ଜଣେ ବାସନ ମାଜିଲେ ପେଟ ପୂରିବ, ଆଉ ଜଣେ ବାସନ ବିକିଲେ ପରିବାର ଚଳିବ । ଫୋନିର କ୍ଷତ ଲିଭିନଥିବା ପୂର୍ବରୁ ମାଡ଼ି ଆସିଲା ମହାମାରୀ, ଏବେ ଦୁଇ ଗଣ୍ଡେ ଖାଇବାକୁ ବି କରୁଛନ୍ତି ଗୁହାରୀ । ‘ଜଗା’ ଦୁଆରୁ ଆସିଲା ଜୀବନ ଯନ୍ତ୍ରଣାର ଦୁଇ କାହାଣୀ, ସରକାର ଶୁଣିବା ହେଉ…

299

କନକ ବ୍ୟୁରୋ: କାହାଣୀ ଏକ କିନ୍ତୁ ଯନ୍ତ୍ରଣା ଅନେକ । ଭୂତାଣୁ ନୁହେଁ ଏଠି ଭୋକର ଭୟ ଜୀବନ ଜିଇଁବାର ଭରସା ଭାଙ୍ଗିଛି । ମହାମାରୀ କରୋନା କଟକଣା ମଧ୍ୟବିତ୍ତକୁ କେତେ କଲବଲ କରିପାରେ ତାହା ଜଗା ଦୂଆରୁ ଆସିଥିବା ଏହି ଦୁଇ ଯନ୍ତ୍ରଣାଦୟକ କାହାଣୀ ହିଁ ବୟାନ କରିବ ।

ବିଧାତା ଦେଇଥିବା ଫୋନି କ୍ଷତକୁ ବର୍ଷେ ପୂରିବା ପରେ ମାଡ଼ିଆସିଲା ଆଉ ଏକ ବିପର୍ଯ୍ୟୟ ଯାହା ମଣିଷର ଜୀବନ-ଜୀବିକାକୁ ଦେଇଛି ଖାଲି ଯନ୍ତ୍ରଣା ଆଉ ଯନ୍ତ୍ରଣା । ଏହାର ଜ୍ୱଳନ୍ତ ଉଦାହରଣ ହେଉଛନ୍ତି ପୁରୀ ନରେନ୍ଦ୍ର କୋଣ ଭୋଇ ସାହିରେ ରହୁଥିବା କୁନ୍ତି ଭୋଇ । ସ୍ୱାମୀ ସାତଜନ୍ମର ଶପଥ ଦେଇ ଅଧାବାଟରୁ ଆରପାରିକୁ ଯିବାପରେ ହାତ ନପତେଇ ପୁରୀର ଏକ ହୋଟେଲରେ କାମକରି ପରିବାରର ପେଟ ପୋଷୁଥିଲେ କୁନ୍ତି । ହେଲେ ବୋଝ ଉପରେ ନଳିତା ବିଡ଼ା ପରି ଗତବର୍ଷ ଫୋନି ପାଟିବାକୁ ଚାଲିଗଲା ମୁଣ୍ଡ ଉପରର ଛାତ । ସରକାରଙ୍କଠୁ ସହାୟତା ମିଳିନଥିବାବେଳେ ଏବେ ମାଡ଼ିଆସିଛି କରୋନା ମହାମାରୀ । ଗ୍ରାହକଙ୍କୁ ହେଟେଲରେ ଖାଇବା ମନାଥିବାରୁ ସେ ବାସନ ମଧ୍ୟ ମାଜିପାରୁ ନାହାନ୍ତି । ଆଉ କଟକଣା ଯୋଗୁଁ କୁନ୍ତି କାହା ଘରକୁ ମଧ୍ୟ ଯାଇପାରୁ ନାହାନ୍ତିି । ଏବେ ଘରେ ବୃଦ୍ଧା ମାଆକୁ ଦୁଇ ଓଳି କେମିତି ଖୁଆଇବେ କହି କହି ନିଜ ଭାଗ୍ୟକୁ କୋଷୁଛନ୍ତି କୁନ୍ତି ।

ସେହିପରି ଜଗା ଦୂଆରୁ ଆସିଥିବା ଆଉ ଏକ ଯନ୍ତ୍ରଣାଦାୟ କାହାଣୀ ବି ଆପଣଙ୍କ ଆଖିରେ ଲୁହ ଆଣିଦେବ । ଏ ହେଉଛନ୍ତି ପୁରୀ ଶ୍ରୀକ୍ଷେତ୍ର କଲୋନୀରେ ରହୁଥିବା ପୂର୍ଣ୍ଣିମା କିନ୍ତୁ ତାଙ୍କ ଜୀନରେ ଭରି ରହିଛି କେବଳ ଅମାବାସ୍ୟାର ଅନ୍ଧକାର । ନା ଅଛି ଭଲ ଘର ନା ଖାଇବାକୁ ମିଳୁଛି ଦୁଇ ଓଳି ଦାନା । ଯେଉଁ ବାସନ ଖଣ୍ଡେ ବିକିଲେ ପରିବାରର ପେଟ ପୁରୁଥିଲା ସେଥିରୁ ଏବେ ଝରୁଛି ଲକଡାଉନ୍ ଲହୁ । ଅଧା ଓଡ଼ିଶା ଅନଲକ୍ ହୋଇଥିଲେ ବି ସଂକ୍ରମଣ ଭୟ ପାଇଁ ଭରସାର ବାସନରେ ଏବେ ବି ପଡ଼ିଛି ତାଲା । ତେବେ ଏତିକିରେ ସରିନି ଶ୍ରୀକ୍ଷେତ୍ରର ପୂର୍ଣ୍ଣିମାଙ୍କ ସଂଘର୍ଷର କାହାଣୀ । ସରକାର ମାସିକ ଚାଉଳ ଡାଲି ଦେଉଛନ୍ତି ହେଲେ ପାଖରେ ଟଙ୍କାଟିଏ ନଥିଲେ ତେଲ, ଲୁଣ କେଉଁଠୁ ଆଣିବୁ ବୋଲି କହି କାନ୍ଦୁଛନ୍ତି ପୂର୍ଣ୍ଣିମା ।

ତେବେ ସଂକ୍ରମଣ ରୋକିବାକୁ ସରକାର ଅନେକ ପଦକ୍ଷେପ ନେଉଥିଲେ ମଧ୍ୟ କଟକଣା ଭିତରେ ପେଟ ପାଇଁ ସଂଘର୍ଷ କରୁଥିବା ଏଭଳି ଅନେକ ପୂର୍ଣ୍ଣିମା ଓ କୁନ୍ତି କଷ୍ଟ ସହୁଛନ୍ତି । ଏଭଳି ସମୟରେ ସରକାର ବା ପ୍ରଶାସନ ଏମାନଙ୍କ ପାଇଁ କ’ଣ ବ୍ୟବସ୍ଥା କରୁଛନ୍ତି ତାହା ଉପରେ ଏବେ ସମସ୍ତଙ୍କ ନଜର ।