କନକ ବ୍ୟୁରୋ: ଆସନ୍ତା କାଲି ହେବ ବହୁ ପ୍ରତୀକ୍ଷିତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଭବ୍ୟ ଲୋକାର୍ପଣ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପରିକ୍ରମା ପ୍ରକଳ୍ପର ଲୋକାର୍ପଣ କରିବେ । ଏଥିପାଇଁ ପ୍ରସ୍ତୁତି ଶେଷ ହୋଇଛି । ଏବେ କେବଳ ସେହି ଦିବ୍ୟ ମୁହୁର୍ତକୁ ଅପେକ୍ଷା । କାରଣ ଶ୍ରୀମନ୍ଦିର ଇତିହାସରେ ଯୋଡି ହେବା ଆଉ ଏକ ଫର୍ଦ ।

Advertisment

କାଲି ହେବ ବହୁ ପ୍ରତୀକ୍ଷିତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପରିକ୍ରମା ପ୍ରକଳ୍ପର ଲୋକାର୍ପଣ କରିବେ । ଲୋକାର୍ପଣ ପାଇଁ ପ୍ରସ୍ତୁତି ଶେଷ ହୋଇଛି । କେବଳ ସେହି ଦିବ୍ୟ ମୁହୁର୍ତକୁ ଅପେକ୍ଷା । ଯେତେବେଳେ ଶ୍ରୀମନ୍ଦିର ଇତିହାସରେ ଯୋଡି ହେବା ଆଉ ଏକ ଫର୍ଦ ।

ବେଦପାଠରେ ପ୍ରକମ୍ପିତ ହେଉଛି ଶ୍ରୀକ୍ଷେତ୍ର । ନାମ ସଂକୀର୍ତନରେ କମ୍ପୁଛି ଚାରିଦିଗ । ଜୟ ଜଗନ୍ନାଥ ଧ୍ୱନିରେ ମୁଖରିତ ହେଉଛି ଖଣ୍ଡମଣ୍ଡଳ । ଶ୍ରୀମନ୍ଦିର ଐଶାନ୍ୟ କୋଣରେ ଚାଲିଛି ତିନିଦିନିଆ ଭବ୍ୟ ମହାଯଜ୍ଞ । ଦ୍ୱିତୀୟ ଦିନରେ ସୂର୍ଯ୍ୟୋଦୟ ପରେ ସୂର୍ଯ୍ୟପୂଜା ଓ ଅନ୍ୟାନ୍ୟ ବିଧି ଚାଲିଛି । ସୂର୍ଯ୍ୟପୂଜା ସହ ଧରିତ୍ରୀ ପୂଜା, ଗୋପୂଜା, ଶାଲା ପ୍ରବେଶ ସହ ଯଜ୍ଞ, ଆରତି, ପୁଷ୍ପାଞ୍ଜଳି ଆଦି ବିଧି ଅନୁଷ୍ଠିତ ହୋଇଛି । ଏହା ସହ ଶ୍ରୀମନ୍ଦିର ଚାରି ଦ୍ୱାରରେ ବେଦ ପାରାୟଣ ଓ ଆନ୍ତଃ ପ୍ରଦକ୍ଷିଣ ପଥରେ ନାମ ସଂକୀର୍ତନ କରାଯାଉଛି । ବ୍ରାହ୍ମଣ ମାନଙ୍କ ଦ୍ୱାରା ପଥ ସଂସ୍କାର କରାଯାଇଛି ।

ଗଜପତି ମହାରାଜାଙ୍କ ଦ୍ୱାରା ବରଣ ହୋଇଥିବା ୧୦୮ ଜଣ ଶୋତ୍ରୀୟ ବ୍ରାହ୍ମଣ ମନ୍ତ୍ରପାଠ ସହ ଯଜ୍ଞର ବିଭିନ୍ନ ପୂଜାବିଧି ସମାପନ କରିଛନ୍ତି । ଯଜ୍ଞ କୁଣ୍ଡରେ ଘୃତ ଆହୁତି ଦେଇଛନ୍ତି । ଅନ୍ୟପଟେ ଶ୍ରୀମନ୍ଦିରର ଚାରିଦ୍ୱାରରେ ବେଦପାଠୀମାନେ ବେଦ ପାଠ କରୁଛନ୍ତି ।

ତ୍ରିଦିବସୀୟ ଯଜ୍ଞର କାଲି ଅନ୍ତିମ ଦିନ ପୌଷ ଶୁକ୍ଳ ସପ୍ତମୀ ତିଥିରେ ଯଜ୍ଞର ଅନ୍ୟ ପୂଜାବିଧି ସହ, ପୂର୍ଣ୍ଣାହୁତି ହେବ । ଗଜପତି ମହାରାଜ ଦିବ୍ୟସିଂହ ଦେବ ଯଜ୍ଞରେ ପୂର୍ଣ୍ଣାହୁତି ଦେବେ, ଆରତି ଓ ପୁଷ୍ପାଞ୍ଜଳି ଦେବେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁଷ୍ପାଞ୍ଜଳି ଦେବେ । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ।

ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ପାଇଁ ସମଗ୍ର ପୁରୀ ସହର ବଧୁବେଶରେ ସଜେଇ ହୋଇଛି । ରଂଗୀନ ଆଲୋକମାଳାରେ ଝଲସୁଛି ଧାର୍ମିକ ନଗରୀ । କାନ୍ଥବାଡରେ ଅଙ୍କା ଯାଇଥିବା ଚିତ୍ର ଐତିହାସିକ ଗାଥାକୁ ମନେ ପକାଇ ଦେଉଛି । ପୁରୀର ଏହି ରୂପକୁ ଦେଖି ବିମୋହିତ ଶ୍ରଦ୍ଧାଳୁ ।

ପରିକ୍ରମା ପ୍ରକଳ୍ପ ପାଇଁ ପୁରୀରେ ଗହଳି ଜମିଲାଣି । ବୁଧବାର ଆହୁରି ଗହଳି ହେବ । ତେଣୁ ଭକ୍ତଙ୍କ ଶୃଂଖଳିତ ଦର୍ଶକୁ ନଜରରେ ରଖି ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି ।