍କି- ନିକୋଲାଇ ଗ୍ଲୁଶକୋଭଙ୍କ ଘନିଷ୍ଠ ବନ୍ଧୁ ବୋରିସ୍ ବେରେଜୋଭସ୍କି ମଧ୍ୟ କ୍ରେମଲିନର ବଡ଼ ସମାଲୋଚକ ଥିଲେ । ୨୦୧୩ରେ ବୋରିସଙ୍କ ବେକରେ ଏକ ଲିଗେଚର ସହିତ ମୃତଦେହ ଉଦ୍ଧାର କରାଯାଇଥିଲା

ରାଭିଲ ମାଗାନୋଭ- ୨୦୨୨ ମସିହା ସେପ୍ଟେମ୍ବର ୧ରେ ହସ୍ପିଟାଲ ଝରକାରୁ ପଡ଼ି ରାଭିଲ ମାଗାନୋଭଙ୍କ ମୃତ୍ୟୁ ହୋଇଥିଲା । ସେ ରୁଷୀୟ ଏକ ଘରୋଇ ତୈଳ କମ୍ପାନୀର ଅଧ୍ୟକ୍ଷ ପଦ ସମ୍ଭାଳିଥିଲେ

ରାୟଗଡାରେ ଜନ୍ମଦିନ ପାଳିବାକୁ ଆସି ରହସ୍ୟଜନକ ଭାବେ ମୃତ୍ୟୁ ହୋଇଥିବା ପାଭେଲ ଆଂଟୋବ ରୁଷିଆର ଜଣେ ଧନୀ ସାଂସଦ । ସେ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଜଣେ ତୀବ୍ର ସମାଲୋଚକ ଥିଲେ । ରୁଷ-ୟୁକ୍ରେନ୍ ଯୁଦ୍ଧ ସମୟରେ ପୁଟିନ୍ଙ୍କୁ ସମାଲୋଚନା କରି ଏକ ବ୍ଲୋଗ ପୋଷ୍ଟ କରି ଚର୍ଚ୍ଚାକୁ ଆସିଥିଲେ । କିଭ ଉପରେ ହୋଇଥିବା ଆକ୍ରମଣକୁ ରୁଷର ଆତଙ୍କ ବୋଲି କହି ସମାଲୋଚନା କରିଥିଲେ । ତେଣୁ ତାଙ୍କ ସନ୍ଦେହଜନକ ମୃତ୍ୟୁକୁ ପୁଟିନଙ୍କ ନୋଭିଚୋକ୍ ନର୍ଭ ଏଜେଣ୍ଟଙ୍କ ସହ ଯୋଡି ଦେଖାଯାଉଛି ।