ପୁରୀରୁ ଆସିଲା ଭୟ ବଢ଼ାଇଲା ଭଳି ଭିଡିଓ : ହାତରେ ମାରଣାସ୍ତ୍ର ଧରି କ୍ୟାମେରାକୁ ପୋଜ ଦେଉଛନ୍ତି ଅସାମାଜିକ ଯୁବକ

ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ପାଇଁ ବଢ଼ିଲା ଦାବି

2,400

କନକ ବ୍ୟୁରୋ : ଭୁବନେଶ୍ୱର, କଟକ ଓ ବାଲେଶ୍ୱର ପରେ ପୁରୀରୁ ଆସିଲା ଭୟ ବଢ଼ାଇଲା ଭଳି ଭିଡିଓ । ହାତରେ ମାରଣାସ୍ତ୍ର ଧରି କ୍ୟାମେରାକୁ ପୋଜ ଦେଉଛନ୍ତି କିଛି ଅସାମାଜିକ ଯୁବକ । ଖୁବ୍ କମ୍ ବୟସର ଯୁବକମାନେ ଏବେ ଠାରୁ ଅପରାଧ ଦୁନିଆରେ ପାଦ ଦେବା ସହ ନିଜ ପତିଆରା ଜାହିର କରିବା ପାଇଁ ସୋସିଆଲ ମିଡିଆର ବ୍ୟବହାର କରୁଛନ୍ତି । ଅମାନିଆ ଯୁବକଙ୍କ ଏହି ଭିଡିଓ ସୋସିଆଲ ମିଡିଆର ଭାଇରାଲ ହେଉଛି । ଏହି ଭିଡିଓ ଦେଖି ପୁରୀବାସୀ ଏବେ ଭୟଭୀତ ଅବସ୍ଥାରେ ରହିଛନ୍ତି । ଏହି ଭିଡିଓର ସତ୍ୟାସତ୍ୟ ଜାଣିବା ସହ ଘଟଣାର ତଦନ୍ତ କରି ପୁରୀ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଜରୁରୀ ବୋଲି ସାଧାରଣରେ ଦାବି ଉଠିଛି ।

ସେପଟେ, କେବିଏନ୍‌ ଗ୍ୟାଙ୍ଗ୍‌ର ୫ ସଦସ୍ୟ ଚେଙ୍ଗ, ସନିଆ, ନରିଆ, ରାହୁଲ ଓ ସୁମନଙ୍କ ଦୁଇ ଦିନିଆ ରିମାଣ୍ଡ ସରିଛି । ସେମାନଙ୍କୁ ପୁଣି ଝାରପଡ଼ା ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯିବ । ଏହି ଦୁଇ ଦିନିଆ ରିମାଣ୍ଡ ଅବଧି ଭିତରେ ପୁଲିସ ସେମାନଙ୍କଠାରୁ ଗ୍ୟାଙ୍ଗ୍‌ ବାବଦରେ ବହୁ ଗରୁତ୍ବପୂର୍ଣ୍ଣ ତଥ୍ୟ ହାସଲ କରିଛି । ସେହିଭଳି ସେମାନଙ୍କ ସୂଚନା ଆଧାରରେ ବିଭିନ୍ନ ସ୍ଥାନରେ ଚଢ଼ଉ କରି ଖେଳଣା ବନ୍ଧୁକ, ଖଣ୍ଡା, ଭୁଜାଲି ଓ ସାଇକେଲ କ୍ରାଙ୍କ୍‌ ଭଳି ମାରଣାସ୍ତ୍ର ଜବତ କରିଛି । ଜେରା ବେଳେ ଗ୍ୟାଙ୍ଗ୍ ଲିଡର୍‌ ଦେବୀପ୍ରସାଦ ଜେନା ଓରଫ ବୁବୁ ବାବଦରେ ଏମାନେ ବହୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ଦେଇଛନ୍ତି ।

ପୁଲିସ ଭୟରେ କୋର୍ଟ‌ରେ ଆତ୍ମସମର୍ପଣ କରିଥିବା ଚେଙ୍ଗ ବହୁତ କିଛି ଉଗାରି ପକାଇଥିବା ଜଣାପଡ଼ିଛି । ସେମାନେ କିଭଳି କାହାକୁ ଭୟଭୀତ କରୁଥିଲେ ଓ କାହାଠାରୁ ବଟି ଆଦାୟ କରୁଥିଲେ, ସବୁ ତଥ୍ୟ ଚେଙ୍ଗ ଓ ସନିଆ ପୁଲିସକୁ କହିଛନ୍ତି । ସେହିଭଳି ରାତିରେ ରାଜରାସ୍ତାରେ ଅସ୍ତ୍ରଶସ୍ତ୍ର ସହ ଭିଡିଓ କରିବା ପରେ ସେସବୁକୁ କିଭଳି ଅମ୍ଳାନ ମହାନ୍ତି ଏଡିଟ୍ କରୁଥିଲା ଓ ଟା‌ଉନ୍‌ ଟାଇଗର୍ସ ନାମକ ଅନ୍ୟ ଏକ ଗ୍ୟାଙ୍ଗ୍‌ର ଆକାଉଣ୍ଟରେ ପୋଷ୍ଟ କରୁଥିଲା ବୋଲି ମଧ୍ୟ ସେମାନେ ପୁଲିସକୁ କହିଛନ୍ତି ।

ତେବେ ଭୁବନେଶ୍ବର ଡିସିପି ଉମାଶଙ୍କର ଦାଶଙ୍କ କହିବା କଥା ଏମାନେ ଖଣ୍ଡା ବୁଲାଇବା ସହିତ ଯେଉଁ ବନ୍ଧୁକ ଧରି ଭିଡିଓ କରୁଥିଲେ । କିନ୍ତୁ ସେସବୁ ବନ୍ଧୁକ ଖେଳଣା ଥିଲା । କେବଳ ଖଣ୍ଡଗିରିର ରାହୁଲ ଜେନା ଲାଇସେନ୍ସପ୍ରାପ୍ତ ବନ୍ଧୁକ ଚୋରି କରିଥିବା ବେଳେ ବାକି ସମସ୍ତ ବନ୍ଧୁକ ନକଲି ଥିଲା । ଏଭଳି ଭୟଙ୍କର ଭିଡିଓ କରିବା ପଛରେ ସେମାନଙ୍କ ମୁଖ୍ୟ ଉଦ୍ଦେଶ୍ୟ ଥିଲା ରାଜଧାନୀରେ ପତିଆରା ଜାହିର୍ କରିବା ।