କନକ ବ୍ୟୁରୋ : ଶ୍ରୀମନ୍ଦିରରେ ଲାଗୁ ହେବାକୁ ଥିବା ଅଶାଳୀନ ପୋଷାକ ପରିଧାନ କଟକଣାକୁ ନେଇ ଦେଖାଦେଇଛି ବିବାଦ । ଯେଉଁ କର୍ମଚାରୀମାନେ ଯାଞ୍ଚ କରିବେ ସମସ୍ତେ ପୁରୁଷ କର୍ମଚାରୀ । ଏଭଳି ସ୍ଥଳେ ମହିଳା ଶ୍ରଦ୍ଧାଳୁଙ୍କ ଯାଞ୍ଚ ନେଇ ଆପତ୍ତି ଉଠିଛି । ଆସନ୍ତାକାଲି ଛତିଶାନିଯୋଗ ବୈଠକରେ ଏନେଇ ଆଲୋଚନା ହୋଇ ପଦକ୍ଷେପ ନିଆଯିବ ବୋଲି ଜଣାପଡିଛି । ଅଶାଳୀନ ପୋଷାକ ପରିଧାନ କଟକଣା ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସେଚତନତା ଆରମ୍ଭ ହୋଇଛି ।

Advertisment

ସୂଚନା କେନ୍ଦ୍ର ପକ୍ଷରୁ ଡାକବାଜି ଯନ୍ତ୍ର ଜରିଆରେ ବି ଲୋକଙ୍କୁ ସେଚତନ କରାଯାଉଛି । ଛତିଶାନିଯୋଗ ଓ ହୋଟେଲ ସଂଘକୁ ଚିଠି ଲେଖି ସହଯୋଗ ମାଗିଛି ପ୍ରଶାସନ । ଏହାରି ଭିତରେ ମହିଳା ଭକ୍ତଙ୍କୁ ଜେଟିପି ବା ପ୍ରତିହାରୀ ମାନେ କିଭଳି ପୋଷାକ ପରିଧାନ ଉପରେ ମତମନ୍ତବ୍ୟ ଦେବେ ତାକୁ ନେଇ କିଛି ପରିଚାଳନା କମିଟି ସଦସ୍ୟ ଓ ଭକ୍ତ ପ୍ରଶ୍ନ ଉଠାଇଛନ୍ତି । ଯଦି ମହିଳା ପୋଲିସ ବା ଯାଞ୍ଚ ପାଇଁ କୌଣସି ମହିଳାଙ୍କୁ ନିୟୋଜିତ ନକରାଯାଏ ଅପ୍ରୀତିକର ପରିସ୍ଥିତି ଉପୁଜିବ ବୋଲି ଏମାନେ ମତ ଦେଇଛନ୍ତି ।

ଶ୍ରୀମନ୍ଦିର ନୀତି ସବ୍ କମିଟି ବୈଠକରେ ଉପସ୍ଥିତ ନଥିବା ଶ୍ରୀମନ୍ଦିର ପରିଚାଳନା କମିଟିର ଜଣେ ସଦସ୍ୟ କହିଛନ୍ତି ଓଡ଼ିଶାର କୌଣସି ମନ୍ଦିରରେ ଏଯାଏଁ ପୋଷାକ ପରିଧାନ କଟକଣା ନାହିଁ, ଶ୍ରୀମନ୍ଦିରରେ ପ୍ରଥମ ଥର ଏହା ଲାଗୁ ହେବାକୁ ଯାଉଛି । ରାଜ୍ୟ ବାହାର ଯେଉଁ ମନ୍ଦିରରେ ଏଭଳି କଟକଣା ଲାଗିଛି ସେଠାରେ ମହିଳା ଭକ୍ତଙ୍କ ପାଇଁ ମହିଳା କର୍ମଚାରୀ ନିଯୁକ୍ତି ଅଛନ୍ତି । ଏଣୁ ମହିଳା କର୍ମଚାରୀ ନିଯୁକ୍ତି ହେବା ଦରକାର । ଜେଟିିପି, ପ୍ରତିହାରୀଙ୍କ ହାତରେ ପୋଷାକ ପରିଧାନ ଯାଂଚ ବ୍ୟବସ୍ଥା ଛାଡ଼ିବା ଗ୍ରହଣୀୟ ନୁହେଁ ।