କାଳିଆର ଅଦୃଶ୍ୟ ଆଦେଶକୁ ଅକ୍ଷର ଅକ୍ଷରେ ପାଳନ କଲେ । ଖରା ବର୍ଷାକୁ ଖାତିର ନକରି ଭକ୍ତ ଭଗବାନଙ୍କ ମଝିରେ ସେତୁ ସାଜିଲେ ଏହି ତିନି ବରିଷ୍ଠ ଅଧିକାରୀ

398

ଚଳିତ ବର୍ଷ ରଥଯାତ୍ରା ଆଉ ବାହୁଡାଯାତ୍ରା ସୁରୁଖୁରୁରେ ସମାପନ ହୋଇଛି। କୁହାଯାଏ କାଳିଆ ନ ଚାହିଁଲେ କିଛିବି ସମ୍ଭବ ନୁହେଁ ତା ବିନା ଆଦେଶରେ ପତ୍ର ଟିଏ ବି କଅଁଳେ ନାହିଁ। ସେଥିପାଇଁ ତ କରୋନା କଟକଣା ଭିତରେ କାଳିଆର ଅଦୃଶ୍ୟ ଆଦେଶକୁ ଅକ୍ଷର ଅକ୍ଷରେ ପାଳନ କରିଛନ୍ତି ଶ୍ରୀମନ୍ଦିର ପ୍ରଶାସନ। ଆଉ ଶୃଙ୍ଖଳିତ ଭାବେ ଶେଷ ହୋଇଥିବା ସାଆନ୍ତେଙ୍କ ରଥଯାତ୍ରା ଓ ବାହୁଡ଼ା ଯାତ୍ରା ପଛରେ ସିପାହୀ ସାଜିଥିଲେ ପ୍ରମୁଖ ଦୁଇ ବରିଷ୍ଠ ଅଧିକାରୀ ।

ଭୂତାଣୁର ଗର୍ବ ଗଞ୍ଜନ କରି ଭକ୍ତଙ୍କୁ ଦୂରରୁ ଭେଟିବାକୁ ଯେବେ ଜଗା ଆସିବ ବୋଲି ଆଦେଶ ହେଲା, ସେତେବେଳେ ଦିନ ରାତି ଏକ କରିଦେଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରୀଷନ କୁମାର। ସେବାୟତଙ୍କ ସ୍ୱାସ୍ଥ୍ୟ ସୁରକ୍ଷା, ରଥନିର୍ମାଣ, ରଥଖଳାରେ କାର୍ଯ୍ୟ କରୁଥିବା ସବୁ ମହାରଣା ସେବାୟତଙ୍କ କୋଭିଡ ଟେଷ୍ଟ କିଭଳି ହେବ ସେନେଇ ଘନ ଘନ ବୈଠକ, ଛତିଶାନିଯୋଗରେ ମନ୍ତ୍ରଣା ପରେ ମନ୍ତ୍ରଣା କରିଥିଲେ ଏହି ବରିଷ୍ଠ ଅଧିକାରୀ।

ଅନ୍ୟପଟେ ଶ୍ରୀମନ୍ଦିର ପ୍ରଶାସନ ସହ ଜିଲ୍ଲା ପ୍ରଶାସନ ଓ ପୁରୀ ପୋଲିସ ମଧ୍ୟ ବେଶ ପ୍ରଶଂସନୀୟ କାର୍ଯ୍ୟ ତୁଲାଇଛି। ଜଗାପାଇଁ ଜିଲ୍ଲାପାଳ ସମର୍ଥ ବର୍ମା ସତେ ଯେମିତି ସିପାହୀ ସାଜିଯାଇଛନ୍ତି। ମୁଖ୍ୟ ପ୍ରଶାସକଙ୍କ ସହ ରଥ କାଠ ଅନୁକୂଳଠୁ ଆରମ୍ଭ କରି ଶ୍ରୀକ୍ଷେତ୍ରର ଆଇନ ଶୃଙ୍ଖଳାକୁ ବୁଝାଇବାରେ ସାମର୍ଥ୍ୟ ହୋଇଛନ୍ତି ସମର୍ଥ ।

ଏସବୁ ଭିତରେ ଏଥର ବି ଶୃଙ୍ଖଳିତ ଭାବେ ରତ୍ନବେଦରୁ ଜନ୍ମବେଦୀ ଓ ପୁଣି ଶରଧା ବାଲିରୁ  ସିଂହଦ୍ଵାର ଯାଏଁ ହୋଇଥିବା ମହାପ୍ରଭୁଙ୍କ ମାନବୀୟ ଲୀଳାର ମଙ୍ଗୁଆଳ ସାଜିଥିଲେ ଏହି ଦୁଇ ବରିଷ୍ଠ ଅଧିକାରୀ। କେତେବେଳେ ଜଗାର ଜଣାଣ ଆଉ କେତେବେଳେ ରଥର ପାଖେ ପାଖେ ରହି ନିଜେ ବର୍ଷାରେ ଭିଜି ଭିଜି ମହାବାହୁଙ୍କ ଅଲୌକିକ ଯାତ୍ରାର ମୂକସାକ୍ଷୀ ପାଲଟି ଯାଇଛନ୍ତି। ସବୁଠାରୁ ବଡ଼ କଥା ହେଲା ସୋସିଆଲ ମିଡିଆରେ ଭକ୍ତ ଭଗବାନଙ୍କ ମଝିରେ ମାଧ୍ୟମ ସାଜିଥିଲେ ଶ୍ରୀକ୍ଷେତ୍ରର ଏହି ଦୁଇ ସିପାହୀ। କାଳିଆର ଅଦୃଶ୍ୟ ଆଦେଶକୁ ପାଳନ କରି ଲୋକଙ୍କ ପାଖରେ ପ୍ରତିଟି ନୀତି ନିର୍ଘଣ୍ଟର ଖବର ଦେଉଥିଲା ଶ୍ରୀମନ୍ଦିର ପ୍ରଶାସନ।

କରୋନା କଟକଣା ଭିତରେ ଯେତେବେଳେ ବିନା ଭକ୍ତରେ ରଥଯାତ୍ରା ହୋଇଛି, ସେତେବେଳେ ପୁରୀ ସହର ମଧ୍ୟକୁ ଯେପରି କେହି ବାହାର ଲୋକ ପ୍ରବେଶ ନକରିବେ ତାହା ପୁରୀ ପୋଲିସ ପାଇଁ ଏକ ବଡ ଚ୍ୟାଲେଞ୍ଜ ପାଲଟିଥିଲା । ଆଉ ଏହାକୁ ସୁଚାରୁ ରୁପେ ତୁଲାଇଥିଲେ ପୁରୀ ଏସପି କନଔର ବିଶାଲ ସିଂ

ସତରେ ଜଗା ଆଗରେ ପଦ ପଦବୀ କଣ। ସେ ତ ବିଶ୍ୱର ବଡ଼ ପଦବୀରେ ବସିଛି ଯେଉଁଥି ପାଇଁ  ସାଆନ୍ତେଙ୍କୁ ଦେଖିଦେଲେ ଆପେ ଆପେ ତା ଆଖିରେ ଆଖି ମିଶିଯାଏ। ସେ ଚକାନୟନ ଚିତ୍ତ ଚୋରି କରିନିଏ। ସେଥିପାଇଁ ଭାବରେ ଭାବରେ ଭିଜି ଭାବ ଵିନୋଦିଆ ଆଉ ଭକ୍ତର ଭରସା ଜିତିଛନ୍ତି କ୍ରୀଷନ କୁମାର ଓ ସମର୍ଥ ବର୍ମା ।