ଆଜିଠାରୁ ବନ୍ଦ ରହିଲା ଜଗା ଦର୍ଶନ । ମେ ୧୫ ତାରିଖ ଯାଏଁ ସାଧାରଣ ଦର୍ଶନ ଉପରେ କଟକଣା ।

କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନର ନିଷ୍ପତ୍ତି

65

କନକ ବ୍ୟୁରୋ: ବନ୍ଦ ହେଲା ଜଗା ଦର୍ଶନ । ଆଜିଠାରୁ ମେ’ ୧୫ ତାରିଖ ଯାଏଁ ଶ୍ରୀମନ୍ଦିରରେ ସର୍ବସାଧାରଣଙ୍କ ଦର୍ଶନକୁ ବନ୍ଦ ରଖାଯାଇଛି । ବଢୁଥିବା ସଂକ୍ରମଣ ଭିତରେ ଅକ୍ଷୟ ତୃତୀୟା, ଚନ୍ଦନଯାତ୍ରା ଓ ରଥଯାତ୍ରାକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତି ନିଆଯାଇଛି । କରୋନାର ଦ୍ୱିତୀୟ ଲହରି ଏବଂ ବଢ଼ୁଥିବା ସଂଖ୍ୟାକୁ ନଜରରେ ରଖି ଜଗା ଦର୍ଶନ ପାଇଁ ଜାରି ହୋଇଥିବା ଏସଓପିରେ ପରିବର୍ତନ କରାଯାଇଛି । ଅନ୍ୟପଟେ ରଥଯାତ୍ରା ଭଳି ମହାନ ପରମ୍ପରାକୁ ଦୃ୍ଷ୍ଟିରେ ରଖି ନିଆଯାଇଥିବା ଏହି ନିଷ୍ପତିକୁ ସ୍ୱାଗତ କରିଛନ୍ତି ସେବାୟତ ।

ଭଗବାନଠାରୁ ଭକ୍ତର ଦୂରତା ପୁଣି ଥରେ ବଢ଼ିିଯାଇଛି, ଯେତେବେଳେ କରୋନାର ପ୍ରକୋପ ରାଜ୍ୟରେ ବଢ଼ି ବଢ଼ି ଚାଲିଛି । ଆସନ୍ତାମାସ ୧୫ ତାରିଖ ଯାଏଁ ଶ୍ରୀମନ୍ଦିରରେ ସର୍ବସାଧାରଣ ଦର୍ଶନକୁ ବନ୍ଦ କରିବାକୁ ନିଷ୍ପତି ନେଇଛି ପ୍ରଶାସନ । କାରଣ, ଆଗକୁ ଅକ୍ଷୟ ତୃତୀୟା, ଚନ୍ଦନଯାତ୍ରା ଓ ରଥଯାତ୍ରା ଭଳି ବଡ଼ ବଡ଼ ଯାତ୍ରା ଥିବା ବେଳେ କରୋନାର ଦ୍ୱିତୀୟ ଲହରି ଚିନ୍ତା ବଢ଼ାଉଛି । ତେବେ ସ୍ଥିତିକୁ ଦେଖି କିଭଳି ଅକ୍ଷୟ ତୃତୀୟା ଓ ଚନ୍ଦନଯାତ୍ରା କରାଯିବ, ସେନେଇ ଆସନ୍ତା ମାସ ୫ ତାରିଖରେ ସମୀକ୍ଷା କରାଯିବ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର କ୍ରିଷନ୍ କୁମାରଙ୍କ ଅକ୍ଷ୍ୟକ୍ଷତାରେ ଅନୁଷ୍ଠିତ ଜରୁରୀ ବୈଠକରେ, କରୋନାର ଦ୍ୱିତୀୟ ଲହର ଏବଂ ବଢୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନିଆଯାଇଛି ।

  • ମେ’ ୧୫ ତାରିଖ ଯାଏଁ ଶ୍ରୀମନ୍ଦିରରେ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ମହାପ୍ରଭୁଙ୍କ ଦୈନନ୍ଦିନ ନୀତିକାନ୍ତି ସ୍ୱାଭାବିକ ଚାଲିବ
  • ସଂକ୍ରମଣକୁ ରୋକିବାକୁ ସେବାୟତ, ପରିବାର ସଦସ୍ୟ ଓ ଶ୍ରୀମନ୍ଦିର କର୍ମଚାରୀଙ୍କ ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ
  • ସେବାପୂଜା ନିର୍ବାହ କରୁଥିବା ତଥା ରଥଯାତ୍ରା ପାଇଁ ରଥ ନିର୍ମାଣରେ ନିୟୋଜିତ ବ୍ୟକ୍ତିଙ୍କ ଟିକାକରଣ ଉପରେ ବିଶେଷ ଧ୍ୟାନ ଦିଆଯିବ
  • ପରମ୍ପରା ଅନୁସାୟୀ ରଥ ନିର୍ମାଣର ସମସ୍ତ କାର୍ଯ୍ୟକ୍ରମ ଯଥାବିଧିରେ ଜାରି ରହିବ
  • ଚନ୍ଦନ ଯାତ୍ରା, ସ୍ନାନଯାତ୍ରା ଓ ରଥଯାତ୍ରାକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଆଗୁଆ ପଦକ୍ଷେପ ନିଆଯିବ

ଏପଟେ ବଙ୍ଗୀୟ ପର୍ଯ୍ୟଟକଙ୍କ ଉପରେ କଟକଣା ଲଗାଇଛି ପ୍ରଶାସନ । ପୁରୀ ସୀମାରେ ବଙ୍ଗୀୟ ପର୍ଯ୍ୟଟକ ଯେମିିତି ପ୍ରବେଶ କରିବେ ନାହିଁ, ସେନେଇ ପୁଲିସକୁ ସଜାଗ କରାଯାଇଛି । ସେହିପରି ବଙ୍ଗୀୟ ପର୍ଯ୍ୟଟକଙ୍କୁ ହୋଟେଲ କିମ୍ବା ଧର୍ମଶାଳାରେ ନରଖିବାକୁ ତାଗିଦ୍ କରାଯାଇଛି । ଏମିତିକି ନିର୍ଦ୍ଦେଶର ଅବମାନନା କଲେ କାର୍ଯ୍ୟାନୁଷ୍ଠାନ ପାଇଁ ଚେତାବନୀ ଦିଆଯାଇଛି ।ପୁରୀରେ ଗତ ୨୪ ଘଂଟାରେ ୩୯୫ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମୋଟ୍ ପଜିଟିଭଙ୍କ ସଂଖ୍ୟା ୨ ହଜାର ଟପିଯାଇଛି । ତେଣୁ ଏସବୁ ଦୃଷ୍ଟିରେ ରଖି ଆଗକୁ ପଦକ୍ଷେପ ନେଇଛନ୍ତି ପୁରୀ ଓ ଶ୍ରୀମନ୍ଦିର ପ୍ରଶାସନ ।