ଏକାଠି କଲା ପରମ୍ପରା…ଡାକ୍ତର, ଇଂଜିନିୟର ସମସ୍ତେ ଜଣେ ଜଣେ କଳାକାର…ସବୁ କିଛି ଭୂଲି ସଂସ୍କୃତିକୁ ପୁଣି ଥରେ ଜୀବିତ କରିବାକୁ ଅଣ୍ଟା ଭିଡିଲେ କୋରାପୁଟର ପୁରୁଷ ଓ ମହିଳା

365

କନକ ବ୍ୟୁରୋ: ରଙ୍ଗ ମଞ୍ଚରେ ଦୁଲୁକିଲା, ନାଚ ଗୀତରେ କମ୍ପିଲା ପୂରା ସହର । ରାସ୍ତାକୁ ଓହ୍ଲାଇଲେ ସବୁ କଳାକାର । ନା ଥିଲା ବୟସର କୌଣସି ସୀମା ନା ହିଁ ଥିଲା ପଦବୀର ଭୟ । ପେଶାରେ କିଏ ଡ଼ାକ୍ତର ତ କିଏ ଇଞିନିୟର ତ ଆଉ କିଏ  ବ୍ୟବସାୟୀ  । ସବୁକୁ ଭୂଲି ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ନିଜର ପରମ୍ପରା ଓ ସଂସ୍କୃତିକୁ ପୁଣି ଥରେ ଜୀବିତ କରିବା ପାଇଁ ଏକାଠି ହୋଇଛନ୍ତି ଏମାନେ ।

ଜିଲ୍ଲାରେ ପ୍ରଥମ ଥର ହେଉଥିବା ଏହି କାର୍ଯ୍ୟକ୍ରମରେ ଦେଖିବାକୁ ମିଳିଥିଲା କୃଣ୍ଣ, ବଳରାମ, ରାବଣ, ସୀତା, ଗାନ୍ଧାରୀ  ପରି ଭଳି କି ଭଳି ରୂପ ।  କିଏ ହାତରେ ଖଣ୍ଡା ଧରିଛି ତ କିଏ ଗଦା, ଆଉ କିଏ ଭାରତ ମାତା ତ କିଏ ଶିବ ଓ ଦ୍ରୋଣାଚାର୍ଯ୍ୟ ବେଶରେ ଆସିଥିଲେ ନଜର । ଖାଲି ପୁରୁଷ ନୁହଁନ୍ତି ମହିଳାଙ୍କୁ ମଧ୍ୟ ଦେଖିବାକୁ ମିଳିଥିଲା ବିଭିନ୍ନ ରୁପରେ । କିଏ ସାଜିଛି ଆଦିବାସୀ ତ ପୁଣି କିଏ ଦୂର୍ଗା ବେଶରେ ନିଜକୁ କରୁଛନ୍ତି ପ୍ରଦର୍ଶିତ। ଗୀତ ହେଉ କି ନାଚ ମାଧ୍ୟମରେ ଏମାନେ ଉପସ୍ଥାପନ କରୁଛନ୍ତି ରାମାୟଣଠାରୁ ମହାଭାରତର  କାହାଣୀ  । ତେବେ ଏଭଳି ହିଁ ଏକ ମହତ୍ ଉଦେ୍ଧଶ୍ୟକୁ ନେଇ ବାହାରିଥିବା ଏହି କଳାକାରମାନେ କେବଳ କଳାକୁ ପରିବେଷଣ କରୁନାହାନ୍ତି ବରଂ ଲୋପ ପାଇବସିଥିବା ସଂସ୍କୃତି ପୂଷ ପୁନେଇକୁ ଜୀବିତ କରିବା ପାଇଁ ଅଣ୍ଟା ଭିଡ଼ିଛନ୍ତି ।

ତେବେ ରାଜ୍ୟରେ ଏହା ଭିନ୍ନ ଭିନ୍ନ ଢ଼ଙ୍ଗରେ ପାଳନ କରାଯାଉଥିବା ବେଳେ ଅଭିଭକ୍ତ କୋରାପୁଟ ଜିଲ୍ଳାରେ ଏହା କେବଳ ଗାଁ ଗହଳିରେ ସୀମିତ ରହିଯାଇଛି ଆଉ ଏହାକୁ ପୁଣି ଥରେ ଜୀବିତ କରିବା ଓ ଭାଇଚାରାର ନୂଆ ସମ୍ପର୍କ ଯୋଡ଼ିବା ପାଇଁ ଅଂଟା ଭିଡ଼ିଛନ୍ତି ସହରର ବୁଦ୍ଧିଜୀବୀ ଓ କଳାକାରବୃନ୍ଦ । ଏହି ସମୟରେ ଜିଲ୍ଳାରେ ଅଦାୟ ହେଉଥିବା ନୂଆ ଫସଲ ଧାନ, ମାଣ୍ଡିଆ ସୁଆଁ, ଭଳି ଅନ୍ୟ ସବୁ ଫସଲକୁ ଗ୍ରାମଦେବୀଙ୍କୁ ପୂଜା କରିବା ସହ ଭାଇଚାରା ସୃଷ୍ଟି କରିବା ଓ ବନ୍ଧୁତ୍ୱ ସ୍ଥାପନ ପାଇଁ ସମସ୍ତେ ଏକାଠି ହୁଅନ୍ତି ଏବଂ  ଘର ଘର ଆଉ ଗାଁ ଗାଁ ଯାଇ  ଅମଳ ଶସ୍ୟ ମାଗି ବୁଲନ୍ତି । ଏହା ଦ୍ୱାରା ସମସ୍ତଙ୍କ ପାଖରେ ଏକତା ସୃଷ୍ଟି ହୋଇଥାଏ । ଯାହାକି ଏବେ ଲୋପପାଇବାକୁ ବସିଥିବା ବେଳେ ଏହାକୁ ପୁଣି ଥରେ ଜୀବିତ କରିବା ପାଇଁ ଏକ ଅଭିନବ ପ୍ରୟାସ ଆରମ୍ଭ କରାଯାଇଛି ବୋଲି କଳାକାରମାନେ କହିଥିବା ବେଳେ ଆଗାମୀ ଦିନରେ ଏହାକୁ ବଡ଼ ଧରଣର କରାଯିବ ବୋଲି କହିଛନ୍ତି ଜୟପୁର ବିଧାୟକ ତାରା ବାହିନୀ ପତି  ।