ଶ୍ରୀକ୍ଷେତ୍ରକୁ ନୂଆ ରୂପ ଦେବାକୁ ଉଦ୍ୟମ: ସ୍ୱର୍ଗଦ୍ୱାର ପାଇବ ନୂଆ ରୂପ, ୨୦୨୧ ମାର୍ଚ୍ଚ ସୁଦ୍ଧା ସରିବ କାମ; ଜୋରସୋରରେ ଆଗେଇ ଚାଲିଛି ପୁନରୁଦ୍ଧାର କାମ

149

କନକ ବ୍ୟୁରୋ: ଫନିରେ ଧ୍ୱସ୍ତବିଧ୍ୱସ୍ତ ପୁରୀକୁ ନୂଆରୂପ ଦେବାକୁ ଉଦ୍ୟମ ଆରମ୍ଭ ହୋଇଛି । ସ୍ୱର୍ଗଦ୍ୱାର ପାଇବ ନୂଆ ରୂପ । ମାର୍ଚ ସୁଦ୍ଧା ଏହାର ବିକାଶ କାମକୁ ସାରିବାକୁ ଲକ୍ଷ୍ୟ ରଖାଯାଇଛି । ଗତକାଲି ୫-ଟି ସଚିବ ଭି.କେ.ପାଣ୍ଡିଆନ ବିକାଶ କାମର ସମୀକ୍ଷା କରିଛନ୍ତି । ନିର୍ମାଣ କାର୍ଯ୍ୟ ଭିତରେ ସ୍ୱର୍ଗଦ୍ୱାରକୁ ଆସୁଥିବା ଲୋକଙ୍କ ପାଇଁ ସେଡ୍ ଓ ଅନ୍ୟାନ୍ୟ ବ୍ୟବସ୍ଥା କରାଯିବ । ସ୍ୱର୍ଗଦ୍ୱାରର ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୫ କୋଟି ଟଙ୍କାର ଅନୁଦାନ ମିଳିଛି ।

୨୦୨୧ ମାର୍ଚ ସୁଦ୍ଧା ପୁରୀ ସ୍ବର୍ଗଦ୍ବାରର ପୁନରୁଦ୍ଧାର କାର୍ଯ୍ୟ ଶେଷ ହେବ । ଶ୍ରୀକ୍ଷେତ୍ର ଭିକାରିମୁକ୍ତ ହେବ। ବଡ଼ଦାଣ୍ଡର ସ୍ବଚ୍ଛତା ପାଇଁ ବୁଲାଗୋରୁଙ୍କୁ ଗୋ ଶାଳାରେ ରଖାଯିବ। ଏହି ଗାଈଗୋରୁଙ୍କ ଖାଇବା ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ। ପ୍ରଳୟଙ୍କରୀ ବାତ୍ୟା ‘ଫନି’ରେ ଧ୍ବସ୍ତବିଧ୍ବସ୍ତ ଶ୍ରୀକ୍ଷେତ୍ରକୁ ନୂଆ ରୂପ ଦେବା ତଥା ବିଶ୍ବର ଅନ୍ୟତମ ଐତିହ୍ୟ ସହର ଭାବେ ଗଢ଼ିତୋଳିବା ଲକ୍ଷ୍ୟ ନେଇ ଏଭଳି କିଛି ବିକାଶମୂଳକ ଯୋଜନା ପ୍ରସ୍ତୁତ କରିଛନ୍ତି ରାଜ୍ୟ ସରକାର। ଏହି ବିକାଶ କାର୍ଯ୍ୟର ଭିତ୍ତିଭୂମି ପଡ଼ିବା ଆରମ୍ଭ ହୋଇଯାଇଛି। ରାଜ୍ୟ ସରକାରଙ୍କ ୫-ଟି ସଚିବ ଭି. କେ. ପାଣ୍ଡିଆନ୍ ପୁରୀ ଗସ୍ତରେ ଆସି ଏହି ବିକାଶମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି। କ୍ଷେତ୍ର ପରିଦର୍ଶନ କରି ଉନ୍ନୟନ କାର୍ଯ୍ୟର ପ୍ରତ୍ୟକ୍ଷ ଅନୁଧ୍ୟାନ କରିଛନ୍ତି।

ପୁରୀରେ ପହଞ୍ଚିବା ପରେ ଜିଲ୍ଲାପାଳ ବଲୱନ୍ତ ସିଂ, ଉପଜିଲ୍ଲାପାଳ ଭବତାରଣ ସାହୁ ଓ ଅନ୍ୟ ଅଧିକାରୀଙ୍କ ସହ ଶ୍ରୀ ପାଣ୍ଡିଆନ୍ ପ୍ରଥମେ ପୁରୀ ସ୍ବର୍ଗଦ୍ବାର ପରିଦର୍ଶନରେ ଯାଇ ଉନ୍ନୟନ କାର୍ଯ୍ୟର ସ୍ଥିତି ପରଖିଥିଲେ। ଲୋକଙ୍କ ଧାର୍ମିକ ଭାବନା ସହିତ ଜଡ଼ିତ ସ୍ବର୍ଗଦ୍ବାରର ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ୫ କୋଟି ଟଙ୍କାର ଅନୁଦାନ ମିଳିଥିବା ବେଳେ ବିକାଶ କାର୍ଯ୍ୟ କେତେବାଟ ଆଗେଇଛି ସେ ସଂପର୍କରେ ପ୍ରଶାସନିକ ଅଧିକାରୀ ଓ ଠିକା ସଂସ୍ଥା ସହ ଆଲୋଚନା କରିଥିଲେ। ମାର୍ଚ୍ଚ ସୁଦ୍ଧା ସ୍ବର୍ଗଦ୍ବାର ପୁନରୁଦ୍ଧାର କାମ ଶେଷ କରିବାକୁ ସେ ଏହି ଅବସରରେ ନିର୍ଦ୍ଦେଶ ଦେଇଥିଲେ। ନିର୍ମାଣ କାର୍ଯ୍ୟ ଭିତରେ ସ୍ବର୍ଗଦ୍ବାରକୁ ଆସୁଥିବା ଲୋକଙ୍କ ପାଇଁ ସେଡ୍ ଓ ଅନ୍ୟାନ୍ୟ ବ୍ୟବସ୍ଥା କରାଯାଇଥିବା ଜିଲ୍ଲାପାଳ ସୂଚନା ଦେଇଥିଲେ।