ମୋ ବିଚ୍। ବିଶ୍ୱର ସବୁଠାରୁ ବଡ ବେଳାଭୂମି ସଫେଇ ଅଭିଯାନ। ଅନ୍ତର୍ଜାତୀୟ ବେଳାଭୂମି ସଫେଇ ଦିବସରେ ନିଆରା ଉଦ୍ୟମ

ପୁରୀ ଜିଲ୍ଲାର ଶହେ କିଲୋମିଟର ବେଳାଭୂମି ସଫେଇ ପାଇଁ ସାମିଲ ହେଲେ ୧୦ ହଜାରରୁ ଅଧିକ ବ୍ୟକ୍ତି; ହାତ ମିଳାଇଲେ ବଲିଉଡ ଓ ଓଲିଉଡ ଷ୍ଟାର

310

କନକ ବ୍ୟୁରୋ: ଶ୍ରୀକ୍ଷେତ୍ର ପୁରୀକୁ ବିଶ୍ୱସ୍ତରୀୟ ପର୍ଯ୍ୟଟନସ୍ଥଳୀ କରିବାକୁ ସରକାର ଅଂଟା ଭିଡିଥିବା ବେଳେ ଆଜି ବେଳାଭୂମିରେ ବଡଧରଣର ସଫେଇ ଅଭିଯାନ କରାଯାଇଛି । ୧୦ ହଜାରରୁ ଅଧିକ ସ୍ୱେଚ୍ଛାସେବୀ, ସାମାଜିକ କର୍ମୀ, ଅନୁଷ୍ଠାନ ସମେତ ବଲିଉଡ୍ ଓ ଓଲିଉଡ୍ ଷ୍ଟାର, ପୁରୀର ଶହେଟି ସ୍ଥାନରେ ବ୍ୟାପକ ସଫେଇ କରିଛନ୍ତି । ପ୍ଳାଷ୍ଟିକ ମୁକ୍ତ ବେଳାଭୂମି ସହ ପରିବେଶ ସ୍ୱଚ୍ଛ ରଖିବାକୁ ବାର୍ତା ଦେଇଛନ୍ତି ।

ବେଳାଭୂମିରେ ବିଶ୍ୱର ସବୁଠୁ ବଡ ସଫେଇ ଅଭିଯାନ । ଏକା ସମୟରେ ସାରା ପୁରୀର ସମୁଦ୍ରକୂଳରେ ସଫେଇ । ହାତକୁ ହାତ ହୋଇ ଶହେ କିଲୋମିଟର ବେଳାଭୂମିର ଶହେଟି ସ୍ଥାନରେ ଦଶ ହଜାରରୁ ଅଧିକ ସ୍ୱେଚ୍ଛାସେବୀ ସାମିଲ ହୋଇଥିଲେ ଏହି ମହତ୍ ଅଭିଯାନରେ । ବେଳାଭୂମିରେ ସଫେଇ କରିଥିଲେ, ସଚେତନତା ବାର୍ତା ଦେଇଥିଲେ ଆଉ ତାସହ ଏକାଠି ଶପଥ ନେଇଥିଲେ ପରିବେଶକୁ ପରିଷ୍କାର ରଖିବେ ।

ମୋ ବିଚ୍ । ବିଶ୍ୱର ସବୁଠାରୁ ବଡ ବେଳାଭୂମି ସଫେଇ ଅଭିଯାନ । ଅନ୍ତର୍ଜାତୀୟ ବେଳାଭୂମି ସଫେଇ ଦିବସରେ ନିଆରା ଉଦ୍ୟମ । ପ୍ଳାଷ୍ଟିକ ମୁକ୍ତ ବେଳାଭୂମିର ସଚେତନତା ପାଇଁ ହାତ ମିଳାଇଥିଲେ ଓଲିଉଡ୍ ଓ ବଲିଉଡ୍ କଳାକାର । ହାତରେ ଗ୍ଲୋବସ ପିନ୍ଧି ସମୁଦ୍ର କୂଳରେ ସଫେଇ କରିଥିଲେ ବଲିଉଡ୍ କମାଣ୍ଡୋ ଫେମ୍ ବିଦ୍ୟୁତ୍ ଜମୱାଲ । ସାଙ୍ଗରେ ଥିଲେ ଅନ୍ତର୍ଜାତୀୟ ଅଭିନେତ୍ରୀ ନନ୍ଦିତା ଦାସ ।

ସକାଳ ୬ଟାରୁ ସାଢେ ୭ଟା ଯାଏ, ଦେଢଘଂଟା ଧରି ପୁରୀ ସମୁଦ୍ର କୂଳରେ ଚାଲିଥିଲା ମେଗା ସଫେଇ କାର୍ଯ୍ୟକ୍ରମ । ସକାଳୁ ସକାଳୁ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ, ଶିକ୍ଷକ, ସ୍ୱେଚ୍ଛାସେବୀ ଅନୁଷ୍ଠାନ, ସରକାରୀ ଓ ବେସରକାରୀ କର୍ମଚାରୀ ସାମିଲ ହୋଇଥିଲେ ପୁରୀର ଏହି ସଫେଇ ଅଭିଯାନରେ । ତେବେ ଗୋଟିଏ ପଟେ ଶ୍ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ପର୍ଯ୍ୟଟନସ୍ଥଳୀ ଭାବେ ଗଢି ତୋଳିବାକୁ ଉଦ୍ୟମ କରାଯାଉଛି । ଅନ୍ୟପଟେ ସମୁଦ୍ର ବେଳାଭୂମିକୁ ପରିଷ୍କାର ରଖିବା ଏବଂ ପ୍ଲାଷ୍ଟିକ ମୁକ୍ତ କରିବାକୁ ଆରମ୍ଭ ହୋଇଛି ଅଭିଯାନ ।