କନକ ବ୍ୟୁରୋ : ଏବେ ବି ଜାରି ରହିଥି ଋଷ ୟୁକ୍ରେନ୍ ଯୁଦ୍ଧ । ଋଷ ଆକ୍ରମଣରେ ୟୁକ୍ରେନର ଅଧାରୁ ଅଧିକ ସହର ଧ୍ୱଂସ ସ୍ତୁପରେ ପରିଣତ ହୋଇଯାଇଥିବା ବେଳେ ତାଜା ରିପୋର୍ଟ କହୁଛି ୟୁକ୍ରେନର ୪ଟି ପ୍ରଦେଶକୁ ନିଜ ଦେଶ ସହ ମିଶାଇ ଦେଇଛନ୍ତି ପୁଟିନ । ୟୁକ୍ରେନ ସେନାର ପ୍ରବଳ ବିରୋଧ, ଆମେରିକା, ୟୁରୋପୀୟ ଦେଶମାନଙ୍କର କଟକଣା ଓ ଧମକ ସତ୍ୱେ ଡୋନେସ୍କ, ଲୋହାନ୍ସ, ଖେରସନ ଓ ଜାପୋରଜିଆକୁ ରୁଷର ଅଂଶ ଭାବେ ଘୋଷଣା କରିଛନ୍ତି ରାଷ୍ଟ୍ରପତି ଭ୍ଲାଦିମୀର ପୁଟିନ । ଏହି ଚାରିଟି ପ୍ରଦେଶରେ ପ୍ରାୟ ୮୮ଲକ୍ଷ ଲୋକ ଅଛନ୍ତି । ଯେଉଁମାନଙ୍କୁ ଏବେ ରୁଷର ନାଗରିକ ବୋଲି ଦାବି କରିଛନ୍ତି ପୁଟିନ୍ । ଆଉ କହିଛନ୍ତି, ଯେ କୌଣସି ମତେ ରୁଷ ତାର ସାର୍ବଭୌମତ୍ୱ ରକ୍ଷା କରିବା ପାଇଁ ପ୍ରତିଶ୍ରୁତି ବଦ୍ଧ । ରୁଷ ଲୋକଙ୍କର ଏହା ହେଉଛି ମୁକ୍ତି ମିଶନ ।
ଅନ୍ୟପଟେ ଏହାକୁ ନେଇ ପ୍ରତିକ୍ରିୟାଶିଳ ହୋଇଉଠିଛି ଆମେରିକା । ରାଷ୍ଟ୍ରପତି ଜୋ ବାଇଡେନ୍ ଋଷ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନଙ୍କୁ ଚେତାବନି ଦେଇଛନ୍ତି । ବାଇଡେନ୍ କହିଛନ୍ତି, ଆମେରିକା ନାଟୋ ଦେଶ ଗୁଡିକର ସୁରକ୍ଷା ପାଇଁ ସର୍ବଦା ପ୍ରସ୍ତୁତ । ଗୋଟିଏ ବି ଇଂଚ୍ ଜାବା ଉପରେ କବ୍ଚା କରିବାକୁ ଦେବନାହିଁ ଆମେରିକା । ସହଯୋଗୀ ନାଟୋ ଦେଶଗୁଡିକ ସହ ଆମେରିକା ସର୍ବଦା ରହିଛି ଆଉ ରହିଥିବ ।
ସେପଟେ, ଆମେରିକାର ଚେତାବନୀକୁ ଖାତିର ନକରି ପୁଟିନ୍ କହିଛନ୍ତି । ଯଦି କବ୍ଚାକୁ ନିଆଯାଇଥିବା ୟୁକ୍ରେନର ୪ଟି ପ୍ରଦେଶର ନାଗରୀକଙ୍କ ଉପରେ ଆକ୍ରମଣ ହୁଏ ତେବେ ଏହାକୁ ରୁଷ ଉପରେ ଆକ୍ରମଣ ବୋଲି ଧରାଯିବ । ଗତ ସପ୍ତାହରେ ଏହି ୪ଟି ଅଂଚଳକୁ ରୁଷରେ ମିଶାଇବା ପାଇଁ ଗଣଭୋଟ କରିଥିଲା ରୁଷ୍ । ଆଉ ୪ଟି ଯାକ ପ୍ରଦେଶରେ ପ୍ରାୟ ୮୦ ପ୍ରତିଶତରୁ ଅଧିକ ଲୋକ ରୁଷ ସହ ମିଶିବା ସପକ୍ଷରେ ଭୋଟ ଦେଇଥିଲେ । ଏହାରି ଭିତରେ ପୁଟିନ ପାଶ୍ଚାତ୍ୟ ରାଷ୍ଟ୍ର ଉପରେ ବର୍ଷିଛନ୍ତି । ଭାରତର ଉଦାହରଣ ଦେଇ ସେ କହିଛନ୍ତି, ଯେପରି ପାଶ୍ଚାତ୍ୟ ଦେଶଗୁଡ଼ିକ ଭାରତକୁ ଲୁଟିଛନ୍ତି, ଠିକ୍ ସେହିପରି ରୁଷକୁ ଲୁଟିବା ପାଇଁ ଏକ ଉପନିବେଶ ନିର୍ମାଣ କରିବାକୁ ଚାହୁଁଛନ୍ତି । ସେ ତାଙ୍କ ଅଭିଭାଷଣରେ ଆହୁରି କହିଛନ୍ତି ଯେ ମଧ୍ୟଯୁଗରେ ପାଶ୍ଚାତ୍ୟ ଦେଶମାନେ ନିଜର ଉପନିବେଶ ଶାସନ ଆରମ୍ଭ କରିଥିଲେ । ସେମାନେ ଆମେରିକୀୟଙ୍କୁ ହତ୍ୟା କରିଥିଲେ । ଭାରତ ଓ ଆଫ୍ରିକାକୁ ଲୁଟି ଥିଲେ ଏବଂ ଚୀନ୍ ସହ ଯୁଦ୍ଧ କରିଥିଲେ । ଲୋକେ ପଶୁଙ୍କ ଭଳି ପାଶ୍ଚାତ୍ୟ ଦେଶ ଗୁଡ଼ିକର ଶିକାର ହୋଇଥିଲେ । ଏସବୁ ପାଇଁ ସେମାନେ ରୁଷକୁ ଏକ ଉପନିବେଶ କରିବାକୁ ଚାହୁଁଥିବା ପୁଟିନ କହିଛନ୍ତି ।
ତେବେ ଫେବୃଆରୀ ୧୪ରୁ ୟୁକ୍ରେନ ଉପରେ ଆକ୍ରମଣ ଜାରି ରଖିଛି ରୁଷ । ଏହି ଯୁଦ୍ଧରେ ହଜାର ସଂଖ୍ୟକ ଲୋକ, ସେନାଙ୍କ ମୃତ୍ୟୁ ହୋଇସାରିଥିବା ବେଳେ ରୁଷର ମିଜାଇଲ ଆକ୍ରମଣରେ ପୁଣିଥରେ ଧରାଶାୟୀ ହୋଇଛି ୟୁକ୍ରେନ । ଆକ୍ରମଣରେ ଏକାଧିକ ୟୁକ୍ରେନ ନାଗରିକ ପ୍ରାଣ ହରାଇଛନ୍ତି । ଜାପୋରିଜିଆ ଅଂଚଳରେ ନାଗରିକଙ୍କ କାର ଉପରକୁ ଆକ୍ରମଣ କରାଯାଇଥିଲା । ଯେଉଁଥିରେ ଶିଶୁ ସମେତ ୩୦ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୮୦ରୁ ଅଧିକ ଆହତ ହୋଇଥିବା ଜଣାପଡ଼ିଛି ।
ମିଳିଥିବା ସୂଚନା ଅନୁସାରେ, ଜାପୋରିଜିଆକୁ ରୁଷ୍ ନିଜ ଅକ୍ତିଆରକୁ ନେଇଯିବା ପରେ ଏଠାକାର ଲୋକେ ଭୟଭୀତ ହୋଇପଡ଼ିଛନ୍ତି । କିଛି ଲୋକେ ସେମାନଙ୍କ ସମ୍ପର୍କୀୟଙ୍କ ଘରକୁ ପଳାଇବାକୁ ଉଦ୍ୟମ କରୁଛନ୍ତି । ଏହି ସମୟରେ ରୁଷ୍ ସେମାନଙ୍କ ଉପରକୁ ମିଜାଇଲ ଆକ୍ରମଣ କରିଥିବା ଜଣାପଡ଼ିଛି ।