ସିଲେରୁ ନଦୀ କୂଳରୁ ଚନ୍ଦନ କାଠ ଚାଲାଣ କରିବ ପୁଷ୍ପା । ଖବର ପାଇ ମାଲକାନଗିରିର ଘଞ୍ଚ ଜଙ୍ଗଲରେ ପହଞ୍ଚିଲେ ଏସପି ଶେଖାୱତ ।

894

କନକ ବ୍ୟୁରୋ: ମାଲକାନଗିରି ଜଙ୍ଗଲରେ ଏସପି ଶେଖାୱତ । ପୁଷ୍ପାକୁ ଖୋଜିବାକୁ ପକାଇଛନ୍ତି ଡେରା । ସିଲେରୁ ନଈ କୂଳରେ ପୁଷ୍ପା ପାଇଁ ପୋଲିସ କ୍ୟାମ୍ପ୍… ଘଞ୍ଚ ଜଙ୍ଗଲ, ନଈ କୂଳ । ନିଛାଟିଆ ଅରଣ୍ୟର ଫାଇଦା ନେଇ ପୁଳାପୁଳା ଚନ୍ଦନ କାଠ ଚୋରି କରୁଛି ପୁଷ୍ପା । ଯାହାର ଖବର ପାଇ ମାଲକାନଗିରିରେ ପହଞ୍ଚିଛନ୍ତି ଏସପି ଭଁୱର ସିଂ ଶେଖାୱତ । ଆନ୍ଧ୍ର- ଓଡିିଶା ସୀମା ସିଲେରୁ ନଈ କୂଳର ପୁଷ୍ପା ଲାଲ ଚନ୍ଦନ ଚାଲାଣ କରୁଛି ଆଉ ପୁଷ୍ପାର ଏହି ପ୍ଲାନକୁ ପଣ୍ଡୁର କରି ତା ହାତରେ ହାତକଡି ପକାଇବାକୁ ପୂରା ପୋଲିସ ଫୋର୍ସ ଧରି ପୋଲେରୁ ଜଙ୍ଗଲରେ ପଇଁତରା ମାରୁଛନ୍ତି ଏସପି ଶେଖାୱତ ।

ମାଲକାନଗିରି ଜିଲ୍ଲାର ଦୁର୍ଗମ ପୋଲେରୁ ଗାଁ ମୁଣ୍ଡରେ ପୁଷ୍ପା-୨ର ସୁଟିଂ ଚାଲିଛି । ଯେଉଁଠି ପହଞ୍ଚିଛନ୍ତି ସିନେମାର ଖଳନାୟକ ତଥା ପୁଷ୍ପା ଚଳଚିତ୍ରର ଏସପି ଭଁୱର ସିଂ ଶେଖାୱତ । ସୁଟିଂ ସେଟରେ ପହଦ ଫଜିଲ ପହଞ୍ଚିଥିବା ବେଳେ ସେଟ୍ ବାହାରେ ତାଙ୍କ ଦାମୀ ଗାଡି ଛିଡା ହୋଇଥିବା ଦେଖିବାକୁ ମିଳିଛି । ନିଜ ପତ୍ନୀଙ୍କ ସହ ଆସିଥିବା ପହଦ ସାଙ୍ଗରେ ତାଙ୍କ ମେକଅପ୍ ଆଟିଷ୍ଟଙ୍କ ଠାରୁ ଆରମ୍ଭ କରି କଷ୍ଟ୍ୟୁମ ଡିଜାଇନର ଟିମ, ରୋଷେୟାଙ୍କ ସହ ପ୍ରାୟ ୨୦ ଜଣିଆ ଟିମ୍ ଏହି ଘଞ୍ଚ ଜଙ୍ଗଲରେ ଡେରା ପକାଇଥିବା ସୂଚନା ମିଳିଛି । ଆଉ ଏସପି ଶେଖାୱତ ଏକ ବିଶାଳପୂର୍ଣ୍ଣ ଭ୍ୟାନିଟି ଭ୍ୟାନରେ ସମୟ ବିତାଉଛନ୍ତି ।

ପୁଷ୍ପା ଫିଲ୍ମରେ ଅଭିନୟ କରିବାକୁ ଆନ୍ଧ୍ର-ଓଡିସା ସୀମାବର୍ତ୍ତି ଗାଁରେ ଲାଗୁଛି ଯୁବକଙ୍କ ଭିଡ । କିଏ ପୋଲିସ ହେବାକୁ ଇଚ୍ଛା ପ୍ରକାଶ କରୁଛି ତ କିଏ କାଠ ବୋହି ସିନେମାରେ ଭାଗ ନେବାକୁ ଇଚ୍ଛୁକ ଅଛନ୍ତି । ଖାଲି ଓଡିଶା ନୁହେଁ ଓଡିଶା ବାହାରୁ ବି ଆଗ୍ରହୀ ଯୁବକ ଏହି ଜଙ୍ଗଲରେ ଡେରା ପକାଇଛନ୍ତି ।

ସେପଟେ ଆଗାମୀ ୧୦ ଦିନ ଯାଏଁ ମାଲକାନଗିରିର ଏହି ଲୋକେସନରେ ପୁଷ୍ପା-୨ର ଅନେକ ଖତରନାକ ସିନ୍ ସୁଟିଂ ହେବାର ଅଛି । ବିଶେଷ କରି ଚନ୍ଦନ କାଠ ଚୋରା ଚାଲାଣ, ଟ୍ରକ ଯୋଗେ ପରିବହନ ଓ ଅନେକ ଫାଇଟ୍ ସିନ ସୁଟ୍ ହେବ ବୋଲି ଜଣା ପଡିଛି । ଆଉ ଏହାରି ଭିତରେ ସିନେ ପ୍ରେମୀ ଯୁବକ ସୁଟିଂ ସେଟକୁ ଦର୍ଶକ ମନା ଥିବାରୁ ନିରାଶ ହୋଇ ଫେରୁଛନ୍ତି ।