ବାତ୍ୟା ‘ଫୋନି’ ପାଇଁ ଶ୍ରୀମନ୍ଦିର ପ୍ରଶାସନର ବଡ ନିଷ୍ପତ୍ତି । ନୀଳଚକ୍ରରେ ଲାଗିବନି ବଡ ବାନା । 

342

କନକ ବ୍ୟୁରୋ : ବାତ୍ୟା ଫୋନି ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏକ ବଡ ନିଷ୍ପତ୍ତି ନିଆଯାଇଛି । ବାତ୍ୟା ପାଇଁ ଶ୍ରୀମନ୍ଦିର ନୀଳଚକ୍ରରେ ବଡ ବାନା ଲଗାଯିବ ନାହିଁ ବୋଲି ଜଣାପଡିଛି । ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଚୁନରା ସେବାୟତଙ୍କୁ ଚିଠି ମଧ୍ୟ କରାଯାଇଛି । ଶ୍ରୀମନ୍ଦିରରେ ବଡ ୧୪ ହାତିଆ ବାନା ସ୍ଥାନରେ ୫ ହାତ ଲମ୍ବର ବାନା ଲଗାଯିବାନେଇ ନିଷ୍ପତ୍ତି ନିଆଯାଇଛି । ତେବେ ଆବଶ୍ୟକ ପଡିଲେ ୫ ହାତ ଲମ୍ବର ଏକ ବାନା ନୀଳଚକ୍ର ପରିଧିରେ ଗୁଡେଇ ବନ୍ଧାଯିବ । ନୀଳଚକ୍ରର ସୁରକ୍ଷା ପାଇଁ ଏପରି ନିଷ୍ପତ୍ତି ନିଆଯାଇଥିବା ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଲୋକ ସମ୍ପର୍କ ଅଧିକାରୀ ସୂଚନା ଦେଇଛନ୍ତି ।

ବାତ୍ୟା ଫୋନି, ପୁରୀର ଦକ୍ଷିଣ ଦିଗରେ, ଗୋପାଳପୁରରୁ ଚାନ୍ଦବାଲି ମଧ୍ୟରେ ଲ୍ୟାଣ୍ଡଫଲ କରିବ ବୋଲି ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି । ମେ ୩ ତାରିଖ ଅପରାହ୍ନରେ ବାତ୍ୟା ଫୋନି ଲ୍ୟାଣ୍ଡଫଲ କରିପାରେ । ବର୍ତମାନ ଏହି ବାତ୍ୟା ପୁରୀରୁ ୭୦୦ କିଲୋମିଟର ଦୂରରେ ଥିବା ବେଳେ  ଆସନ୍ତାକାଲି ସନ୍ଧ୍ୟାରେ ଏହା ‘ଏକ୍ସ୍ସଟ୍ରିମଲି ସିଭିୟର ସାଇକ୍ଲୋନିକ ଷ୍ଟର୍ମ’ର ରୂପ ନେବ ।