ସ୍ୱର୍ଗଦ୍ୱାରର ପରିଚାଳନା ବୁଝିବ ସ୍ୱର୍ଗଦ୍ୱାର ସେବା ସମିତି: ଅନୁମତି ଦେଲେ ରାଜ୍ୟ ସରକାର; ଉପଜିଲ୍ଲାପାଳଙ୍କ ସୂଚନା ପୁରୀ ପୌରପାଳିକାଠୁ ଶୀଘ୍ର କାର୍ଯ୍ୟଭାର ହସ୍ତାନ୍ତର ହେବ

149

କନକ ବ୍ୟୁରୋ: ସ୍ୱର୍ଗଦ୍ୱାରକୁ ସୁବ୍ୟବସ୍ଥିତ ଭାବରେ ପରିଚାଳନା କରିବା ପାଇଁ ରାଜ୍ୟ ସରକାର ସ୍ୱର୍ଗଦ୍ୱାର ସେବା ସମିତିକୁ ଅନୁମତି ପ୍ରଦାନ କରିଛନ୍ତି । ଏନେଇ ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଗତମାସ ୨୭ ତାରିଖରେ ଜିଲ୍ଲା ପ୍ରଶାସନକୁ ଅବଗତ କରିଛିି । ଏବେ ସ୍ୱର୍ଗଦ୍ୱାରର ପରିଚାଳନା କାମ ବୁଝୁଛି ସ୍ୱର୍ଗଦ୍ୱାର ସେବା କେନ୍ଦ୍ର । ଆଗାମୀ ସମୟରେ ପରିଚାଳନା ଦାୟିତ୍ୱ ଗ୍ରହଣ କରିବ ସ୍ୱର୍ଗଦ୍ୱାର ସେବା ସମିତି । ରାଜ୍ୟ ସରକାରଙ୍କ ଠାରୁ ଅନୁମତି ପାଇଥିବାରୁ ଶୀଘ୍ର ପୁରୀ ପୌର ପାଳିକା ଠାରୁ କାର୍ଯ୍ୟଭାର ଗ୍ରହଣ ପାଇଁ ପଦକ୍ଷେପ ନିଆଯିବ ବୋଲି ପୁରୀ ଉପଜିଲ୍ଲାପାଳ ଭବତାରଣ ସାହୁ କହିଛନ୍ତି ।

ସ୍ୱର୍ଗଦ୍ୱାର ସେବା ସମିତିରେ ସର୍ବମୋଟ ୯ ଜଣ ସଦସ୍ୟ ରହିବାର ବ୍ୟବସ୍ଥା ରହିଛି । ଅଧ୍ୟକ୍ଷ ଭାବେ ଜିଲ୍ଲାପାଳ ରହିଥିବା ବେଳେ ଉପଜିଲ୍ଲାପାଳ ଆବାହକ ସଂପାଦକ ଭାବରେ ରହିଛନ୍ତି । ସେହିପରି ଜିଲ୍ଲୀ ଆରକ୍ଷୀ ଅଧିକ୍ଷକ, ଓଡିଶା ବନ ଉନ୍ନୟନର ଜେନେରାଲ ମ୍ୟାନେଜର, ପୌର ନିର୍ବାହୀ ଅଧିକାରୀ ଅନ୍ୟତମ ସଦସ୍ୟ ଭାବେ ରହିବେ । ଜିଲ୍ଲା ପ୍ରୋଟୋକଲ ଅଫିସର ଏହାର କୋଷାଧ୍ୟକ୍ଷ ଭାବରେ କାର୍ଯ୍ୟ କରିବେ । ସ୍ୱର୍ଗଦ୍ୱାରର ବିକାଶ ପାଇଁ ରାଜ୍ୟ ସରକାର ୫କୋଟି ଟଙ୍କା ଦେଇଛନ୍ତି । ଯାହାର ବିକାଶ ପ୍ରକ୍ରିୟା ଜିଲ୍ଲାପାଳଙ୍କ ତତ୍ୱାବଧାନରେ ଦ୍ରୁତଗତିରେ ଚାଲୁଛି ।