ଶ୍ରୀମନ୍ଦିର ଖୋଲିବା ଦାବିରେ ଧାରଣା : ସିଂହଦ୍ୱାର ସମ୍ମୁଖରେ ଧାରଣାରେ ବସିଲେ ବରିଷ୍ଠ ସେବାୟତ ଦାମୋଦର ମହାସୁଆର

209

କନକ ବ୍ୟୁରୋ : ବିଶ୍ୱପ୍ରସିଦ୍ଧ ଶ୍ରୀମନ୍ଦିର ଖୋଲିବା ଦାବିରେ ସିଂହଦ୍ୱାର ସମ୍ମୁଖରେ ସୁଆର ମହାସୁଆର ନିଯୋଗର ପୂର୍ବତନ ସଭାପତି ତଥା ବରିଷ୍ଠ ସେବାୟତ ଦାମୋଦର ମହାସୁଆର ଧାରଣାରେ ବସିଥିବା ଜଣାଯାଇଛି। ସେ ତାଙ୍କ ସହଯୋଗୀମାନଙ୍କ ସହ ଧାରଣାରେ ବସିଛନ୍ତି।

ସେ କହିଛନ୍ତି ଯେ କେନ୍ଦ୍ର ସରକାର ମନ୍ଦିର ଖୋଲିବାକୁ ଅନୁମତି ଦେଇସାରିଲେଣି। ଦେଶର ବିଭିନ୍ନ ମନ୍ଦିର ଖୋଲିସାରିଲାଣି। କିନ୍ତୁ ରାଜ୍ୟ ସରକାର କାହିଁକି ମନ୍ଦିର ଖୋଲିବାକୁ ଅନୁମତି ଦେଉନାହାନ୍ତି ବୋଲି ଦାମୋଦର ମହାସୁଆର ପ୍ରଶ୍ନ କରିଛନ୍ତି। ତା’ଛଡ଼ା କରୋନା ସଂକ୍ରମଣ ସମୟରେ ସେବାୟତମାନଙ୍କ ଅବସ୍ଥା ଶୋଚନୀୟ ହୋଇପଡ଼ିଥିବା ହେତୁ ମନ୍ଦିର ଖୋଲାଯିବା ଆବଶ୍ୟକ ବୋଲି ସେ କହିଛନ୍ତି। ଏଣୁ କୋଭିଡ୍ କଟକଣା ଭିତରେ ଶ୍ରୀମନ୍ଦିର ଖୋଲିବାକୁ ସେ ଦାବି କରିଛନ୍ତି।

ଏଣେ ମନ୍ଦିର ଓ ଧର୍ମାନୁଷ୍ଠାନ ଖୋଲିବା ଦାବି ନେଇ ପୁଣି ସ୍ବର ଉଠାଇଛି ଓଡ଼ିଶା ମନ୍ଦିର ସେବାୟତ ସଂଘ। ବାରମ୍ବାର ସରକାରଙ୍କୁ ନିବେଦନ ଓ ଉଚ୍ଚ ନ୍ୟାୟାଳୟର ଦ୍ବାରସ୍ଥ ହେବା ପରେ ମଧ୍ୟ ସରକାର ମନ୍ଦିର ଖୋଲିବା ନିଷ୍ପତ୍ତିକୁ ଝୁଲାଇ ରଖିବା ଦ୍ବାରା ସେବାୟତମାନେ ଦୁର୍ଦ୍ଦିନରେ ସମୟ ବିତାଉଛନ୍ତି।

ତେଣୁ ଆସନ୍ତା ୭ ତାରିଖରେ ରାଜ୍ୟର ଲକ୍ଷାଧିକ ମନ୍ଦିର ସମ୍ମୁଖରେ ସେବାୟତମାନେ ସକାଳ ୯ଟାରେ ଘଣ୍ଟ ବାଡ଼େଇ ଏହାର ପ୍ରତିବାଦ କରିବେ। ଏହାବ୍ୟତୀତ ସେବାୟତଙ୍କ ପରିବାର ସଦସ୍ୟମାନେ ସେମାନଙ୍କ ଘର ସମ୍ମୁଖରେ ଘଣ୍ଟ ବାଡ଼େଇ ଏହାର ପ୍ରତିବାଦ କରିବେ ବୋଲି ଓଡ଼ିଶା ମନ୍ଦିର ସେବାୟତ ସଂଘ ପକ୍ଷରୁ ସୂଚନା ଦିଆଯାଇଛି।

ସଂଘ ପକ୍ଷରୁ କୁହାଯାଇଛି ଯେ, ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ ମତେ ଜୁନ୍ ୮ ତାରିଖରୁ ସାରା ଦେଶରେ ଧର୍ମାନୁଷ୍ଠାନ ଖୋଲାଯାଇଥିଲେ ହେଁ ରାଜ୍ୟରେ ଏପର୍ଯ୍ୟନ୍ତ ମନ୍ଦିର ଓ ଧର୍ମାନୁଷ୍ଠାନ ବନ୍ଦ ରହିଛି। ଏନେଇ ସଂଘ ପକ୍ଷରୁ ସଦସ୍ୟମାନେ ଉଚ୍ଚ ନ୍ୟାୟାଳୟକୁ ଯାଇଥିଲେ । କଟକଣା ମଧ୍ୟରେ ମନ୍ଦିର ଖୋଲିବାକୁ ନ୍ୟାୟାଳୟ ପକ୍ଷରୁ ନିର୍ଦେଶ ଦିଆଯାଇଥିଲା ।

ଏନେଇ ଅଗଷ୍ଟ ୧୨ରେ ସଂଘର କର୍ମକର୍ତା ଦେବୋତ୍ତର ଆୟୁକ୍ତଙ୍କୁ ବି ଭେଟିଥିଲେ। ଅଗଷ୍ଟ ୨୮ରେ ଆଇନମନ୍ତ୍ରୀ ଓ ଦେବୋତ୍ତର ଆୟୁକ୍ତଙ୍କୁ ସାକ୍ଷାତ କରି ୮ ଦଫା ଦାବି ପତ୍ର ଦେବା ସହ ମନ୍ଦିର ଖୋଲିବାକୁ ନିବେଦନ କରିଥିଲେ। ମାତ୍ର ସରକାର ମନ୍ଦିର ଖୋଲିବାକୁ ଅନୁମତି ଦେଲେ ନାହିଁ ।

ଫଳରେ ଦୀର୍ଘ ଦିନ ହେଲେ ଏହି ମନ୍ଦିରରୁ ମିଳୁଥିବା ଦକ୍ଷିଣାରେ ଘର ଚଳୁଥିବା ସେବାୟତଙ୍କ ପରିବାର ଦୁର୍ଦ୍ଦିନ ମଧ୍ୟକୁ ଠେଲି ହୋଇଯାଇଛି। ତେଣୁ ସରକାରଙ୍କର ମନ୍ଦିର ସଂକ୍ରାନ୍ତ ନିଷ୍ପତ୍ତିର ପ୍ରତିବାଦ ସହ ମନ୍ଦିର ଓ ଧର୍ମାନୁଷ୍ଠାନ ଖୋଲିବାକୁ ନିବେଦନ କରାଯିବ ବୋଲି ସଂଘ ପକ୍ଷରୁ ସୂଚନା ଦିଆଯାଇଛି ।