ସ୍ୱର୍ଗଦ୍ୱାର ଖାଁ ଖାଁ !! ୧୦ ଡେଇଁଲା ନାହିଁ ଶବଦାହ ସଂଖ୍ୟା, ସେପଟେ ଉଚ୍ଛେଦ ଯୋଗୁଁ ବ୍ୟାହତ ହେବ ନାହିଁ ଶବଦାହ ବୋଲି କହିଲେ ଜିଲ୍ଲାପାଳ

666

କନକ ବ୍ୟୁରୋ :  ପୁରୀ ସ୍ୱର୍ଗଦ୍ୱାର ଆଧୁନିକୀକରଣ ପାଇଁ ଉଚ୍ଛେଦ ପ୍ରକ୍ରିୟା ଜାରିରହିଛି । ପୁଲିସ ସୁରକ୍ଷାରେ ବୁଲଡ୍ରୋଜର ଲଗାଇ  ସ୍ବର୍ଗଦ୍ବାର ପରିସରରେ ଥିବା ପଥ ଶ୍ରାଦ୍ଧ ଗୃହ ଭଙ୍ଗାଯାଇଛି। ତେବେ ଉଚ୍ଛେଦ ଚାଲିଥିବା କାରଣରୁ ସ୍ବର୍ଗଦ୍ବାରରେ ଶବଦାହ ସଂଖ୍ୟା ଆଶାତୀତ ହ୍ରାସ ପାଇଥିଲା। ପ୍ରତିଦିନ ଏଠାରେ ୭୦ ରୁ ୮୦ ଶବ ଦାହ ହେଉଥିବା ବେଳେ ସ୍ବର୍ଗଦ୍ବାରରେ ଶବ ଦାହ ସଂଖ୍ୟା ୧୦ ବି ଡେଇଁନଥିଲା। ଅନ୍ୟ ପକ୍ଷରେ ଏହାକୁ ନେଇ ପୁରୀ ଜିଲ୍ଲାପାଳ ବଲୱନ୍ତ ସିଂହ କହିଛନ୍ତି, ଉଚ୍ଛେଦ ଯୋଗୁ ଶବ ଦାହ ଅଟକିବ ନାହିଁ। ଶବଦାହ ପ୍ରକ୍ରିୟାରେ କିଭଳି ବାଧା ନ ଉପୁଜିବ ସେଥିପ୍ରତି ଦୃଷ୍ଟି ଦିଆଯାଉଛି।

ସେଥିପାଇଁ ପର୍ଯ୍ୟାୟ କ୍ରମେ ଉଚ୍ଛେଦ ଓ ବିକାଶ କରାଯିବାର ଯୋଜନା ହୋଇଛି। ଏଥି ପାଇଁ ସ୍ବର୍ଗଦ୍ବାରରେ ଶବ ଦାହ କରିବାକୁ ଚାହୁଁଥିବା ମୃତକଙ୍କ ପରିବାର ସେମାନଙ୍କ ଆତ୍ମୀୟଙ୍କ ଶବ ଆଣି ଏଠାରେ ବିନା ବାଧାରେ ଦାହ କରିପାରିବେ। ସ୍ବର୍ଗଦ୍ବାରରେ ଉଚ୍ଛେଦ ବେଳେ ଶବ ଦାହ ପ୍ରକ୍ରିୟା ସ୍ବାଭାବିକ ରହିବ ବୋଲି ଜିଲ୍ଲାପାଳ କହିଛନ୍ତି।  ଯେତିକି ଉଚ୍ଛେଦ ହେବ ସେତିକି ସ୍ଥାନରେ ବିକାଶ ହେବା ପରେ ଅନ୍ୟ ଜାଗାରେ ଉଚ୍ଛେଦ ହେବ ବୋଲି ଜଣାପଡ଼ିଛି। ସେ ପଟେ ଶବଦାହ ପ୍ରକିୟାରେ ଯେଭଳି କିଛି ସମସ୍ୟା ନ ଉପୁଜେ ସେଥିପାଇଁ କର୍ମଚାରୀଙ୍କୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।