ରକ୍ତମୁଖା ପୁଟିନ୍ ସେନା କମାଣ୍ଡର । । ସୈନ୍ୟ ଆହତ ହେଲେ ଗୁଳି କରି କରୁଛନ୍ତି ହତ୍ୟା।

166

କନକ ବ୍ୟୁରୋ: ୟୁକ୍ରେନ ଉପରେ ବିଜୟ ହାସଲ ପାଇଁ ରକ୍ତମୁଖା ହୋଇ ଉଠିଛି ଋଷ । ୟୁକ୍ରେନ ମାଟିରେ ଅନେକ ନିରୀହଙ୍କୁ ହତ୍ୟାକରିଥିବା ପୁଟିନ୍ ସେନା ଏବେ ଏପରି କାଣ୍ଡ ଘଟାଉଛି ଯାହାକୁ ଶୁଣିଲେ ଛାତି ଥରିଉଠିବ । ଯୁଦ୍ଧବେଳେ ଯେଉଁ ସୈନ୍ୟ ଆହତ ହେଉଛନ୍ତି ସେମାନଙ୍କୁ ମିଳୁଛି ମୃତ୍ୟୁ । ଯୁଦ୍ଧରେ ଯଦି କୌଣସି ସୈନ୍ୟ ଆହତ ହେଉଛନ୍ତି ସେମାନଙ୍କୁ ଦିଆଯାଉନାହିଁ କୌଣସି ଡାକ୍ତରୀ ଚିକିତ୍ସା । ବରଂ ମିଳୁଛି ଭୟଙ୍କର ମୃତ୍ୟୁ । ଚିକିତ୍ସିତ ହେବା କିମ୍ବା ନିଜ ପରିବାର ଲୋକଙ୍କୁ ଦେଖିବାକୁ ବିକଳ ନିବେଦନ କଲେ ବି କିଛି ଶୁଣୁନାହାଁନ୍ତି ସେନା ଅଧିକାରୀ । ପୁଟିନଙ୍କର କିଛି ସୈନ୍ୟ ଏହି ଲୋମଟାଙ୍କୁରା ସତକୁ ପ୍ରକାଶ କରିଛନ୍ତି ।

ୟୁକ୍ରେନ ଦ୍ୱାରା ଗିରଫ ହୋଇଥିବା କିଛି ସୈନ୍ୟ ନିଜ କମାଣ୍ଡରଙ୍କ କ୍ରୁରତାର ପର୍ଦ୍ଦାଫାଶ କରିଛନ୍ତି । ସେମାନଙ୍କ କହିବା ମୁତାବକ, ସେମାନଙ୍କର କିଛି ସାଥୀ ସୈନ୍ୟ ୟୁକ୍ରେନ ସହ ଯୁଦ୍ଧରେ ଆହତ ହୋଇଥିଲେ । ତୁରନ୍ତ ସେମାନଙ୍କୁ ହସ୍ପିଟାଲ ନେବା ବଦଳରେ ଜଣେ ଲେପ୍ଟେନାଣ୍ଟ ସେମାନଙ୍କୁ ଗୁଳି କରି ହତ୍ୟା କରିଥିଲେ । ସେମାନଙ୍କ ଆଖି ଆଗରେ ଏହା ଘଟିଥିଲେ ବି ସେମାନେ କିଛି କରିପାରିନଥିଲେ ।

ଲେପ୍ଟେନାଣ୍ଟ କର୍ଣ୍ଣେଲ ଜଣ ଜଣ କରି ସୈନ୍ୟଙ୍କୁ ଛିଡା କରାଇ ଚାଲିବା ପାଇଁ କହିଥିଲେ । ଯେଉଁମାନେ ଚାଲିବାକୁ ଅସମର୍ଥ ବୋଲି କହିଥିଲେ ସେମାନଙ୍କୁ ତୁରନ୍ତ ହତ୍ୟା କରାଯାଇଥିଲା । ୟୁକ୍ରେନୀୟ ସାମ୍ବାଦିକ ଭୋଲୋଡିମର ଗୋଲକିନଙ୍କ ନିକଟରେ କିଛି ଗୁଇନ୍ଦା ସୈନ୍ୟ ଏହି ସତ ଓଗାଳିଛନ୍ତି । ଏନେଇ କିଛି ଭିଡିଓ କ୍ଲିପ ମଧ୍ୟ ସାମନାକୁ ଆସିଛି । କିଛି ସୈନ୍ୟ ଆହତ ହୋଇ ତଳେ ପଡି ଛଟପଟ ହେଉଥଲେ । ଏମାନେ ଚିକିତ୍ସା ପରେ ସୁସ୍ଥ ହୋଇ ପୁଣି ଦେଶ ପାଇଁ କାର୍ଯ୍ୟ କରିପାରିଥାନ୍ତେ । ହେଲେ ସେମାନଙ୍କୁ ଆଉ ସୁଯୋଗ ଦିଆଯାଇନଥିଲା ବରଂ ଗୁଳି କରି ହତ୍ୟା କରାଯାଇଥିଲା ।

କେବଳ ଏତିକି ନୁହେଁ ଏପରି ଗଣହତ୍ୟା ପରେ ମୃତଦେହ ଗୁଡିକୁ କବର ଦିଆନଯାଇ ବରଂ ରାସ୍ତା କଡରେ ସେପରି ଛାଡି ପଳାଇଥିଲେ କମାଣ୍ଡର । ଏଥିରୁ ପୁଟିନ ସରକାର କେତେ ସ୍ୱାର୍ଥାନ୍ଧ ତାହା ସ୍ପଷ୍ଟ ହୋଇଛି । ଏବଂ ଏହି ଯୁଦ୍ଧ କେବଳ ୟୁକ୍ରେନବାସୀଙ୍କ ପାଇଁ ଦୁଃଖ ଆଣିନାହିଁ ବରଂ ଋଷ ସୈନ୍ୟଙ୍କ ପାଇଁ ଅଭିଶାପ ପାଲଟିଛି ।

ଏହାପୂର୍ବରୁ ସୋସିଆଲ ମିଡିଆରେ ଅନେକ ଋଷ ସୈନ୍ୟଙ୍କ ଅସହାୟ କାହାଣୀ ଭାଇରାଲ ହୋଇସାରିଛି,ଯେଉଁଥିରେ ନିଜ ସ୍ୱାର୍ଥ ପାଇଁ ଋଷ କିପରି ସେମାନଙ୍କୁ ବଳି ପକାଉଛି ପ୍ରମାଣ ହୋଇସାରିଛି । ଏହାସହ ଯେଉଁମାନେ ନୂଆ କରି ସେନାରେ ତାଲିମ ନେଉଥିଲେ ସେମାନଙ୍କୁ ରଣ କ୍ଷେତ୍ରକୁ ପଠାଇଥିଲା ଋଷ ସରକାର । ଏହାପୂର୍ବରୁ ନିଜ ସୈନ୍ୟଙ୍କ ଉପରେ ଜଣେ କର୍ଣ୍ଣେଲ ଟ୍ୟାଙ୍କ ଚଢାଇଦେବା ଘଟଣା ମଧ୍ୟ ପ୍ରକାଶ ପାଇଥିଲା । ଏସବୁ ଘଟଣା ଋଷ ସେନାଧିକାରୀଙ୍କ ବର୍ବରତାକୁ ପଦାରେ ପକାଇଛି ।