କନକ ବ୍ୟୁରୋ : ଫେବ୍ରୁଆରୀ ୧ରୁ ଖୋଲିବ ଶ୍ରୀମନ୍ଦିର । ଶ୍ରୀଜିଉଙ୍କ ଦର୍ଶନ କରିପାରିବେ ଶ୍ରଦ୍ଧାଳୁ । କରୋନା ତୃତୀୟ ଲହରକୁ ଦୃଷ୍ଟିରେ ରଖି ୨୦ ଦିନ ହେବ ବନ୍ଦ ରହିଥିଲା ସାଧାରଣ ଭକ୍ତଙ୍କୁ ଜଗା ଦର୍ଶନ । ଏବେ କରୋନା କଟକଣାକୁ ମାନି ଖୋଲିବ ଶ୍ରୀମନ୍ଦିର । ମନ୍ଦିରକୁ କୋଭିଡ କଟକଣାରେ ଯାଇ ଜଗା ଦର୍ଶନ କରିପାରିବେ ଶ୍ରଦ୍ଧାଳୁ । ମନ୍ଦିର ଖୋଲିବାକୁ ଆଉ ଗୋଟିଏ ଦିନ ବାକି ଥିବା ବେଳେ ଶ୍ରୀମନ୍ଦିର ପରିସରକୁ ପ୍ରଶାସନ ପକ୍ଷରୁ ସାନିଟାଇଜ କରାଯାଉଛି ।

Advertisment

ବର୍ତ୍ତମାନ ପରିସ୍ଥିତିରେ କୋଭିଡ୍‌ ସଂକ୍ରମଣ କମିଥିବାରୁ ସେବାୟତ ନିଯୋଗଙ୍କ ସହମତିକ୍ରମେ ଆସନ୍ତା ଫେବ୍ରୁଆରି ମାସ ପାଇଁ ମାଗଦର୍ଶିକା ଜାରି ହୋଇଛି । ଆସନ୍ତା ଫେବ୍ରୁଆରି ୧ରୁ ଶ୍ରୀମନ୍ଦିର ଭକ୍ତଙ୍କ ପାଇଁ ଖୋଲିବାକୁ ନିଷ୍ପତ୍ତି ହୋଇଛି । ଭକ୍ତମାନେ ପୂର୍ବଭଳି ୯୬ ଘଣ୍ଟା ଭିତରର ଆର୍‌ଟିପିସିଆର୍‌ ରିପୋର୍ଟ କିମ୍ବା କୋଭିଡ୍‌ର ଦୁଇଟି ଡୋଜ୍‌ ଟିକା ପ୍ରମାଣପତ୍ର ଦେଖାଇ ଓ କୋଭିଡ୍‌ ନିୟମ ଅନୁପାଳନ ପୂର୍ବକ ମହାପ୍ରଭୁଙ୍କ ଦର୍ଶନ କରିବେ । ଫେବ୍ରୁଆରି ମାସରେ ୬, ୧୩, ୨୦ ଓ ୨୭ ତାରିଖ, ଏଭଳି ୪ଟି ରବିବାର ଶ୍ରୀମନ୍ଦିର ବନ୍ଦ ରହିବ । ସହରବାସୀ ପ୍ରମାଣପତ୍ର ଦେଖାଇ ପଶ୍ଚିମଦ୍ବାର ଦେଇ ମହାପ୍ରଭୁଙ୍କ ଦର୍ଶନ ପାଇଁ ଯାଇପାରିବେ। କିନ୍ତୁ ଅନ୍ୟ ଭକ୍ତମାନେ ସିଂହଦ୍ବାର ଦେଇ ପ୍ରବେଶ କରିବେ । ସମସ୍ତ ଭକ୍ତ ଦର୍ଶନ ସାରି ଉତ୍ତରଦ୍ବାର ଦେଇ ପ୍ରସ୍ଥାନ କରିବେ ।