ସ୍ୱର୍ଗଦ୍ୱାରରେ ଶବକୁ ଏ କି ସମ୍ମାନ…ମୋକ୍ଷ ନୁହେଁ ମିଳୁଛି ଯାତନା । ସଂସ୍କାର ପାଇଁ ଶବ ବି ଲଗାଉଛି ଧାଡି! ସଂଧ୍ୟା ୬ରେ ଆସିଲେ ରାତି ୧୦ରେ ମିଳୁଛି ସୁଯୋଗ

ବିକାଶର ଦ୍ୱାହି ଦେଇ ଖସିବାକୁ ଉଦ୍ୟମ କରୁଛି ପ୍ରଶାସନ

906

କନକ ବ୍ୟୁରୋ: ସ୍ୱର୍ଗଦ୍ୱାରରେ ଶବ ସଂସ୍କାର ହେଲେ ଆତ୍ମାକୁ ମୋକ୍ଷ ପ୍ରାପ୍ତି ହୋଇଥାଏ । ଆଉ ଖାସ୍ ଏହି ବିଶ୍ୱାସ ଟିକକ ପାଇଁ ରାଜ୍ୟ ତଥା ରାଜ୍ୟ ବାହାରୁ ହିନ୍ଦୁମାନେ ମୃତ୍ୟୁପରେ ନିଜର ଆତ୍ମୀୟଙ୍କ ଶବକୁ ଧରି ସ୍ୱର୍ଗଦ୍ୱାରରେ ଅନ୍ତିମ ସଂସ୍କାର ପାଇଁ ଆସିଥାନ୍ତି । ମାତ୍ର ସ୍ୱର୍ଗଦ୍ୱାରରୁ ଶବ ସଂସ୍କାର କରି ଫେରିଲା ବେଳକୁ ଶବବାହକ ବା ଆତ୍ମୀୟମାନେ ଏକ ତିକ୍ତ ଓ ବିରକ୍ତିର ଅନୁଭବ ନେଇ ଫେରିଥାନ୍ତି । ସ୍ୱର୍ଗଦ୍ୱାରରେ ଶବକୁ ସମ୍ମାନତ ମିଳୁନାହିଁ କେବଳ ଯାତନା ମିଳୁଥିବା କଥା ଏବେ ସ୍ୱର୍ଗଦ୍ୱାରକୁ ଆସୁଥିବା ଲୋକେ କହିଲେଣି । ଶବ ସଂସ୍କାର ପାଇଁ ଶବ ବି ଲମ୍ବା ଧାଡିରେ ରହିବାକୁ ପଡୁଛି । ଜଣକର ସରିଲେ ଆୁ ଜଣକର ପାଳି ପଡୁଛି । ସ୍ୱାର୍ଗଦ୍ୱାର ବାହାରେ ଶବ ଘଂଟା ଘଂଟା ପଡି ରହୁଛି । ଶବ ନେଇ ଆସିଥିବା ଶବବାହକ, ସଂପର୍କୀୟ ଟିକେ ଆନମନା ହେଲେ ଶବରେ କାଉ, କୁକୁର ମୁହଁ ମାରି ଦେଇଉଛନ୍ତି । ସଂଧ୍ୟାରେ ପହଂଚୁଥିବା ଶବକୁ ରାତି ୧୦ଟା ପରେ ସଂସ୍କାର ହେବାର ସୁଯୋଗ ମିଳୁଛି ।

ତେବେ ବର୍ଷା ହେଲେ ସ୍ଥିତି ଅସମ୍ଭାଳ ହୋଇପଡୁଛି । ଶବ ଭିଜୁଥିବା ମଧ୍ୟ ଅନେକ ସମୟରେ ଦେଖିବାକୁ ମିଳୁଛି । ସ୍ୱର୍ଗଦ୍ୱାରରେ ଶବକୁ ଏ ପ୍ରକାର ଅସମ୍ମାନକୁ ନେଇ ଏବେ ଲୋକେ ଅସନ୍ତୋଷ ବ୍ୟକ୍ତ କଲେଣି । ଏପରିକି ଶବ ନେଇ ଆସୁଥିବା ଗାଡିକୁ ମଧ୍ୟ ରଖାଇ ଦିଆଯାଉନଥିବା ଅଭିଯୋଗ ଆସିଛି । ସ୍ୱର୍ଗଦ୍ୱାର ପ୍ରତି ଥିବା ଏପ୍ରକାର ବାତାବରଣ ସ୍ୱର୍ଗଦ୍ୱାର ପ୍ରତି ଥିବା ଧାର୍ମିକ ଭାବନାକୁ ଆଘାତ ଦେଉଛି । ତେବେ ସ୍ୱର୍ଗଦ୍ୱାର ବିକାଶ ପାଇଁ ଏଭଳି ସ୍ଥିତି ଉପୁଜିଛି ବୋଲି ପ୍ରଶାସନ ବାହାନା କଲେବି ବାସ୍ତବତା କିନ୍ତୁ ଭିନ୍ନ ବୋଲି କୁହାଯାଉଛି ।

ବିକାଶର ଦ୍ୱାହି ଦେଇ ପ୍ରଶାସନ ଖସିବାକୁ ଉଦ୍ୟମ କରୁଛି । ମାତ୍ର ସ୍ୱର୍ଗଦ୍ୱାରକୁ କେତେ ଶବ ଆସନ୍ତି, ବିକାଶ ପାଇଁ ଯେତିକି ଜାଗା ରହିଛି ଏବେ ଯେତିକି ଜାଗାରେ ବିକାଶ କାମ ଚାଲିଛି ତାହା ପର୍ଯ୍ୟାପ୍ତ କି ନୁହେଁ, ପ୍ରଶାସନ ତାହା ଆକଳନ ନକରି ତରବରିଆ ଭାବେ ବିକାଶ ମୁହାଁ ହୋଇଛି । ଜବରଦଖଲରେ ଥିବା ସ୍ୱର୍ଗଦ୍ୱାର ଜମିକୁ ଫେରାଇ ନଆଣି ସରକାର ସ୍ୱର୍ଗଦ୍ୱାର ଜମି ଦୁର୍ନୀତି ଫାଇଲକୁ ଚାପି ରଖିଛନ୍ତି । ଜମି ଫେରାଇ ଆଣିବା ପାଇଁ କେନ୍ଦ୍ରାଂଚଳ ରାଜସ୍ୱ ଆୟୁକ୍ତ ରିପୋର୍ଟ ଦେଇଥିଲେ ବି ପ୍ରଶାସକ ଏ ଦିଗରେ ଅଗ୍ରସର ହୋଇନାହିଁ । ଜମିକୁ ଜବରଦଖଲକାରୀଙ୍କୁ ଟେକିଦେବାକୁ ପ୍ରଶାସନର ଏହା ବଡ ଷଡଯନ୍ତ୍ର ବୋଲି ଅଭିଯୋଗ ହୋଇଛି ।