କନକ ବ୍ୟୁରୋ : ଅଯୋଧ୍ୟାରେ ରାମଲଲାଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବ ପାଇଁ ଯେପରି ସାରା ଦେଶରେ ଅକ୍ଷତ କଳସଯାତ୍ରା ବୁଲି ନିମନ୍ତ୍ରଣ କରାଯାଉଛି । ଠିକ୍ ସେହି ଢଙ୍ଗରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ପାଇଁ ଦେଶ ବିଦେଶରୁ ଅତିଥିଙ୍କୁ ନିମନ୍ତ୍ରଣ କରିବାକୁ ଯୋଜନା ହୋଇଛି ।

Advertisment

ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବକୁ ଭବ୍ୟ ଓ ଦିବ୍ୟ କରିବାକୁ ସବୁ ପ୍ରକାର ଉଦ୍ୟମ କରୁଛି ଶ୍ରୀମନ୍ଦିର ପ୍ରଶାସନ । ପ୍ରତିଷ୍ଠା ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାମିଲ ହେବାକୁ ଥିବା ବେଳେ ଦେଶ, ବିଦେଶରୁ ଅତିଥିଙ୍କୁ ନିମନ୍ତ୍ରଣ କରାଯିବ ।
ଚାରି ଧାମର ଶଙ୍କରାଚାର୍ଯ୍ୟ,
ରାଜ୍ୟର ସମସ୍ତ ଜଗନ୍ନାଥ ମନ୍ଦିର
ପ୍ରସିଦ୍ଧ ମନ୍ଦିର
ଶ୍ରୀମନ୍ଦିର ସହ ଜଡିତ ନେପାଳ ରାଜାଙ୍କୁ ନିମନ୍ତ୍ରଣ କରାଯିବ
ମୋଟ ୭୪୬ଟି ଜଗନ୍ନାଥ ମନ୍ଦିର ଓ ୧୧୧ଟି ଅନ୍ୟ ମନ୍ଦିରକୁ ନିମନ୍ତ୍ରଣ କରିବ ଶ୍ରୀମନ୍ଦିର ପ୍ରଶାସନ
ଏଥିପାଇଁ ଜିଲ୍ଲାୱାରି ତାଲିକା ପ୍ରସ୍ତୁତ କରାଯାଇଛି । ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ପୂର୍ବରୁ ସବୁ ଧାର୍ମିକ ଅନୁଷ୍ଠାନକୁ ନିମନ୍ତ୍ରଣ କରାଯିବାକୁ ଯୋଜନା ହୋଇଛି ।

ପରିକ୍ରମା ପ୍ରକଳ୍ପ ପାଇଁ ପ୍ରସ୍ତୁତ ନିମନ୍ତ୍ରଣ କାର୍ଡ ଓ ଅତିଥି ତାଲିକା ଉପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଚୂଡାନ୍ତ ନିଷ୍ପତି ନିଆଯାଇଛି । ଅଯୋଧ୍ୟ ରାମ ମନ୍ଦିର ପାଇଁ ଯେପରି ଅକ୍ଷତ କଳସ ଦେଇ ନିମନ୍ତ୍ରଣ କରାଯାଉଛି, ଠିକ ସେମିତି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ନିମନ୍ତ୍ରଣ ପତ୍ର ଓଡିଆ, ଇଂରାଜୀ ଓ ହିନ୍ଦୀ ତିନୋଟି ଭାଷାରେ ରହିବ । ଏଥିରେ ପରିକ୍ରମା ପ୍ରକଳ୍ପ ସଂପର୍କିତ ସୂଚନା ରହିବ । ଆସନ୍ତା ୧୯ କିମ୍ବା ୨୦ ତାରିଖରୁ ନିମନ୍ତ୍ରଣ ପତ୍ର ବାଂଟିବାକୁ ନିଷ୍ପତି ନିଆଯାଇଛି ।

ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ ପାଇଁ ପ୍ରସ୍ତୁତିକୁ ନେଇ ଚଳଚଂଚଳ ହୋଇପଡିଛି ଶ୍ରୀକ୍ଷେତ୍ର । ଯଜ୍ଞସ୍ଥଳ, ମଂଚ ସ୍ଥଳ ଓ ବେଦ ମଣ୍ଡପ ଚିହ୍ନଟ ସରିଛି । ପ୍ରକଳ୍ପ ସହିତ ଶ୍ରୀସେତୁ, ଶ୍ରୀ ଦାଣ୍ଡ, ଜଗନ୍ନାଥ ବଲ୍ଲଭ ପାର୍କିଂ ପ୍ରକଳ୍ପର କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଂଚିଛି ।