ଦୀର୍ଘ ୯ ମାସ ପରେ ଖୋଲିଲା ପୁରୀ ଶ୍ରୀମନ୍ଦିର । ଆଜିଠୁ ତିନିଦିନ ଧରି ସେବାୟତ ପରିବାର କରିବେ ଦର୍ଶନ ।

ମାର୍କେଟ୍ ଛକରୁ ଶ୍ରୀମନ୍ଦିର ଯାଏଁ ହେଲା ସ୍ୱତନ୍ତ୍ର ବ୍ୟାରିକେଟ୍ ବ୍ୟବସ୍ଥା

68

କନକ ବ୍ୟୁରୋ : ଆଜି ଠାରୁ ପୁରୀରେ ଆରମ୍ଭ ହେଉଛି କାଳିଆ ଦର୍ଶନ । ଦର୍ଶନ ବ୍ୟବସ୍ଥା ନେଇ ଜିଲ୍ଲା ପ୍ରଶାସନ ଓ ମନ୍ଦିର ପ୍ରଶାସନ ପକ୍ଷରୁ ଜାରି ହୋଇଛି ସବିଶେଷ ସୂଚନା । ପ୍ରଥମେ ସେବାୟତ କରିବେ ମନ୍ଦିର ଦର୍ଶନ । ୨୫ ତାରିଖ ପର୍ଯ୍ୟନ୍ତ କେବଳ ପରିଚୟପତ୍ର ଦେଖାଇ ସେବାୟତ ଯେକୌଣସି ଦ୍ୱାରରେ ପ୍ରବେଶ କରି ଦର୍ଶନ କରିପାରିବେ । ଅଣସେବାୟତଙ୍କୁ ରୋକିବା ପାଇଁ ଶ୍ରୀମନ୍ଦିର ଚାରିଦ୍ୱାରରେ ଜଗିବେ ଜଗନ୍ନାଥ ଟେମ୍ପୁଲ ପୋଲିସ ।

ଭିତର ବେଢାରେ ସାତପାହାଂଚ ପାଖରେ ଗରୁଡସ୍ତମ୍ଭ ନିକଟରେ ପଣ୍ଡାଦ୍ୱାର, ମୁଦୁଲି ଦ୍ୱାର, ବାହାର କାଠ, ଜୟବିଜୟ ଦ୍ୱାର, ଭିତର କାଠ ଓ ବେହରଣ ଦ୍ୱାରରେ ୩ ସିଫ୍ଟରେ ୧୫ଜଣ ପ୍ରତିହାରୀ ସେବାୟତ ଶୃଙ୍ଖଳିତ ଦର୍ଶନ ପାଇଁ ନିୟୋଜିତ ହେବେ । ଭିନ୍ନକ୍ଷମଙ୍କ ପାଇଁ ଉତରଦ୍ୱାରରେ ଦର୍ଶନ ବ୍ୟବସ୍ଥା ରହିବ । ଅସୁସ୍ଥ ଲୋକ ଏବଂ ୧୦ ବର୍ଷରୁ କମ ଏବଂ ୬୫ ବର୍ଷରୁ ଅଧିକ ଲୋକଙ୍କୁ ନଆସିବା ପାଇଁ ଅନୁରୋଧ କରିଛି ଜିଲ୍ଲା ପ୍ରଶାସନ । ୨୬ ତାରିଖ ସକାଳ ସାଢେ ୭ଟାରୁ ପୁରୀ ବାସୀଙ୍କ ପାଇଁ ଦର୍ଶନ ଆରମ୍ଭ ହେବ । ତେବେ ସହରବାସୀଙ୍କ ପାଇଁ ୱାର୍ଡୱାରୀ ଦର୍ଶନ ବ୍ୟବସ୍ଥା କରାଯାଇଛି । ସହରବାସୀଙ୍କ ଦର୍ଶନ ବ୍ୟବସ୍ଥାକୁ ନେଇ ବ୍ଲୁ-ପ୍ରିଂଟ ପ୍ରସ୍ତୁତ କରିଛି ପ୍ରଶାସନ ।