ପୁରୀ ଶ୍ରୀନଅରରେ ପାଳିତ ହେଉଛି ପୁଷ୍ୟାଭିଷେକ ନୀତି: ଗଜପତି ମହାରାଜଙ୍କ ହେଲା ରାଜାଭିଷେକ

115

କନକ ବ୍ୟୁରୋ: ପୁରୀ ଶ୍ରୀନଅରରେ ପାଳିତ ହୋଇଛି ଗଜପତି ମହାରାଜଙ୍କ ପୁଷ୍ୟାଭିଷେକ ନୀତି । ଆଜି ରବିବାର ମାଘମାସର ପୁଷ୍ୟା ନକ୍ଷତ୍ର ପଡୁଥିବାରୁ ଶ୍ରୀନଅରରେ ମହାପ୍ରଭୁଙ୍କର ଚଳିନ୍ତି ପ୍ରତିମା ଗଜପତିଙ୍କ ରାଜାଭିଷେକ କରାଯାଇଛି । ଷୋଳ ଶାସନ ବ୍ରାହ୍ମଣ ଓ ୩୨ କରବାଡ ପ୍ରତିନିଧି ଗଜପତିଙ୍କୁ ଆଶୀର୍ବାଦ ପ୍ରଦାନ କରିଛନ୍ତି । କୁହାଯାଏ, ତ୍ରେତୟା ଯୁଗରେ ପ୍ରଭୁ ରାମଚନ୍ଦ୍ର ପୁଷ୍ୟା ନକ୍ଷତ୍ରରେ ଅଯୋଧ୍ୟାରେ ରାଜଗାଦି ଆରୋହଣ କରିଥିଲେ । ସେହି ପରମ୍ପରା ଅନୁସାରେ, ପ୍ରଥମେ ଗଜପତି ମହାରାଜଙ୍କ ରାଜାଭିଷେକ କରାଯାଇଥାଏ । ଗଜପତିଙ୍କୁ ପଇତାଲାଗି କରିବା ପରେ ଷୋଳଶାସନର ପ୍ରତିନିଧି ମନ୍ତ୍ର ପାଠ କରି ମହାରାଜଙ୍କ ପୁଷ୍ୟାଭିଷେକ କରିଥିଲେ । ନଡିଆ, ଗୁଆ, ତାମ୍ର ପଇତା ଭେଟିଦେଇଥିଲେ । ଏଥିରେ ଷୋଳଶାସନର ବ୍ରାହ୍ମଣମାନଙ୍କୁ ମଧ୍ୟ ମହାରାଜଙ୍କ ପକ୍ଷରୁ ମହାପ୍ରସାଦ ଭେଟି ଦିଆଯିବାର ବିଧି ରହିଛି । ପୁଷ୍ୟାଭିଷେକରେ ଷୋଳଶାସନ ବ୍ରାହ୍ମଣ, ବିଭିନ୍ନ ମଠାର ମଠାଧୀଶ ଓ ସାଧୁସନ୍ଥଙ୍କ ସମାଗମ ହୋଇଥିଲା ।